• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରଖେ ହରି ତ ମାରେ କିଏ ? ରାହୁଲ ଉଦ୍ଧାର ହେବା ପଛରେ ରହିଛି ବଡ ଠାକୁରଙ୍କ ଅପାର କରୁଣା । ଜଗନ୍ନାଥଙ୍କ ଭକ୍ତ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ୪ ଦିନ ୪ରାତି ଖାଇବା, ପିଇବା ଓ ଶୋଇବା ଭୁଲିଯାଇଥିଲେ । ଦିନ ରାତି ଏକ କରିଦେଇଥିଲେ କୁନି ପୁଅକୁ ନୂଆ ଜୀବନ ଦେବାକୁ ।  ସେ ହିଁ ଥିଲେ ଅପରେସନର ରିଅଲ୍ ହିରୋ ।

ଜଗନ୍ନାଥ ଓ ଜିଲ୍ଲାପାଳ ଜିତେନ୍ଦ୍ର

ରାହୁଲଙ୍କୁ ଉଦ୍ଧାର ବେଳେ ଜଗନ୍ନାଥଙ୍କ ନାଁ ନେଇଥିଲେ ଛତିଶଗଡ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା । ଗଣମାଧ୍ୟମ ଆଗକୁ ଆସି ପ୍ରଥମେ କହିଥିଲେ ଜୟ ଜଗନ୍ନାଥ ଓ ଜୟ ଓଡିଶା । ଏଥିରୁ ସମସ୍ତେ ଜାଣିପାରୁଥିବେ ଜଗନ୍ନାଥଙ୍କୁ କେତେ ବିଶ୍ୱାସ କରନ୍ତି ଜିତେନ୍ଦ୍ର ।  ରାହୁଲ ସାହୁ ଉଦ୍ଧାର ପଛର ରିଅଲ୍ ହିରୋ ହେଉଛନ୍ତି ଏହି ଆଇଏଏସ୍ ଅଫିସର୍ । ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା, ଜଗନ୍ନାଥ ନିଶ୍ଚୟ ରାହୁଲକୁ ଏ ବିପତ୍ତିରୁ ଉଦ୍ଧାର କରିବେ । ଆଉ ତାହା ହିଁ ହେଲା । ତାଙ୍କ ଅଞ୍ଚଳରେ ଥିବା ଶାବରୀ ନାରାୟଣ ମନ୍ଦିର ସହ ପୁରୀ ଶ୍ରୀମନ୍ଦିରର ସଂପର୍କ ରହିଛି ବୋଲି ଛତିଶଗଡରେ ଲୋକମାନେ ବିଶ୍ୱାସ କରନ୍ତି । ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ଏହିଠାରେ ଶବରୀ ଠାରୁ ଅଇଁଠା ଫଳ ଖାଇଥିଲେ ବୋଲି ଲୋକମାନେ ବିଶ୍ୱାସ କରନ୍ତି । ଜଗନ୍ନାଥ ଓ ରାମ ହେଉଛନ୍ତି ଅଭିନ୍ନ । ତେଣୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଦିନରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ମନ୍ଦିରରେ ମହାପ୍ରସାଦ ରନ୍ଧାଯାଇ ଭକ୍ତମାନଙ୍କୁ ଦିଆଯାଇଥାଏ । ତେଣୁ ଜିତେନ୍ଦ୍ରଙ୍କର ଜଗନ୍ନାଥଙ୍କ ଉପରେ ଅତୁଟ ବିଶ୍ୱାସ ରହିଛି ।

ଖବର ପାଇ ତୁରନ୍ତ ପହଞ୍ଚିଥିଲେ ଜିଲ୍ଲାପାଳ

ରାହୁଲ୍ ୮୦ ଫୁଟର ବୋରୱେଲରେ ଫସିଥିବା ଖବର ପାଇବା ପରେ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ ଜିତେନ୍ଦ୍ର । ୨୦୧୧ ମସିହାର ଏହି ଆଇଏଏସ ଅଫିସର ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାକୁ ଗୁରୁତର ସହ ନେଇଥିଲେ । ସରକାରଙ୍କୁ ଜଣାଇଥିଲେ । ପରେ ସେନାବାହିନୀ , ଏନଡିଆରଏଫ୍, ଏସଡିଆରଏଫ୍ ଓ ଅନ୍ୟ ସଂସ୍ଥା ସହ ଯୋଗାଯୋଗ ଆରମ୍ଭ କରିଦେଇଥିଲେ । କଟକସ୍ଥିତ ଏନଡିଆରଏଫ ଟିମ୍ ଠାରୁ ପଜିଟିଭ୍ ରେସପନ୍ସ ପାଇବା ପରେ ତାଙ୍କର ଆତ୍ମବଳ ବଢିଯାଇଥିଲା । ସେ ନିଜେ ସିଭିଲ୍ ଇଞ୍ଜିନିୟରିଂରେ ଗ୍ରାଜୁଏଟ୍ ହୋଇଥିବାରୁ ପ୍ଲାନିଂ କରିବାରେ ତାଙ୍କୁ ବିଶେଷ ଅସୁବିଧା ହୋଇନଥିଲା । ସେ ହିଁ ଘଟଣାସ୍ଥଳରେ ଥିଲେ ମୁଖ୍ୟ କୋଅର୍ଡିନେଟର ।

କୁଆଡେ ନଯାଇ ଶୋଉଥିଲେ ଗାଡିରେ

ଉଦ୍ଧାର ଦାୟିତ୍ୱକୁ ନିଜ ଉପରକୁ ନେଇଯାଇଥିଲେ ଆଇଏଏସ୍ ଜିତେନ୍ଦ୍ର । ଘଟଣାସ୍ଥଳରେ ପହଞ୍ଚିବା ପରଠାରୁ ସେଇଠି ହିଁ ଯୋଜନା କରିଥିଲେ । ସେ ସ୍ଥାନ ଛାଡି କୁଆଡେ ବି ଯାଇନଥିଲେ । ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷାକରି ସେ ହିଁ ନୀତିଗତ ନିଷ୍ପତ୍ତି ନେଉଥିଲେ । ଦିନ ରାତି ଏକ କରି ଦେଇଥିଲେ । ୪୫ ଡିଗ୍ରୀ ତାପମାତ୍ରାରେ ଧୁ ଧୁ ଖରାରେ ସେଇଠି ରହି କାମ କରୁଥିଲେ । ନିଜ ଗାଡିରେ ଅଳ୍ପ ସମୟ ଶୋଉଥିଲେ । ପୁଣି ସୁଡଙ୍ଗ ପାଖରେ ଯାଇ ଛିଡା ହେଉଥିଲେ । ୪ ଦିନ ୪ ରାତି ସେ ଖାଇବା ପିଇବା ଭୁଲି ଯାଇଥିଲେ । ସେହି ଅଞ୍ଚଳରେ ଖାଇବା, ପିଇବା ଓ ରହିବାର ବିଶେଷ ସୁବିଧା ନଥିଲା । ତଳିଆ ଅଫିସରମାନଙ୍କୁ ସୁବିଧା ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ ନେବାକୁ ସେ ପରାମର୍ଶ ଦେଉଥିଲେ । କିନ୍ତୁ ନିଜେ ସେ ଜାଗା ଛାଡି ଯାଉନଥିଲେ । ସେ ନିଜେ ଯାଉନଥିବାରୁ ତଳିଆ ଅଫିସରମାନେ ଅଳ୍ପ ସମୟ ପାଇଁ ଯାଇ ପୁଣି ଫେରି ଆସୁଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ, ପ୍ରଶାସନିକ ଅଧିକାରୀ ମାନେ ପୂରା ଆଲର୍ଟ ଥିଲେ । ସମସ୍ତେ ନିଜ ନିଜ କାମ କରୁଥିଲେ କିନ୍ତୁ ଜିଲ୍ଲାପାଳ ଜିତେନ୍ଦ୍ରଙ୍କୁ ରିପୋର୍ଟ କରୁଥିଲେ । ଗ୍ରାଉଣ୍ଡ ଜିରୋ ଛାଡୁନଥିଲେ ସେ ।

ଏକ୍ସଟ୍ରା ଅର୍ଡିନାରୀ ଅପରେସନ

ଜିତେନ୍ଦ୍ର ଓଟିଭିକୁ କହିଛନ୍ତି, ଅପରେସନ ରାହୁଲ ଏକ ଏକ୍ସଟ୍ରା ଅଡିନାରୀ ଅପରେସନ ଥିଲା । କାହିଁକି ନା ବାଳକ ଜଣକ ଦିବ୍ୟାଙ୍ଗ । ବୋରୱେଲ୍ ପାଖ ପଥର ଅତ୍ୟନ୍ତ କଠିନ ଥିଲା । ମାଟି ବି ଟାଣ ଥିଲା । କ୍ୟାମେରାରେ ଜଣାପଡିଥିଲା ଯେ, ଭିତରେ ସାପ ବେଙ୍ଗ ବି ଅଛନ୍ତି । ସବୁଠୁ ବଡ ଚ୍ୟାଲେଞ୍ଜ୍ ଥିଲା ଯେ, ହାତରେ ସମୟ ନଥିଲା । ଡେରି ହେଲେ ସବୁ କିଛି ବିଗିଡିଯିବାର ଭୟ ବି ଥିଲା । ଭୌଗୋଳିକ ଦୃଷ୍ଟିକୋଣରୁ ଅତ୍ୟନ୍ତ କଷ୍ଟକର ଥିଲା । ଏହି ଅଞ୍ଚଳ ନିପ୍ପଟ ମଫସଲ ଓ ବିଶେଷ କିଛି ସୁବିଧା ନଥିଲା । କିନ୍ତୁ ସବୁ ପ୍ରକାରର ପ୍ରତିକୂଳ ଅବସ୍ଥା ସତ୍ତ୍ୱେ ସ୍ଥାନୀୟ ଲୋକମାନଙ୍କ ସହଯୋଗ ହିଁ ଆଗକୁ ବଢିବାକୁ ପ୍ରେରଣା ଦେଇଥଲା । ସେନାବାହିନୀ, ଏନଡିଆରଏଫ ଓ ଏସଡିଆରଏଫର ମିଳିତ ଅପରେସନ୍ ସଫଳ ହୋଇଥିଲା । ସ୍ଥାନୀୟ ପୋଲିସ ମଧ୍ୟ ସେବା ଯୋଗାଇ ଦେଇଥିଲା ।

କିଏ ଏହି ଜିତେନ୍ଦ୍ର ଶୁକ୍ଲା ?

ଜିଲ୍ଲାପାଳ ଜିତେନ୍ଦ୍ର ଇଞ୍ଜିନିୟରିଂରେ ଜଣେ ସ୍ନାତକ । ସେ ୧୯୯୦ ମସିହାରେ ବିଳାସପୁର ସରକାରୀ ଇଞ୍ଜିନିୟରିଂ କଲେଜରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ କରିଛନ୍ତି । ଏହା ପରେ ସେ ଛତିଶଗଡ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୨୦୧୧ ମସିହାରେ ସେ ଆଇଏଏସ ଭାବେ ପଦୋନ୍ନତି ପାଇଥିଲେ । ସେ ରାୟପୁର ମହାନଗର ନିଗମର କମିଶନର ଥିଲେ । ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି । ସେ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ, ସମଗ୍ର ଶିକ୍ଷାର ପରିଚାଳନା ନିର୍ଦ୍ଦେଶକ, କ୍ରୀଡା ନିର୍ଦ୍ଦେଶକ ଓ ଅବକାରୀ ନିର୍ଦ୍ଦେଶକ ଭାବେ ପୂର୍ବରୁ କାମ କରିଛନ୍ତି । ତେବେ ଅପରେସନ ରାହୁଲ୍ ତାଙ୍କ ଜୀବନରେ ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି । ଏହି ସଫଳତା ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏବେ ସାରା ଦେଶ ଜିତେନ୍ଦ୍ର ଶୁକ୍ଲାଙ୍କ ପ୍ରଶଂସାରେ ଶତମୁଖ । ଆଧ୍ୟାତ୍ମିକ ଚିନ୍ତାଧାରା ସହ କର୍ମରେ ବିଶ୍ୱାସ ରଖୁଥିବା ଏଇ ଅଫିସର୍ ସତରେ ମହାନ୍ ।

ବ୍ୟୁରୋ ରିପୋର୍ଟ ଓଟିଭି