ଡାକ୍ତର ସ୍ୱପ୍ନ ପୂରଣ ହେବ; ଅନ୍ୟ ବିଶ୍ୱବିଦ୍ୟାଳୟରେ କୋର୍ସ ପୂରଣ କରିବେ ୟୁକ୍ରେନ ଫେରନ୍ତା ଛାତ୍ର

ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ପାଇଁ ଆସିଛି ଖୁସି ଖବର। ୟକ୍ରେନରେ ଭାରତର ପ୍ରାୟ ୨୦୦୦ରୁ ଅଧିକ ପିଲା ମେଡିକାଲ ପଢୁଥିଲେ। କୋର୍ସ ସାରିବା ପାଇଁ ଭାରତର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଦେଶର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ।

ukraine returned medical student

ରୁଷ-ୟୁକ୍ରେନ ମଧ୍ୟରେ ଦୀର୍ଘ ମାସ ଧରି ଚାଲିଥିବା ଯୁଦ୍ଧ ବନ୍ଦ ହେବାର କୌଣସି ସୂଚନା ମିଳିନାହିଁ। ଏପରି ପରିସ୍ଥିତିରେ ୟୁକ୍ରେନରେ ରହି ମେଡିକାଲ ପାଠ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ପାଠ ପଢା ଅଧାରୁ ଆସି ଘରେ ବସିଥିବା ପିଲାମାନେ କ’ଣ କରିବେ ସେ ରାସ୍ତା ନିର୍ଦ୍ଧାରଣ କରିପାରୁ ନାହାନ୍ତି । ଏ ନେଇ  ୟୁକ୍ରେନ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଅନ୍ୟପକ୍ଷେ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ପିଲାମାନେ ପାଠପଢା କେମିତି ପୂରଣ କରିବେ ସେ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏମିତି ସ୍ଥିତିରେ ଚିନ୍ତାରେ ଥିବା ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ପାଇଁ ଆସିଛି ଖୁସି ଖବର। ୟକ୍ରେନରେ ଭାରତର ପ୍ରାୟ ୨୦୦୦ରୁ ଅଧିକ ପିଲା ମେଡିକାଲ ପଢୁଥିଲେ। କୋର୍ସ ସାରିବା ପାଇଁ ଭାରତର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଜବେକିସ୍ଥାନ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ।

ଅଧିକ ପଢ଼ନ୍ତୁ: ମୋଦିଙ୍କୁ ୱାର ଜୋନ୍‌ରେ ସଂଘର୍ଷର କାହାଣୀ ବଖାଣିଲେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ

ଭାରତରେ ଅବସ୍ଥାପିତ ଉଜବେକିସ୍ଥାନର ରାଜଦୂତ ଦିଲଶୋଦ ଅଖାତୋବ ଗୁରୁବାର ହାଇଦ୍ରାବାଦ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି ସୂଚନା ଦେଇଛନ୍ତି। ଏହି ଅବସରରେ ସେ କିଛି ଛାତ୍ରଙ୍କୁ ଅସ୍ଥାୟୀ ପ୍ରବେଶ ପତ୍ର ମଧ୍ୟ ପ୍ରଦାନ କରିଥିଲେ। ଅଖାତୋବ କହିଥିଲେ, ୟୁକ୍ରେନରେ ଅଧ୍ୟୟନ କରୁଥିବା କିଛି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଜବେକିସ୍ଥାନରର ସଂସ୍ଥାନକୁ ସ୍ଥାନାନ୍ତର କରିବା ଘଟଣାର ଯାଞ୍ଚ କରିବା ପାଇଁ ଭାରତ ପକ୍ଷରୁ ଅନୁରୋଧ ଏବଂ ପ୍ରସ୍ତାବ ଆସିଥିଲା। ସେ ଆହୁରି କହିଥିଲେ, ଦେଶକୁ ଏକ ଅନ୍ତର୍ଜାତୀୟ ଶିକ୍ଷାକେନ୍ଦ୍ରରେ ପରିଣତ କରିବା ଉଜବେକିସ୍ଥାନ ଲକ୍ଷ୍ୟ ରଖିଛି । ତେଣୁ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଜ୍‌ବେକିସ୍ତାନ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯବା ନେଇ ଆମେ ଯୋଜନା କରୁଛୁ ବୋଲି ସେ କହିଥିଲେ।

ଅନ୍ୟପକ୍ଷେ ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନା ନେଇ କୌଣସି ସୂଚନା ମିଳିନି। ଅନ୍ୟପକ୍ଷେ ପୁଟିନ ପରମାଣୁ ଆକ୍ରମଣ ନେଇ ଧମକ ଦେଇଛନ୍ତି। ପୁଟିନ କହିଛନ୍ତି, ଆମ ଦେଶର ସାର୍ବଭୌମତ୍ୱ ଯେତେବେଳେ ବିପଦରେ ପଡିବ ସେତେବେଳେ ଏହାର ରକ୍ଷା ତଥା ଲୋକଙ୍କ ସୁରକ୍ଷା ପାଇଁ ଆମ ପାଖରେ ଉପଲବ୍ଧ ସବୁ ସାଧନର ଉପଯୋଗ ଆମେ କରିବୁ। ଯାହା ବି ହେଉ, ଏପରି ପରିସ୍ଥିତିରେ ଉଜବେକିସ୍ଥାନ ରାଜଦୂତଙ୍କର ଏପରି ସୂଚନା ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଙ୍କ ପାଇଁ  ଆଶ୍ୱାସନା ଆଣି ଦେଇଛି।