• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଜାମ୍ମୁ କାଶ୍ମୀରରେ ଶେଷ ହୋଇଛି ଗୁପକାର୍‌ ଆଲାଏନ୍ସ । ୨୦୧୯ରେ ଗଠିତ ହୋଇଥିବା ଗୁପକାର ମେଣ୍ଟର ଦୁଇ ପ୍ରମୁଖ ଦଳ ନ୍ୟାସନାଲ କନଫରେନ୍ସ ଓ ପିଡିପି କାଶ୍ମୀରରେ ତିନୋଟି ଲୋକସଭା ଆସନରେ ନିଜ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଅନନ୍ତନାଗ-ରଜୌରୀ ଆସନରୁ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ପିଡିପି ପକ୍ଷରୁ ଘୋଷଣା କରାଯାଇଛି ।

ତେବେ ଆଗାମୀ ନିର୍ବାଚନରେ ଅନନ୍ତନାଗ-ରଜୌରୀ ଦେଖିବ ବିଗ୍ ଫାଇଟ୍। କାହିଁକି ନା ଏହି ଆସନରୁ ନିର୍ବାଚନ ଲଢ଼ିବା ନେଇ ଜାମ୍ମୁ କାଶ୍ମୀରର ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ପୂର୍ବରୁ ଘୋଷଣା କରିସାରିଛନ୍ତି । ଦୁଇ ହେଭିୱେଟ୍‌ ଏହି ଆସନରୁ ଲଢ଼ୁଥିବାରୁ ଏହି ଲଢ଼େଇ ବେଶ୍‌ ରୋଚକ ହେବ ।

ପିଡିପି ମୁଖ୍ୟ ମେହବୁବା ମୁଫତି ପୂର୍ବରୁ ମଧ୍ୟ ଅନନ୍ତନାଗ-ରଜୌରୀ ଆସନରୁ ନିର୍ବାଚନ ଲଢ଼ିସାରିଛନ୍ତି । ସେହିପରି ଶ୍ରୀନଗରରୁ ପିଡିପିର ଯୁବ ନେତା ୱହିଦ୍ ପାରା ଏବଂ ବାରାମୁଲା ଲୋକସଭା ଆସନରେ ଫୟାଜ୍‌ ମିର୍‌ଙ୍କୁ ପ୍ରାର୍ଥୀ କରିଛି ପିଡିପି ।

କାଶ୍ମୀରର ତିନୋଟି ଆସନରେ ପ୍ରାର୍ଥୀ ଘୋଷଣା ହେବା ପରେ ମେହବୁବା ମୁଫତି କହିଛନ୍ତି ଯେ, ନ୍ୟାସନାଲ କନଫରେନ୍ସ ବିନା କୌଣସି ଚର୍ଚ୍ଚା ଆଲୋଚନାରେ ପ୍ରାର୍ଥୀ ଘୋଷଣା କରିଥିବାରୁ, ସେ ଦୁଃଖିତ । ଏହାଦ୍ୱାରା ପିଡିପିର କାର୍ଯ୍ୟକର୍ତ୍ତାମାନେ ନିରାଶ ହୋଇଛନ୍ତି । ତେବେ ଆଗାମୀ ନିର୍ବାଚନରେ ଆମେ ଆମର ଶକ୍ତି ନ୍ୟାସନାଲ କନଫରେନ୍ସକୁ ଦେଖାଇବୁ । ଜାମ୍ମୁକାଶ୍ମୀରର ମୁଦ୍ଦା ଉଠାଇ ଲୋକଙ୍କ ପାଖକୁ ଯିବୁ ବୋଲି ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ମେହବୁବା ମୁଫତି ଆହୁରି କହିଛନ୍ତି, ‘ଆମେ କାଶ୍ମୀରର ତିନୋଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ ଏବଂ ଜାମ୍ମୁରେ କଂଗ୍ରେସକୁ ସମର୍ଥନ କରିବୁ । ଆମେ କାଶ୍ମୀରରେ ମେଣ୍ଟ ପାଇଁ ମଧ୍ୟ ଚେଷ୍ଟା କରିଥିଲୁ। କିନ୍ତୁ ଏଥିରେ ବିଫଳ ହେବା ପରେ ଆମେ ଏକାକୀ ନିର୍ବାଚନ ଲଢ଼ିବାକୁ ବାଧ୍ୟ ହେଲୁ’। ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରରେ ଚଳିତ ଥର ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।