• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଆଇନ୍‌ ଭାବରେ ଜଣେ ଯୁବକଙ୍କୁ ଅଧା ଘଣ୍ଟା ଲକ୍‌ଅପ୍‌ରେ ରଖିବା ପୋଲିସ୍‌କୁ ପଡ଼ିଲା ମହଙ୍ଗା । ସଂପୃକ୍ତ ବ୍ୟକ୍ତିଙ୍କୁ ୫୦,୦୦୦ କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ବିନା ଦୋଷରେ ଅଧ ଘଣ୍ଟା କୌଣସି ଲୋକଙ୍କୁ ଅଟକ ରଖିବା ଅତ୍ୟାଚାର ସଦୃଶ । କୌଣସି କାରଣ ନଥାଇ ପୀଡିତଙ୍କୁ ଆଣି ଲକ୍‌ଅପ୍‌ରେ ରଖିଥିବା ଯୋଗୁଁ ବଦରପୁର ଥାନାର ଦୁଇ ସବ-ଇନ୍ସପେକ୍ଟରଙ୍କ ଦରମାରୁ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ।

ଜଷ୍ଟିସ୍ ପ୍ରସାଦ କହିଛନ୍ତି, ଏପରି ଦଣ୍ଡ ଦେବାର ଉଦ୍ଦେଶ୍ୟ ଅଧିକାରୀମାନଙ୍କୁ ଏକ ଅର୍ଥପୂର୍ଣ୍ଣ ବାର୍ତ୍ତା ଦେବା, କାରଣ ଆଇନ୍‌ର ହାତ ଲମ୍ବା ହୋଇପାରେ କିନ୍ତୁ ପୋଲିସ୍ ଅଧିକାରୀମାନେ ଇଚ୍ଛା ମୁତାବକ ଆଇନ ଗଢ଼ିପାରିବେ ନାହିଁ । ପୋଲିସ୍‌ ଅଧିକାରୀଙ୍କ ମନମୁଖୀ ଶାସନ ପାଇଁ କୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ପୀଡିତ । ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ଦିଲ୍ଲୀ ପୋଲିସ ଦ୍ୱାରା ବେଆଇନ ଭାବରେ ଅଧଘଣ୍ଟା ହାଜତରେ ରହିଥିଲେ।

ପୀଡିତଙ୍କୁ ଲକଅପରେ ଭର୍ତ୍ତି କରିବା ଉତ୍ପୀଡ଼ନ ବୋଲି କହିଛନ୍ତି କୋର୍ଟ । ଆଇନଗତ ପ୍ରକ୍ରିୟା ଅନୁସରଣ ନକରି ପୀଡିତାଙ୍କୁ ଲକଅପରେ ରଖିଥିବା ପୋଲିସ୍ ଅଧିକାରୀ ଦୋଷମୁକ୍ତ ହୋଇପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀଙ୍କୁ କେବଳ ଚେତାବନୀ ଦେଇ ଛାଡ଼ିଦେବା ଠିକ୍‌ ହେବ ନାହିଁ । ଭବିଷ୍ୟତରେ ଏପରି କାର୍ଯ୍ୟର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ସେମାନଙ୍କୁ ଦଣ୍ଡବିଧାନ କରିବା ଜରୁରୀ ଥିଲା ।

ଜଷ୍ଟିସ ପ୍ରସାଦ କହିଛନ୍ତି , ଆଶ୍ଚର୍ଯ୍ୟର ବିଷୟ ଆବେଦନକାରୀଙ୍କୁ ଗିରଫ କରାଯାଇ ନାହିଁ । ତାଙ୍କୁ କେବଳ ଘଟଣାସ୍ଥଳରୁ ଉଠାଇ ପୋଲିସ ଷ୍ଟେସନକୁ ଅଣାଯାଇଥିଲା । ଆଉ ବିନା କାରଣରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଲକଅପରେ ରଖାଯାଇଥିଲା । ଜଣେ ନାଗରିକଙ୍କ ସାମ୍ବିଧାନିକ ତଥା ମୌଳିକ ଅଧିକାରକୁ ଉଲ୍ଲଂଘନ କରି ପୋଲିସ୍ କର୍ମଚାରୀମାନେ ଯେଉଁଭଳି ଭାବରେ ମନଇଚ୍ଛା କାର୍ଯ୍ୟ କରିଛନ୍ତି, ତାହା ଭୟାବହ ଅଟେ । ପୋଲିସ ଆଇନ୍‌ର ଉର୍ଦ୍ଧ୍ୱକୁ ଉଠି କୌଣସି ବି ଲୋକଙ୍କ ସହ ଏତାଦୃଶ ବ୍ୟବହାର କରିପାରିବ ନାହିଁ ।

ପୂରା ମାମଲା କ’ଣ ?

ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀର ବଦରପୁର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ହୋଇଥିଲା । ମହିଳାଙ୍କୁ ଜଣେ ପରିବା ଦୋକାନୀ ଛୁରାମାଡ଼ କରିଥିବା କୁହାଯାଇଥିଲା । ଅଭିଯୋଗ ଅନୁସାରେ ସବ୍ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ସେ ଜଣେ ମହିଳା ଏବଂ ଆବେଦନକାରୀଙ୍କୁ ଦେଖିବାକୁ ପାଇଥିଲେ । ପୀଡିତ ଜଣକ ଛୁରାମାଡ଼ ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ । ଏହାପରେ ଆବେଦନକାରୀଙ୍କୁ ହିଁ ପୋଲିସ ସାଙ୍ଗରେ ଥାନାକୁ ନେଇ ଯାଇଥିଲା । ରାତି ୧୧ଟାରେ ବିନା କାରଣରେ ତାଙ୍କୁ ଲକ୍‌ଅପରେ ରଖିବା ପରେ ଅଧା ଘଣ୍ଟା ପରେ ଛାଡ଼ି ଦେଇଥିଲା । ଏହି ଘଟଣାକୁ ନେଇ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।