• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫରିଦାବାଦ : ସାହାଯ୍ୟ କରିବାକୁ ଟଙ୍କା କି ବଳ ଲୋଡ଼ାନାହିଁ । କେବଳ ଇଚ୍ଛାଶକ୍ତି ଓ ଦରଦୀ ହୃଦୟ ଥିବା ଆବଶ୍ୟକ । ଆଉ ଏହାର ବଡ଼ ଉଦାହରଣ ହେଲେ ଫରିଦାବାଦର ବାସିନ୍ଦା ରିତୁ ସିଂ । ସେ କୌଣସି ବଡ଼ ବ୍ୟବସାୟୀ ନୁହଁନ୍ତି, ନା ତାଙ୍କ ପାଖରେ ଅଛି ପୁଳା ପୁଳା ଟଙ୍କା । ତଥାପି ହୃଦୟ ବଡ଼ କରି ସେ ଗରିବଙ୍କ ମୁହଁରେ ହସ ଫୁଟାଉଛନ୍ତି । ବୁଟିକର ବଳକା କପଡ଼ାରେ ପୋଷାକ ତିଆରି କରି ଗରିବଗୁରୁବାଙ୍କୁ ପଠାଉଛନ୍ତି । ଏହାସହ ଅଭାବୀ ପିଲାଙ୍କ ପାଇଁ ବ୍ୟାଗ , ଡ୍ରେସ୍ ତଥା ଅନେକ ଆବଶ୍ୟକୀୟ ସାମଗ୍ରୀ ତିଆରି କରୁଛନ୍ତି । କେବଳ ଫରିଦାବାଦରେ ନୁହେଁ ସାରା ଦେଶର ଗରିବ ଲୋକଙ୍କୁ ଏପରି ସାହାଯ୍ୟ କରୁଛନ୍ତି ।

୪୪ ବର୍ଷୀୟ ରିତୁ ଏମବିଏ କରିବା ପରେ କିଛି ବର୍ଷ ପାଇଁ ଫ୍ୟାଶନ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ପିଲାଟି ଦିନରୁ ସାମାଜିକ କାର୍ଯ୍ୟ ପ୍ରତି ତାଙ୍କର ଆଗ୍ରହ ଥିଲା । ସେ ଦୀର୍ଘ ବର୍ଷ ଧରି ସାମାଜିକ ସେବା ସହ ଜଡ଼ିତ କାମ କରିଆସୁଛନ୍ତି । ତେବେ ୪ ବର୍ଷ ଧରି ଏପରି ମହତ୍ କାମ କରିଆସୁଛନ୍ତି ରିତୁ । ସେ ପ୍ରତିଦିନ ନିଜ ଝିଅକୁ ବସଷ୍ଟାଣ୍ଡ ଛାଡ଼ିବାକୁ ଯାଆନ୍ତି । ଆଉ ବସଷ୍ଟାଣ୍ଡ୍ ନିକଟରେ ଥିଲା ଏକ ଟେଲର୍ ଦୋକାନ୍ । ପ୍ରାୟ ସବୁଦିନ ବଳକା କପଡ଼ା ଗୁଡ଼ିକ ଟେଲର୍ ଫୋପାଡ଼ି ଦେଉଥିବା ଦେଖିବାକୁ ମିଳୁଥିଲା । ଏତେ କପଡ଼ା ନଷ୍ଟ ହେଉଥିବା ଦେଖି ତାଙ୍କ ମନରେ ଭାବାନ୍ତର ହେଲା । ଆଉ ତା’ପର ଦିନ ଟେଲର ସହ କଥା ହୋଇ ବଳକା କପଡ଼ାକୁ ନେଇଆସିଲେ ରିତୁ ।

ଆଉ ତା’ପରେ ଆରମ୍ଭ ହେଲା ସାଧନା । ବଳକା କପଡ଼ାରେ ପୋଷାକ ତିଆରି କରି ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କଲେ ରିତୁ । ପ୍ରଥମେ ସେ ଟେଲର ଓ ବୁଟିକରୁ ବଳକା ପୋଷାକ ଯୋଗାଡ଼ କରୁଥିଲେ, ଆଉ ସେଥିରେ ପୋଷାକ ତିଆରି କରୁଥିଲେ । ତାଙ୍କର ଏହି ନିଆରା ପ୍ରୟାସ କଥା ଜାଣିବା ପରେ ତାଙ୍କର ସାହାଯ୍ୟ ମନୋବୃତ୍ତି ଦେଖି ଅନେକ ଲୋକ ତାଙ୍କ ସହ ସାମିଲ ହେଲେ । ଏହାସହ ଦେଶର ବିଭିନ୍ନ ଆଡ଼ୁ ତାଙ୍କ ପାଖକୁ କପଡ଼ା ଆସିବା ଆରମ୍ଭ ହେଲା । ବର୍ତ୍ତମାନ ରିତୁ କିଛି ମହିଳାଙ୍କ ସହାୟତାରେ ବସ୍ତି, ଅନାଥ ଆଶ୍ରମ ପିଲା ଓ ବୁଢ଼ାବୁଢ଼ୀଙ୍କ ପାଇଁ ଅନେକ ଜିନିଷ ତିଆରି କରୁଛନ୍ତି ।

ଆଉ ଆଜି ସେ ନିଜସ୍ୱ ଉଦ୍ୟମରେ ଦେଶର ଅନେକ ଗରିବ ଲୋକଙ୍କୁ ବଳକା କପଡ଼ାରେ ତିଆରି ହୋଇଥିବା ପୋଷାକ ଯୋଗାଉଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରିତୁଙ୍କର କୌଣସି ଏନଜିଓ ନାହିଁ କିମ୍ବା ସେ କୌଣସି ସଂସ୍ଥା ସହିତ ଜଡିତ ନୁହଁନ୍ତି । ସେ ନିଜେ ଏହି ସବୁ କାମ କରନ୍ତି, ଯାହା ର ନାମ ' ନୟି ସୋଚ୍' ରଖିଛନ୍ତି ରିତୁ ।