• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଶିଲଂକୁ ଆସିଥିବା ଆସାମର ଗୋଟିଏ ବସକୁ ଜାଳିଦେଲେ ବିକ୍ଷୋଭକାରୀ

  • ଦୁଇ ଦିନ ପାଇଁ ଶିଲଂରେ କର୍ଫ୍ୟୁ

ଶିଲଂ : ବିଦ୍ରୋହୀ ନେତାଙ୍କୁ ହତ୍ୟା ପରେ ମେଘାଳୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି । ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମାଙ୍କ ବ୍ୟକ୍ତିଗତ ବାସଭବନ ଉପରକୁ ପେଟ୍ରୋଲ ବୋମା ମାଡ଼ କରାଯାଇଛି । ତେବେ ଘରେ କୌଣସି ସଦସ୍ୟ ରହୁ ନଥିବାରୁ କେହି ମୃତାହତ ହୋଇନାହାନ୍ତି । ସେପଟେ ଶିଲଂକୁ ଆସିଥିବା ଆସାମର ଗୋଟିଏ ବସକୁ ବିକ୍ଷୋଭକାରୀ ଜାଳି ଦେଇଛନ୍ତି । ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସହରର ଅନେକ ସ୍ଥାନରେ ପଥର ମାଡ଼ ଭଳି ଘଟଣା ଘଟିଛି ।

ତେବେ ରାଜଧାନୀ ଶିଲଂରେ ୨ ଦିନିଆ କର୍ଫ୍ୟୁ ଲଗାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅନୁସାରେ ଅଗଷ୍ଟ ୧୭ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ମଙ୍ଗଳବାର ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ସରକାର କହିଛନ୍ତି । ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ଖବର ପରେ ଅନେକ ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣ ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ କରି ଦିଆଯାଇଛି । ଅନ୍ୟପକ୍ଷରେ ହିଂସାକାଣ୍ଡକୁ ନଜରରେ ରଖି ଆସାମ ଡିଜି ଜି. ପି. ସିଂହ ରାଜ୍ୟବାସୀଙ୍କ ପାଇଁ ସତର୍କତା ଜାରି କରିଛନ୍ତି ।

ଆସାମରୁ କେହି ଶିଲଂ ନଯିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଶିଲଂରେ କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ମେଘାଳୟ ଗୃହମନ୍ତ୍ରୀ ଲକମେନ୍ ରିମ୍ବୁଇ ପଦରୁ ଇସ୍ତଫା ଦେଇଛନ୍ତି । ବିଦ୍ରୋହୀ ନେତାଙ୍କୁ ହତ୍ୟା କରିବା ବେଆଇନ ଓ ଅମାନବୀୟ ଘଟଣା ଦର୍ଶାଇ ରିମ୍ବୁଇ ଇସ୍ତଫା ଦେଇଥିବା ସେ କହିଛନ୍ତି । ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବିଦ୍ରୋହୀ ନେତାଙ୍କ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।

ସେହିପରି ଆଜି ଶିଲଂର ଜାଆୱ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତି ମାନକିନରୋହ ପୋଲିସ ପୋଷ୍ଟର ଥିବା ଏକ ଗାଡିକୁ ନିଆଁ ଲଗାଇ ଦେଇଛନ୍ତି । ତେବେ ଗାଡିରେ ଥିବା ପୋଲିସ କର୍ମଚାରୀ, ଆଉଟପୋଷ୍ଟର ଦାୟିତ୍ୱରେ ଥିବା କର୍ମୀମାନେ ଏହି ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ପୂର୍ବତନ ବିଦ୍ରୋହୀ ନେତା ଚେରିସଷ୍ଟାରଫିଲ୍ଡ ଥାଙ୍ଗସୁଙ୍କ ଘରେ ପୋଲିସର ଚଢ଼ାଉ ସମୟରେ ମୃତ୍ୟକୁ ନେଇ ସିଲଂର କିଛି ଅଞ୍ଚଳରେ ବିଦ୍ରୋହ ଦେଖିବାକୁ ମିଳିଛି । ଥାଙ୍ଗଖୁଙ୍କ ପରିବାର ପକ୍ଷରୁ ଏହି ମୃତ୍ୟୁକୁ ପୋଲିସର ଏକ ନିର୍ଦ୍ଦୟ ହତ୍ୟା ବୋଲି କୁହାଯାଇଛି । ଆଜି ତାଙ୍କ ଅନ୍ତିମ ସଂସ୍କାରରେ ଶହ ଶହ ଲୋକ କଳା ପତାକା ପ୍ରଦର୍ଶନ କରିଥିଲେ ।