• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ ଦେଖେନା ଜାତି, ଧର୍ମ, ଧନୀ, ଗରିବ । ପ୍ରେମ ଖାଲି ଦେଇଜାଣ ଆଉ ଗଢ଼ିଜାଣେ । ଏହା ଏକ ନିସ୍ୱାର୍ଥପର ସମ୍ପର୍କ । ସମୟ କିମ୍ବା କୌଣସି ମାପକାଠି ପ୍ରେମକୁ ତଉଳି ପାରେନା । ଅନେକ ଟାହିଟାପରା, ସମାଜର ବାଧାବିଘ୍ନରୁ ମୁକୁଳି ଏମିତି ଏକ ନିଆରା ପ୍ରେମକାହାଣୀ ସଫଳ ହୋଇଛି । ଜଣେ ଏମବିବିଏସ୍ ମହିଳା ଡାକ୍ତର ସଫେଇ କର୍ମଚାରୀଙ୍କ ପ୍ରେମରେ ପଡ଼ି ବବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପାକିସ୍ତାନର ଏହି ନବଦମ୍ପତିଙ୍କ କାହାଣୀ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କଥା ହେଉଛି ସଫେଇ କର୍ମଚାରୀ ଶାହାଜାଦଙ୍କୁ ମହିଳା ଡାକ୍ତର କିଶ୍ୱର ସାହିବା ହିଁ ନିଜ ଆଡ଼ୁ ବିବାହ ପ୍ରସ୍ତାବ ଦେଇଥିଲେ ।

ନବଦମ୍ପତି ପାକିସ୍ତାନର ଓକରା ତହସିଲର ଦିପାଲପୁରର ବାସିନ୍ଦା । ଖୁବ୍‌ ନିଆରା ଢ଼ଙ୍ଗରେ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମକାହାଣୀ । କିଶ୍ୱର ଯେଉଁ ହସ୍ପିଟାଲରେ ଡାକ୍ତର ଭାବରେ କାମ କରୁଥିଲେ, ଶାହଜାଦ ସେହି ଡାକ୍ତରଖାନାରେ ଥିଲେ ଜଣେ ସାମାନ୍ୟ ସଫେଇ କର୍ମଚାରୀ । ଏହା ବ୍ୟତୀତ ସେ ଚା ’ମଧ୍ୟ ତିଆରି କରି ବିତରଣ କରୁଥିଲେ । ଉଭୟଙ୍କ ପ୍ରେମକାହାଣୀ ଯେ ଦିନେ ସଫଳ ହେବ ସେକଥା କେହି ଜାଣିନଥିଲେ । ଏବେ ଏହି ଦମ୍ପତି ବ୍ୟକ୍ତିଗତ ଜୀବନକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଦେଖାନ୍ତି । ତେବେ ବିବାହ ପରେ ୟୁଟ୍ୟୁବ୍ ଭିଡିଓରେ ଶାହାଜାଦ କହିଛନ୍ତି , ଏହା ମୋ ପାଇଁ ଏକ ସ୍ୱପ୍ନ ପରି । କେବେ ଭାବି ନଥିଲି ଏପରି ଅସମ୍ଭବ ମଧ୍ୟ ସମ୍ଭବ ହେବ ।

ଅନ୍ୟପଟେ ମହିଳା ଡାକ୍ତର ଜଣକ ମନର ମଣିଷକୁ ପାଇବା ପରେ ଖୁବ୍‌ ଖୁସି ଅଛନ୍ତି । ଶାହାଜାଦଙ୍କ ବ୍ୟକ୍ତିତ୍ୱ ମୋତେ ବହୁତ ପସନ୍ଦ ବୋଲି ସେ କହିଛନ୍ତି । ତାଙ୍କୁ ଦେଖିଲେ ସେ ଜଣେ ସଫେଇ କର୍ମଚାରୀ କିମ୍ବା ଚା’ ବାଲା ପରି ମନେ ହେଉନଥିଲେ । ସେ ନିଜ କାମ ଉପରେ ଅଧିକ ଧ୍ୟାନ ଦେଉଥିଲେ । ତାଙ୍କର ସରଳତା ଓ କାମ ପ୍ରତି ଭଲପାଇବା ମୋତେ ଅଧିକ ପ୍ରଭାବିତ କରିଥିଲା । ଆଉ ମୁଁ ମନେ ମନେ ଶାହଜାଦଙ୍କୁ ହୃଦୟ ଦେଇ ବସିଥିଲି ।

କାଳେ ଶାହାଜାଦ୍‌ ଆଉ କାହାକୁ ବିବାହ କରିନେବେ ସେ ନେଇ ବାପାମା’ଙ୍କ ନ ଜଣାଇ ମହିଳା ଡାକ୍ତର ଜଣକ ହିଁ ନିଜ ଆଡ଼ୁ ବିବାହ ପ୍ରସ୍ତାବ ଦେଇଥିଲେ । ଗୋଟିଏ ଦିନରେ ହିଁ ସେ ଜୀବନର ଏତେ ବଡ଼ ନିଷ୍ପତ୍ତି ନେଇଥିଲେ । ଆଉ ତା’ପରେ ଉଭୟେ ବର୍ତ୍ତମାନ ଖୁସିରେ ଜୀବନ କାଟୁଛନ୍ତି ।

ସେପଟେ ବିବାହ ପରେ କିଶ୍ୱର ଯେଉଁ ହସ୍ପିଟାଲରେ କାମ କରୁଥିଲେ ସେଠାରୁ ଚାକିରି ଛାଡ଼ି ଦେଇଛନ୍ତି । କାରଣ ତାଙ୍କ ବନ୍ଧୁମାନେ ତାଙ୍କୁ ସବୁବେଳେ ସମାଲୋଚନା କରୁଛନ୍ତି । ସ୍ୱାମୀଙ୍କ ସମ୍ପର୍କରେ ବିଭିନ୍ନ ଅପମାନଜନକ କଥା କହୁଛନ୍ତି । ତେଣୁ ସେ ଏବେ ନିଜର ଏକ କ୍ଲିନିକ୍‌ ଖୋଲି ଲୋକଙ୍କୁ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହି ଦମ୍ପତି ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଖୋଲିଛନ୍ତି, ଆଉ ସେଥିରେ ନିଜ ଦୈନନ୍ଦିନ ଜୀବନ ସମ୍ପର୍କୀୟ ଭିଡିଓ ପୋଷ୍ଟ କରୁଛନ୍ତି ।