Advertisment

ଅମାପ ସଂପତ୍ତି ଜନିତ ବିବାଦ ହିଁ କାଳ ସାଜିଲା କି ମହନ୍ତଙ୍କ ପାଇଁ?

ପ୍ରୟାଗରାଜ ବାଗମ୍ବରୀ ମଠ ପରିସରରେ ଭୂ-ସମାଧିସ୍ଥ ହେଲେ ୭୨ ବର୍ଷୀୟ ସନ୍ଥ ନରେନ୍ଦ୍ର ଗିରି । ସେପଟେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଏହି ଦିବଂଗତ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି ୟୁପି ପୋଲିସ

author-image
Sarbeswar
Mahant Narendra Giri

Mahant Narendra Giri

ଲକ୍ଷ୍ନୌ: ପ୍ରୟାଗରାଜ ବାଗମ୍ବରୀ ମଠ ପରିସରରେ ଭୂ-ସମାଧିସ୍ଥ ହେଲେ ୭୨ ବର୍ଷୀୟ ସନ୍ଥ ନରେନ୍ଦ୍ର ଗିରି । ସେପଟେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଏହି ଦିବଂଗତ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି ୟୁପି ପୋଲିସ। ସ୍ୱରୂପ ରାଣୀ ନେହରୁ ହସ୍ପିଟାଲରେ ୫ ଜଣିଆ ଡାକ୍ତରୀ ଟିମ ଦୀର୍ଘ ୨ ଘଣ୍ଟାର ବ୍ୟବଚ୍ଛେଦ ପରେ ଫାଶୀରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟ ଦେଇଥିଲେ ବି, ସସ୍ପେନ୍ସ ଥମୁନି। ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟରୁ ସାନ ମହନ୍ତ ଆନନ୍ଦ ଗିରି ସନ୍ଦେହ ଘେରକୁ ଆସିଥିବା ବେଳେ, ତାଙ୍କୁ ଗିରଫ କରି ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେପଟେ ତାଙ୍କ ବିଳାସପୂର୍ଣ୍ଣ ଜୀବନକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି।

Advertisment

ଅଗଣିତ ରହସ୍ୟ, ଅସଂଖ୍ୟ ଅସମାହିତ ପ୍ରଶ୍ନକୁ ପଛରେ ଛାଡ଼ି, ଶେଷଯାତ୍ରାରେ ହିନ୍ଦୁତ୍ୱର ଅନ୍ୟତମ ପୁରୋଧା। ମହନ୍ତ ନରେନ୍ଦ୍ର ଗିରିଙ୍କ ପାର୍ଥିବ ଶରୀରକୁ ବ୍ୟବଚ୍ଛେଦ ପରେ ସୁସଜ୍ଜିତ ସ୍ୱର୍ଗରଥରେ ସାଧୁ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସଂଗମକୁ ନେଇ ଅନ୍ତିମ ସ୍ନାନ କରାଯାଇଥିଲା। ସେଠାରୁ ହନୁମାନ ମନ୍ଦିର ଦେଇ ଅଣାଯାଇଥିଲା। ବାଗମ୍ବରୀ ମଠକୁ ନରେନ୍ଦ୍ରଙ୍କ ଶେଷଇଚ୍ଛା ଅନୁସାରେ, ମଠ ପରିସରରେ ଥିବା ଏକ ଲେମ୍ବୁ ଗଛ ତଳେ ତାଙ୍କୁ ବସିଥିବା ଅବସ୍ଥାରେ ଭୂସମାଧି ଦେଇଥିଲେ ଶିଷ୍ୟ ତଥା ଉତ୍ତରାଧିକାରୀ ବଲବୀର ଗିରି।

Advertisment

ଉତ୍ତରପ୍ରଦେଶ ପ୍ରୟାଗରାଜର ୩ଶହ ବର୍ଷ ପୁରୁଣା ବାଗମ୍ବରୀ ମଠର ମଠାଧିଶ ତଥା ୯ଶହ ବର୍ଷ ପୁରୁଣା ନିରଞ୍ଜନୀ ଆଖଡ଼ାର ମହନ୍ତ ନରେନ୍ଦ୍ର ଗିରି । ସେ ଥିଲେ ହିନ୍ଦୁ ସାଧୁସନ୍ଥଙ୍କ ସର୍ବବୃହତ୍ ସଂଘ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ। କୁହାଯାଉଛି, ତାଙ୍କ ହାତରେ ଥିଲା ପ୍ରାୟ ୩ହଜାର କୋଟି ଟଙ୍କାର ସଂପତ୍ତି। ତେବେ ଏହି ଅମାପ ସଂପତ୍ତି ଜନିତ ବିବାଦ ହିଁ କାଳ ସାଜିଲା କି ମହନ୍ତଙ୍କ ପାଇଁ? ଗତ ସୋମବାର ଶୟନକକ୍ଷରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ, ୧୮ ଜଣିଆ SIT ଗଠନ କରି ମାମଲାର ଖୋଳତାଡ଼ କରୁଛି ପୋଲିସ। ପୋଷ୍ଟମର୍ଟମ ରିପୋର୍ଟ ଫାଶୀରୁ ମୃତ୍ୟୁ ହୋଇଛି ବୋଲି କହୁଥିଲେ ବି, ମହନ୍ତଙ୍କ ୧୫ ପୃଷ୍ଠାର ସୁଇସାଇଡ୍ ନୋଟ୍ ଅନେକ ଗୁମର ଖୋଲିଛି। ସେଥିରେ ମଠର ସାନ ମହନ୍ତ ଆନନ୍ଦ ଗିରିଙ୍କୁ ଦାୟୀ କରିଛନ୍ତି। ନରେନ୍ଦ୍ର ଲେଖିଛନ୍ତି ଯେ, ଆନନ୍ଦ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ କଂପୁଟରରେ ଯୋଡ଼ି ଭାଇରାଲ୍ କରିବାକୁ ବ୍ଲାକମେଲିଂ କରୁଛି। ଏଥିରେ ଆଉ ୨ଜଣ ମଧ୍ୟ ସାମିଲ ଅଛନ୍ତି। ବଦନାମ୍ ହେବା ଭୟରେ ସେ ନିଜ ଜୀବନ ନେଉଛନ୍ତି । ଏହା ପରେ ପୋଲିସ ଆନନ୍ଦ ଗିରିଙ୍କୁ ଋଷିକେଶରୁ ଗିରଫ କରି ୧୨ ଘଣ୍ଟା ପଚରାଉଚୁରା କରିଛି।

ତେବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ସବୁ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ସାନମହନ୍ତ ତଥା ଏକଦା ନରେନ୍ଦ୍ର ଗିରିଙ୍କ ପରମ ଶିଷ୍ୟ ଆନନ୍ଦ ଗିରି ନିଜକୁ ଯୋଗୀ ବୋଲାଉଥିଲେ ବି, ଜୀବନଶୈଳୀ ପୁରା ଓଲଟା। ବୈରାଗ୍ୟ ନୁହେଁ, ଏସବୁ ବିଳାସର ସାକ୍ଷୀ। ପୂର୍ବରୁ ୨ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଷ୍ଟ୍ରେଲିଆରେ ଗିରଫ ହୋଇଥିଲେ ଆନନ୍ଦ। କିଛି ବର୍ଷ ତଳେ ସଂପତ୍ତି ବିବାଦକୁ ନେଇ ନରେନ୍ଦ୍ରଙ୍କ ବିରୋଧରେ ମିଛ ଆରୋପ ଲଗାଇ ମଠ ଓ ଆଖଡ଼ାରୁ ତାଙ୍କୁ ବହିଷ୍କାର କରାଯାଇଥିଲା। ପରେ ସେ କ୍ଷମା ମାଗି ପୁଣି ମଠକୁ ଫେରିଥିଲେ । ତେବେ ଏହି ପୁରୁଣା ରାଗ ରଖି ଶିଷ୍ୟରୁ ଶତ୍ରୁ ପାଲଟିଲେ କି ଆନନ୍ଦ? ଏହାକୁ ନେଇ ବି ଚର୍ଚ୍ଚ ଚାଲିଛି।

ଅନ୍ୟପକ୍ଷରେ ନରେନ୍ଦ୍ର ଗିରିଙ୍କ ଏହି ସୁଇସାଇଡ୍ ନୋଟ୍ ଜାଲ୍ ଏବଂ ଏହା ପଛରେ ଆଉ କିଛି ଚକ୍ରାନ୍ତ ରହିଛି ବୋଲି ମଧ୍ୟ କିଛି ମଠ ଅନ୍ତେବାସୀ ଅଭିଯୋଗ କରିଛନ୍ତି। ତେବେ ଘଟଣା ଉପରୁ କେବେ ପର୍ଦ୍ଦା ହଟୁଛି ତାହା ଦେଖିବାକୁ ବାକି ରହିଲା।

Death Case Mahant Narendra Giri
Advertisment
Advertisment