• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରମିକରୁ ରିୟଲ୍‌ ଇଷ୍ଟେଟ୍‌ ଦୁନିଆର ବେତାଜ୍‌ ବାଦଶାହା । ବିଦେଶରେ ଦିନ ମଜୁରିଆ ଭାବେ କାମ କରୁଥିବା ତେଜିନ୍ଦର୍‌ ସିଂ ଶେଖୋ ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ । ମାତ୍ର ୨୨ ବର୍ଷ ବୟସରେ ୨୦୧୧ ମସିହାରେ କିଛି କରିବା ଲକ୍ଷ୍ୟରେ ଭାରତ ଛାଡ଼ି ୟୁଏସ୍‌ ଚାଲିଯାଇଥିଲେ । ପ୍ରଥମେ ପ୍ରଥମେ ତାଙ୍କୁ କୌଣସି ପ୍ରକାର ଚାକିରି ମିଳିନଥିଲା । ଶେଷରେ ସେ ଦିନ ମଜୁରିଆ ଭାବେ କାମ ଆରମ୍ଭ କରିଥିଲେ । କିଛି ଦିନ ପରେ ରେଷ୍ଟୁରାଣ୍ଟରେ ବାସନ ମାଜିବା ସହ ଭ୍ୟାନ୍‌ ମଧ୍ୟ ଚଳାଇବା ଆରମ୍ଭ କରିଥିଲେ । ତେବେ ଅନେକ ଥର ଭାଗ୍ୟ ପରୀକ୍ଷା ଦେବା ପରେ ଭାଗ୍ୟଦେବୀ ତାଙ୍କ ଉପରେ ସଦୟ ହୋଇଥିଲେ । ବର୍ତ୍ତମାନ ସେ ୬୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ, ଭଡ଼ାରୁ କେବଳ ସେ ୩୧ କୋଟି ଟଙ୍କା ରୋଜଗାର କରୁଛନ୍ତି ।

ତାଙ୍କ କମ୍ପାନୀର ନାମ ହେଉଛି ରେଡସ୍କାଇ ହୋମ୍ସ ଗ୍ରୁପ୍(Redsky Homes Group) । ଏହି କମ୍ପାନୀ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ସହ ଜଡ଼ିତ । ଲଣ୍ଡନର ବିଭିନ୍ନ ସ୍ଥାନରେ ୩୦-୫୦ ଫ୍ଲାଟ ନିର୍ମାଣ କରି ସେଥିରୁ ଭଡ଼ା ଆଦାୟ କରନ୍ତି । ଏହି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେ ଏକ ସଫଳ ମଦ ବ୍ୟବସାୟ ଚଳାଇଥିଲେ । ମଦ ବ୍ୟବସାୟରେ ଥିଲେ ମଧ୍ୟ ସେ କେବେ ବି ପିଉ ନଥିଲେ । ତେବେ ମଦ ବ୍ୟବସାୟରୁ ଅନେକ ଲାଭ ମିଳିବା ପରେ ସେ ନୂଆ ବ୍ୟବସାୟ ଆରମ୍ଭ କରିଥିଲେ । ରିଅଲ୍ ଇଷ୍ଟେଟ୍ ଦୁନିଆରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ଫଳରେ ବର୍ତ୍ତମାନ ସେ ତାଙ୍କ ପୁଅ ସହିତ ଅଧିକରୁ ଅଧିକ ସମୟ ବିତାଇ ପାରୁଛନ୍ତି ।

ଆଜି କୋଟି କୋଟି ସମ୍ପତ୍ତିର ଅଧିକାରୀ ତେଜିନ୍ଦର୍‌ ସିଂ ଶେଖୋଙ୍କ ପିଲାଦିନ ଖୁବ୍‌ ଦୟନୀୟ ଥିଲା । ଖୁବ୍‌ କମ୍‌ ବୟସରୁ ସେ ନିଜ ବାପାଙ୍କୁ ହରାଇଥିଲେ । ପରିବାର ପ୍ରତିପୋଷଣ ପାଇଁ ତେଜିନ୍ଦରଙ୍କ ମା’ ନିଜର ୨ ଏକର ଜମିରେ ଚାଷ କରୁଥିଲେ । ସେତିକିରେ ଯେତିକି ମିଳୁଥିଲା ପରିବାର ଚଳୁଥିଲା । ତେଜିନ୍ଦର୍‌ ସ୍କୁଲରୁ ଆସିବା ପରେ ମା’କୁ କାମରେ ସାହାଯ୍ୟ କରୁଥିଲେ । ତାଙ୍କ ଭଉଣୀ ମଧ୍ୟ ସିଲେଇ କରି କିଛି ରୋଜଗାର କରୁଥିଲେ । ହେଲେ ସେତିକିରେ ପରିବାର ଚଳିବା ଭାରି କଷ୍ଟକର ହେଉଥିଲା ।

୧୯୯୭ରେ ସେ ଯୁକ୍ତ ଦୁଇ ପାସ୍‌ କରିଥିଲେ । ତା’ପରେ ଆର୍ମି ଚାକିରି ପାଇଁ ପରୀକ୍ଷା ଦେଇଥିଲେ । ହେଲେ ସଫଳ ନହେବାରୁ ଚାକିରି ଆଶାରେ ହଂକଂ ପଳାଇ ଯାଇଥିଲେ, ହେଲେ ସେଠାରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ୨୦୦୦ ମସିହାରେ ତାଙ୍କ ଭଉଣୀଙ୍କ ବିବାହ ଠିକ୍‌ ହୋଇଥିଲା ।  ଟଙ୍କା ନଥିବାରୁ ଦୁଇ ଏକର ଜମିକୁ ବିକ୍ରି କରିଦେଇଥିଲେ ତେଜିନ୍ଦରଙ୍କ ମା’ । କୌଣସି ପ୍ରକାରେ ବିବାହ ତ ହୋଇଗଲା, ହେଲେ ସର୍ବସ୍ୱାନ୍ତ ହୋଇଗଲା ତାଙ୍କ ପରିବାର । ଘରର ଅବସ୍ଥା ଦେଖି ୨୦୦୨ ରେ ସେ ଲଣ୍ଡନ୍‌ ପଳାଇଥିଲେ ।

ସେଠାରେ ସେ କଠିନ ପରିଶ୍ରମ କରିଥିଲେ । କେଉଁଠି ଘର କାମ ତ, କେଉଁଠି ବାସନ ମାଜିବା, ସେ ସବୁ କାମ କରୁଥିଲେ । ଏହି ସମୟ ଭିତରେ ସେ ଇଂରାଜୀ ଶିଖିବା ପାଇଁ ନାମ ଲେଖାଇଥିଲେ । ପରିଶ୍ରମ କରି କିଛି ଟଙ୍କା ସଞ୍ଚୟ କରିବା ପରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ମନସ୍ଥ କରିଥିଲେ । ବ୍ୟାଙ୍କରୁ ୩ ଲକ୍ଷ ଆଣି ଏକ ଭ୍ୟାନ୍‌ କିଣିଥିଲେ, ଆଉ ସେଥିରେ ମଦର ହୋମ୍‌ ଡେଲିଭରି କରୁଥିଲେ ।

୨୦୦୫ ମସିହାରେ ସେ ନିଜର ଏକ ଘର କିଣିଥିଲେ ଓ ରୁମ୍‌ମେଟ୍‌କୁ ନିଜ ଘରେ ରହିବା ପାଇଁ କହିଥିଲେ । ସାଙ୍ଗ ଦେଉଥିବା ଭଡ଼ା ଟଙ୍କାରେ ସେ ଧୀରେ ଧୀରେ ବ୍ୟାଙ୍କ୍‌ ଲୋନ୍‌ ଶୁଝିଦେଲେ । ତା’ପରେ ୨୦୧୫ରେ ରିୟଲ୍‌ ଇଷ୍ଟେଟ୍ ବ୍ୟବସାୟରେ ପାଦ ଥାପିଥିଲେ । ଲାଭ ହେବାରୁ ସେ ବାରମ୍ବାର ରିଅଲ ଇଷ୍ଟେଟରେ ଟଙ୍କା ବିନିଯୋଗ କରୁଥିଲେ । ନିକଟରେ ସେ ୨୦୨ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ପଞ୍ଜାବରେ ଥିବା ତାଙ୍କ ଗାଁ ନାମରେ ସେ ଏହି ପ୍ରକଳ୍ପର ନାମ ରଖିଛନ୍ତି 'ବରୁଣ୍ଡି କୋର୍ଟ' ।

୨୦୦୭ ମସିଆରେ ସୁଖଭୀର କୌର ସେଖୋନଙ୍କୁ ବିବାହ କରିଥିଲେ ତେଜିନ୍ଦର । ସେମାନଙ୍କର ଦୁଇଟି ପୁଅ ଅଛନ୍ତି । ସୁଖଭୀର କୌର ତାଙ୍କ କମ୍ପାନୀରେ ୫୦ ପ୍ରତିଶତ ଅଂଶୀଦାର ଅଟନ୍ତି । ୫୦୦୦ ବର୍ଗଫୁଟର ଏକ ଭିଲ୍ଲାରେ ପରିବାର ସେ ସେ ରହୁଛନ୍ତି । ମାଙ୍କ ସହିତ ସେ ପ୍ରାୟ ୪୭ ଟି ଦେଶ ଭ୍ରମଣ କରି ସାରିଛନ୍ତି ।