• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରେନ ଉପରେ ଚଢ଼ିଥିବା ଯୁବକ ଜୀବନ୍ତ ଦଗ୍ଧ । ମାଙ୍କଡ଼ ନେଇଯାଇଥିବା ଚପଲ ଆଣିବାକୁ ଯାଇ ଚାଲିଗଲା ଜୀବନ । ଯୁବକ ଜଣକ ଟ୍ରେନ୍‌ ଉପରେ ଦୀର୍ଘ ସମୟ ଧରି ବଗି ଉପରେ ଜଳୁଥିବା ଦେଖିବାକୁ ମିଳିଛି । କାସଗଞ୍ଜ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ଏଭଳି ଭୟଙ୍କର ଦୃଶ୍ୟ ଦେଖିବା ପାଇଁ ମିଳିଛି । ତାଙ୍କୁ ଜଳୁଥିବା ଦେଖି ଓଏଚଇ ଲାଇନ ବନ୍ଦ କରିଦିଆଗଲା । ଆଉ ତା’ପରେ ନିଆଁ ଲିଭାଇ ମୃତଦେହକୁ ତଳକୁ ଅଣାଯାଇଥିଲା । ଏହାର ଭୟଙ୍କର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

କାସଗଞ୍ଜରୁ ଫରୁଖାବାଦ ଅଭିମୁଖେ ଯାଉଥିବା ଏକ୍ସପ୍ରେସ ଟ୍ରେନ୍ ପ୍ଲାଟଫର୍ମ ନମ୍ବର -୨ରେ ଛିଡା ହୋଇଥିଲା । ଏହି ସମୟରେ ଜଣେ ମହିଳା ଯାତ୍ରୀଙ୍କ ଚପଲ ନେଇ ଏକ ବଦମାସ୍‌ ମାଙ୍କଡ଼ ଟ୍ରେନ୍‌ ଉପରକୁ ଚଢ଼ିଯାଇଥିଲା । ଏହାଦେଖି ଲୋକମାନେ ପାଟି କରିଥିଲେ ଓ ମାଙ୍କଡ଼ଟି ବଗି ଉପରେ ଚପଲ୍‌ ଛାଡ଼ି ଚାଲି ଯାଇଥିଲା । ଆଉ ଏହି ସମୟରେ ରେଳ ଷ୍ଟେସନରେ କାମ କରୁଥିବା ଭେଣ୍ଡର ଅଶୋକ ସାହାଯ୍ୟ କରିବାକୁ ଯାଇ ଟ୍ରେନ୍‌ ଉପରକୁ ଚଢ଼ିଥିଲେ । ହେଲେ ସାମାନ୍ୟ ଅସାବଧାନତା ଯୋଗୁଁ OHE ଲାଇନ୍‌ ସଂସ୍ପର୍ଶରେ ଆସିଯାଇଥିଲେ ।

ହାଇଭୋଲଟେଜ କରେଣ୍ଟ୍‌ ଲାଗି ତାଙ୍କ ଶରୀର ଟ୍ରେନ୍‌ ଉପରେ ହୁ ହୁ ହୋଇ ଜଳିଲା । ବଗି ଉପରେ ଯୁବକଙ୍କୁ ଜୀବନ୍ତ ଜଳୁଥିବା ଦେଖି ଉପସ୍ଥିତ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଯୁବକ ଜଣକ ପ୍ରାୟ ୧୫ ମିନିଟ୍ ସେହିପରି ଜଳିବା ପରେ OHE କରେଣ୍ଟ୍ ବନ୍ଦ କରାଯାଇଥିଲା । ଆଉ ନିଆଁ ଲିଭାଇ ଯୁବକଙ୍କ ଜଳିଯାଇଥିବା ଶରୀରକୁ ଓହ୍ଲାଇ ଦିଆଯାଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଯୁବକ ଜଣକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ, ହେଲେ କରେଣ୍ଟରୁ ମୁକୁଳି ପାରିନଥିଲେ । ରେଳ ଅଧିକାରୀମାନେ ବିଦ୍ୟୁତ ଯୋଗାଣ ବନ୍ଦ କରିବା ପରେ ଅଗ୍ନି ନିର୍ବାପକ ଉପକରଣ ସହିତ ନିଆଁକୁ ଆୟତ୍ତ କରିଥିଲେ, ତା’ପରେ ତଳକୁ ଅଣାଯାଇଥିଲା ମୃତଦେହ । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ୍ୟୁର ସୂଚନା ପାଇବା ପରେ ସମ୍ପର୍କୀୟମାନେ ରେଳ ଷ୍ଟେସନରେ ପହଞ୍ଚିଥିଲେ । ଏହି ଘଟଣା ପରେ ଷ୍ଟେସନ ଅଞ୍ଚଳ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ।