/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704724521.jpg)
Narendra Modi
ବିଦେଶ ମନ୍ତ୍ରଣାଳୟରେ ମାଲଡିଭସ ହାଇକମିଶନର ଇବ୍ରାହିମ୍ ସହିବ୍ । ସମନ ପାଇ ଭିତରକୁ ଯିବାର ମାତ୍ର ୪ ମିନିଟ୍ ମଧ୍ୟରେ ବାହାରି ଯାଇଥିଲେ ସହିବ୍। ଆଉ ଏଇ କେଇ ମିନିଟ୍ ଭିତରେ ଭାରତ ତରଫରୁ ତାଙ୍କୁ କଡା ଭାଷାରେ ଶୁଣାଇ ଦିଆଯାଇଛି, ନୂଆଦିଲ୍ଲୀ କଣ ଚାହେଁ ।
ତାଙ୍କୁ କୁହାଯାଇଥିଲା, ମାଲଡିଭସ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଖରାପ କରିସାରିଥିବାରୁ ଏହାକୁ ସୁଧାରିବା ଦାୟିତ୍ୱ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କର । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନସୂଚନ ମନ୍ତବ୍ୟ ଦେଇଥିବା ୩ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ଏଇ ୩ ମନ୍ତ୍ରୀ ମାରିୟମ ସୁଇନା, ମାଲଶା ଶରିଫ ଓ ମହଜୁମ ମାଜିଦଙ୍କୁ ମାଲଡିଭସ ସରକାର ସସପେଣ୍ଡ କରିଥିଲେ ହେଁ ଏଥିରେ ନୂଆଦିଲ୍ଲୀ ସନ୍ତୁଷ୍ଟ ନୁହେଁ ବୋଲି ସଫା ସଫା ଶୁଣାଇ ଦିଆଯାଇଛି ।
୩ ମନ୍ତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ମହିଳା ଓ ସେମାନେ ରାଷ୍ଟ୍ରପତି ମୁଇଜୁଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଭାରତ ବିରୋଧୀ ଭାବେ ପରିଚିତ ମୁଇଜୁ ରାଷ୍ଟ୍ରପତି ହେବା ପରେ ନୂଆଦିଲ୍ଲୀ ସହ ମାଲଡିଭସର ସମ୍ପର୍କ ନିମ୍ନଗାମୀ ହୋଇଥିଲା । ଆଉ ଏହି ଘଟଣା ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଆହୁରି ଅବନତି ଘଟିଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ପ୍ରସଙ୍ଗରେ ଭାରତ ସରକାର କଡା ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ ବିଭିନ୍ନ ଟୁର୍ ଅପରେଟର ନିଜର ମାଲଡିଭସ ଟୁରକୁ ରଦ୍ଦ କରିଛନ୍ତି। ଏପରିକି ଭାରତରୁ ମାଲଡିଭ୍ସ ପାଇଁ ହୋଇଥିବା ସମସ୍ତ ବୁକିଂକୁ ରଦ୍ଦ କରିଛି ଜଣାଶୁଣା ଟୁର୍ ଅପରେଟର ଇଜ୍ ମାଇ ଟ୍ରିପ୍।
ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷାଦ୍ୱୀପ ଗସ୍ତରୁ ଫେରିବା ପରେ ନିଜ ସୋସିଆଲ୍ ମିଡିଆ ପେଜରେ ସେଠାକାର ଭିଡିଓ ଓ ଫଟୋ ଅପଲୋଡ୍ କରିଥିଲେ । ଏଥିସହ ସୌନ୍ଦର୍ଯ୍ୟର ଗନ୍ତାଘର ଏହି କ୍ଷୁଦ୍ର ଦ୍ୱୀପ ଭ୍ରମଣ ଲାଗି ପର୍ଯ୍ୟଟକଙ୍କୁ ଅପିଲ୍ କରିଥିଲେ । ଏହା ଭାଇରାଲ୍ ହେବା ପରେ ମାଲଡିଭସର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ଆଶଙ୍କାରେ ସେଠାକାର ମନ୍ତ୍ରୀ, ନେତାମାନେ ଭାରତ ଓ ମୋଦି ବିରୋଧୀ ମନ୍ତବ୍ୟ ଦେଇଥିଲେ।
ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମାଲଡିଭସର ବିରୋଧୀ ଦଳ ମଧ୍ୟ ଏନେଇ ନିଜ ଦେଶର ସରକାରକୁ ଜୋରଦାର ସମାଲୋଚନା କରିଥିଲା । ତେଣେ ସିନେ ଷ୍ଟାରଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଦିଆଯାଇଥିବା ମନ୍ତବ୍ୟକୁ ସମାଲୋଚନା କରିବା ସହ ମାଲଡିଭସ ବଦଳରେ ଭାରତର ଆକର୍ଷଣୀୟ ସ୍ଥାନରେ ଛୁଟି କାଟିବାକୁ ଅପିଲ୍ କରିଛନ୍ତି। ସୂଚନା ଅନୁସାରେ, ପ୍ରତିବର୍ଷ ଭାରତରୁ ପ୍ରାୟ ୩ ଲକ୍ଷ ପର୍ଯ୍ୟଟକ ମାଲଡିଭସ ବୁଲିବାକୁ ଯାଇଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)