Advertisment

ଡେୟାର ଗେମ୍‌ ଖେଳୁ ଖେଳୁ ଜୀବନ ଚାଲିଗଲା, ୧୦ ମିନିଟ୍‌ରେ ପିଇଲେ ଅଧ ଲିଟର ମଦ...

ମହଙ୍ଗା ପଡ଼ିଲା ବାହାଦୁରୀ ମାରି ସାଙ୍ଗମାନଙ୍କୁ ଚ୍ୟାଲେଞ୍ଜ କରିବା। ୧୦ ମିନିଟ୍‌ରେ ୩ କ୍ୱାର୍ଟର ଦେଶୀ ମଦ ପିଇ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP Man Dies By Drinks Alcohol

Man accepts dare to drink above 500ml liquor in 10 minutes, dies

ମହଙ୍ଗା ପଡ଼ିଲା ବାହାଦୁରୀ ମାରି ସାଙ୍ଗମାନଙ୍କୁ ଚ୍ୟାଲେଞ୍ଜ କରିବା। ୧୦ ମିନିଟ୍‌ରେ ୩ କ୍ୱାର୍ଟର(୧ କ୍ୱାର୍ଟର ୧୮୦ ମିଲିମିଟର ସହ ସମାନ) ଦେଶୀ ମଦ ପିଇ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି। ଅତ୍ୟଧିକ ମଦ୍ୟପାନ ଯୋଗୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ଜୟ ସିଂ। ଏହି ଘଟଣାରେ ପୋଲିସ୍‌ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଯିଏକି ଜୟଙ୍କ ୨ ସାଙ୍ଗ ହୋଇଥିବା ବେଳେ ସେମାନେ ମଦ ପିଇବା ପାଇଁ ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ। 

Advertisment

ସୂଚନା ଅନୁସାରେ, ଅଚେତ ଅବସ୍ଥାରେ ଇ-ରିକ୍ସା ଚାଳକ ଜୟ ସିଂଙ୍କୁ ଉତ୍ତରପ୍ରଦେଶର ଶିଳ୍ପଗ୍ରାମ ନିକଟ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ଗତ ମଙ୍ଗଳବାର ଦିନ ଜୟଙ୍କ ୨ ସାଙ୍ଗ ଭୋଳା ଓ କେଶବଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଥିଲା।

ଜେରା ବେଳେ ଅଭିଯୁକ୍ତ କହିଥିଲେ, ସେମାନେ ଗତ ଫେବୃଆରୀ ୮ରେ ଶିଳ୍ପଗ୍ରାମ ପାର୍କିଂ ଏରିଆରେ ଏକାଠି ହୋଇଥିଲେ ଓ ଏହାପରେ ସମସ୍ତ ମିଶି ଏକାଠି ମଦ ପିଇଥିଲେ। ଜୟଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ‘୧୦ ବର୍ଷରୁ ଅଧିକ ଦିନ ହେବ ମୋ ଭାଇଙ୍କ ସହ ଭୋଳା ଓ କେଶବଙ୍କ ବନ୍ଧୁତା। ମଦ ପିଇବା ପରେ ମୋ ଭାଇଙ୍କ ଅବସ୍ଥା ଖରାପ ହୋଇଯିବା କଥା ସେମାନେ ଆମକୁ ଜଣାଇ ନଥିଲେ। ସେମାନେ ସେମିତି ରାସ୍ତାକଡ଼ରେ ମୋ ଭାଇକୁ ମରିବା ପାଇଁ ଛାଡ଼ି ଦେଇଥିଲେ ଓ ତାଙ୍କ ନିକଟରୁ ୬୦ ହଜାର ଟଙ୍କା ନେଇ ଯାଇଥିଲେ।’

Advertisment

‘ମୋ ଭାଇର ମୃତ୍ୟୁ ପରେ ସେମାନେ ଘରକୁ ଆସିଥିଲେ ଓ ପୋଲିସ୍‌ରେ ଅଭିଯୋଗ ନକରିବା ପାଇଁ ଚାପ ପକାଇ ଥିଲେ। ଶେଷରେ ଘଟଣାର ୪ ଦିନ ପରେ ଅର୍ଥାତ୍‌ ଡିସେମ୍ବର ୧୨ରେ ଆମେ ପୋଲିସ୍‌ରେ ଅଭିଯୋଗ କରିଥିଲୁ’ ବୋଲି ଜୟଙ୍କ ଭାଇ କହିଛନ୍ତି। ଅନ୍ୟପକ୍ଷେ, ପୋଲିସ୍‌ ଭୋଳା ଓ କେଶବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଚଳାଇଛି। 

Alcohol
Advertisment
Advertisment