• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟିକସ ଫାଙ୍କିବା ଅଭିଯୋଗରେ କଲେଜ ଛାତ୍ରଙ୍କୁ ନୋଟିସ । ଚାକିରି ନଥିବା ବେଳେ ଟିକସ ପାଇଁ କିପରି ନୋଟିସ ଆସିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି ଛାତ୍ରଜଣକ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ । ଆୟକର ବିଭାଗ ତରଫରୁ ଏପରି ନୋଟିସ ମିଳିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଛାତ୍ର ଜଣକ ।

ଆୟକର ଏବଂ ଜିଏସଟି ତରଫରୁ ମିଳିଥିବା ବିଜ୍ଞପ୍ତି ଅନୁଯାୟୀ ଛାତ୍ର ଜଣକ ହେଲେ ପ୍ରମୋଦ କୁମାର ଦଣ୍ଡୋଟିଆ । ଛାତ୍ରଜଣକଙ୍କର ପ୍ୟାନ କାର୍ଡ ଜରିଆରେ ପ୍ରାୟ ୪୬ କୋଟି ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି । ପ୍ରମୋଦଙ୍କ ପ୍ୟାନ କାର୍ଡ ଜରିଆରେ ଏକ କମ୍ପାନୀ ପଞ୍ଜିକୃତ ହୋଇଥିବା ବେଳେ, ଉକ୍ତ କମ୍ପାନୀ ପ୍ରାୟ ୪୬ କୋଟି ଟଙ୍କାର କାରବାର କରିଛି ।

କମ୍ପାନୀଟି ମୁମ୍ବାଇ ଓ ଦିଲ୍ଲୀରେ ୨୦୨୧ ରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି । ତେବେ ଏତେ ଟଙ୍କାର କାରବାର ସତ୍ତ୍ୱେ କୌଣସି ଟିକସ ଦିଆଯାଇନଥିବାରୁ ଆୟକର ବିଭାଗ ତରଫରୁ ନୋଟିସ ମିଳିଛି । ୨୫ ବର୍ଷୀୟ ପ୍ରମୋଦ କହିଛନ୍ତି, ସେ ଜଣେ କଲେଜ ଛାତ୍ର ଏବଂ ତାଙ୍କ ନାମରେ ପଞ୍ଜୀକୃତ ହୋଇଥିବା କମ୍ପାନୀ ବିଷୟରେ ସେ ଜାଣିନାହାଁନ୍ତି ।

ତାଙ୍କର ପ୍ୟାନ କାର୍ଡରେ ଜାଲିଆତି ହୋଇଥିବା ସେ ସନ୍ଦେହ କରୁଛନ୍ତି । ଆୟକର ବିଭାଗରୁ ଏପରି ନୋଟିସ ପାଇବା ପରେ ସେ ବିଭାଗ ସହ କଥା ହୋଇଥିଲେ । ଏହା ପରେ ସେ ଅନେକ ଥର ପୋଲିସ ନିକଟରେ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସେ କହିଛନ୍ତି ।

ଗତ ଶୁକ୍ରବାର ଦିନ ସେ ପୁଣିଥରେ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି । ଏ ବାବଦରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି । ପ୍ୟାନ କାର୍ଡର ଅପବ୍ୟବହାର କରାଯାଇଛି ଓ ଏହା ଏକ କମ୍ପାନୀ ମାଧ୍ୟମରେ ପଞ୍ଜୀକୃତ ହୋଇଛି ବୋଲି କହିଛନ୍ତି ଅତିରିକ୍ତ ପୋଲିସ ଅଧୀକ୍ଷକ ସିଆଜ୍ କେ.ଏମ. ।