• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜିକାଲି ଆମେ ସମସ୍ତେ ବିରିୟାନି ଖାଆନ୍ତି । ଖାସ୍‌ କରି ଯୁବପିଢିଙ୍କ ଭାରି ପସନ୍ଦ ବିରିୟାନି । ହେଲେ ଥରେ ଚିନ୍ତା କରନ୍ତୁ ତ...ବିରିୟାନି ଖାଇବା ବେଳକୁ ଯଦି ସେଥିରୁ ଅସରପା ବାହାରିଲା ତେବେ ସ୍ଥିତି କଣ ହେବ? ଠିକ୍‌ ଏମିତି ଏକ ଘଟଣା ଘଟିଛି ହାଇଦ୍ରାବାଦ୍‌ରେ । ଯାହାକୁ ନେଇ ଏବେ ଚର୍ଚ୍ଚା ।

ହାଇଦ୍ରାବାଦର ଅମୀରପେଟରେ ଥିବା ଏକ ରେସ୍ତୋରାଁରୁ ଜଣେ ଗ୍ରାହକ ବିରିୟାନି ଅର୍ଡର କରିଥିଲେ । ହେଲେ ଏହି ବିରିୟାନିରୁ ଅସରପା ବାହାରିଥିଲା । ଆଉ ଖାଇବାରୁ ଅସରପା ବାହାରିବା ପରେ ଗ୍ରାହକ ଜଣକ ବିରକ୍ତ ହେବା ସହିତ ଏମିତି ଖାଦ୍ୟକୁ ନେଇ ଅଭିଯୋଗ ବି କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲା ଖାଉଟି ବିବାଦ ନିବାରଣ କମିଶନ ସଂପୃକ୍ତ ରେସ୍ତୋରାଁକୁ ଗ୍ରାହକଙ୍କୁ କ୍ଷତିପୂରଣ ବାବଦରେ ୨୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ଚାଲିଛି ।

ସେପ୍ଟେମ୍ବର ୨୦୨୧ରେ ଏହି ଘଟଣା ଘଟିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି । ଏମ ଅରୁଣ ଅମୀରପେଟସ୍ଥିତ କ୍ୟାପଟେନ୍‌ କୁକ୍‌ ରେସ୍ତୋରାଁରୁ ଏକ ଚିକେନ୍‌ ବିରିୟାନି ପାର୍ଶଲ ମଗାଇଥିଲେ। ଅର୍ଡର ହେବା ପରେ ଘରେ ପହଞ୍ଚିଲା ବିରିୟାନି ପାର୍ସଲ । ହେଲେ ଅରୁଣ ଦେଖିଥିଲେ କି ପ୍ୟାକେଟ୍‌ରୁ ବାହାରୁଥିଲା ଅସରପା । ଏନେଇ ରେସ୍ତୋରାଁକୁ ସାଙ୍ଗେ ସାଙ୍ଗେ ଅବଗତ କରିଥିଲେ ସମ୍ପୃକ୍ତ ଗ୍ରାହକ ଜଣକ । ଆଉ ସତ ଜାଣିବା ପରେ ଅରୁଣଙ୍କୁ କ୍ଷମା ମାଗିଥିଲେ ରେସ୍ତୋରାଁ । ହେଲେ କ୍ଷମା ପ୍ରାର୍ଥନାରେ ଅସନ୍ତୁଷ୍ଟ ହେବା ସହିତ ଜିଲ୍ଲା ଖାଉଟି ଅଧିକାରୀଙ୍କ ନିକଟରେ ସେ ଅଭିଯୋଗ କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖାଉଟିଙ୍କୁ କ୍ଷମା ମାଗିଥିଲା ରେସ୍ତୋରାଁ । ହେଲେ ପରବର୍ତ୍ତୀ ସମୟରେ କୋର୍ଟରେ ଏହାକୁ ଅସ୍ୱୀକାର କରିବା ସହିତ ଖାଇବାରୁ ଅସରପା ବାହାରିବା ଅସମ୍ଭବ ବୋଲି ଯୁକ୍ତି କରିଥିଲା । ହେଲେ ଅରୁଣ କମିଶନଙ୍କ ଶୁଣାଣି ବେଳେ ଭିଡିଓ ଦେଖାଇବା ସହିତ ସତ ସାମ୍ନାକୁ ଆଣିଥିଲେ । ପରେ କମିଶନ ୨୦ ହଜାର ଜୋରିମାନା ଦେବା ସହିତ ଶୁଣାଣି ପାଇଁ ଖର୍ଚ୍ଚ ହୋଇଥିବା ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ତାହା ପୁଣି ୪୫ ଦିନ ମଧ୍ୟରେ ।