• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାରତୀୟ ପରମ୍ପରାରେ ବିବାହକୁ ପବିତ୍ର ବନ୍ଧନ ବୋଲି କୁହାଯାଏ । ଅଗ୍ନିକୁ ସାକ୍ଷୀ ରଖି ବୈଦିକ ମନ୍ତ୍ର ସହିତ ସାତ ଜନ୍ମର ସାଥୀ ହେବା ପାଇଁ ଶପଥ ନିଅନ୍ତି ନବ ଦମ୍ପତି । ସ୍ନେହ, ପ୍ରେମ ଓ ଭାବପ୍ରବଣତା ମଧ୍ୟରେ ଗଢ଼ି ଉଠେ ଅତୁଟ ବନ୍ଧନ । କିନ୍ତୁ ସମୟ ଚକ୍ର ସବୁଦିନ ସମାନ ରହେ ନାହିଁ । ଭୁଲ ବୁଝାମଣା କାରଣରୁ ବେଳେବେଳେ ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । କେତେବେଳେ ବିବାହ ବିଚ୍ଛେଦ ତ କେତେବେଳେ ବୈବାହିକ ଜୀବନରେ ବିବାଦ ଲାଗି ଦେଖାଦିଏ ।

ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିବା ଦଣ୍ତନୀୟ ଅପରାଧ । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ୨୮ ବର୍ଷୀୟ ଯୁବକ ଦୁଇଟି ବିବାହ କରି ମଧ୍ୟ ଉଭୟଙ୍କ ସହ ଖୁସିରେ ରହୁଛନ୍ତି । କିନ୍ତୁ ଆଶ୍ଟର୍ଯ୍ୟର କଥା ଏହା ଯେ, ଦୁଇ ପତ୍ନୀଙ୍କ ସହ ସମୟ ବାଣ୍ଟିବା ପାଇଁ ସେ ଏକ ଚୁକ୍ତି ମଧ୍ୟ କରିଛନ୍ତି । ଚୁକ୍ତି ଅନୁଯାୟୀ ସପ୍ତାହର ପ୍ରଥମ ତିନି ଦିନ ପ୍ରଥମ ସ୍ତ୍ରୀ ସହ ଏବଂ ପରବର୍ତ୍ତୀ ତିନିଦିନ ଦ୍ୱିତୀୟ ସ୍ତ୍ରୀ ସହ ବିତାଇବାକୁ ରାଜି ହୋଇଛନ୍ତି । ତେବେ ରବିବାରଟି କାହା ସହ କଟାଇବେ ତାହା ତାଙ୍କ ଇଚ୍ଛା ଉପରେ ଛଡ଼ାଯାଇଛି ।

ବାସ୍ତବରେ ଘଟଣାଟି ହେଉଛି ମଧ୍ୟପ୍ରଦେଶ ଗ୍ୱାଲିୟର୍‌ର । ୨୮ ବର୍ଷୀୟ ଜଣେ ସଫ୍ଚୱେୟାର ଇଞ୍ଜିନିୟର ୨୦୧୮ରେ ୨୬ ବର୍ଷୀୟ ଯୁବତୀଙ୍କୁ ବିବାହ କରିଥିଲେ । ଗୁରୁଗ୍ରାମରେ ଏକ କମ୍ପାନୀରେ କାମ କରୁଥିବା ବେଳେ ସେ ନିଜ ପତ୍ନୀଙ୍କ ସହ ସେଠାରେ ଦୁଇ ବର୍ଷ ମଧ୍ୟ ରହିଥିଲେ । କିନ୍ତୁ ୨୦୨୦ରେ କୋଭିଡ୍‌ ମହାମାରୀ କାରଣରୁ ସେ ନିଜ ଘର ଗ୍ୱାଲିୟର୍‌କୁ ଫେରିଆସିଥିଲେ ଏବଂ ଘରୁ ରହି କାମ କରୁଥିଲେ । ଦୁହିଁଙ୍କର ଏକ ପୁତ୍ର ସନ୍ତାନଟିଏ ଅଛି ।

ଘରେ ରହିବାର କିଛିଦିନ ମଧ୍ୟରେ ସେ ପୁଣିଥରେ ଗୁରୁଗ୍ରାମ ଫେରିଯାଇଥିଲେ । କୋଭିଡ୍‌ ସ୍ଥିତି ସୁଧୁରିବା ପରେ ମଧ୍ୟ ସେ ଆଉ ଘରକୁ ଫେରିନଥିଲେ । ତାଙ୍କ ସ୍ତ୍ରୀ ନିଜ ପୁଅକୁ ଧରି ଗୁରୁଗ୍ରାମ ପହଞ୍ଚିବା ପରେ ଜାଣିପାରିଥିଲେ ଯେ, ତାଙ୍କ ସ୍ୱାମୀ ଅଫିସ୍‌ର ଜଣେ ସହକର୍ମୀଙ୍କ ସହ ଦ୍ୱିତୀୟ ବିବାହ କରି ରହୁଛନ୍ତି । ସେମାନଙ୍କର ଏକ ଝିଅଟେ ମଧ୍ୟ ଅଛି । ଏହା ଜାଣିବା ପରେ ପ୍ରଥମ ସ୍ତ୍ରୀ ଫ୍ୟାମିଲି କୋର୍ଟରେ ସ୍ୱୀମୀଙ୍କ ବିରୁଦ୍ଧରେ ଏକ ମାମଲା ଦାଏର କରିଥିଲେ । ଏହାପରେ କୋର୍ଟ ପକ୍ଷରୁ ଦୁହିଁଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ଜଣେ କାଉନ୍‌ସିଲର୍‌ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଓକିଲ ଜଣକ ଯୁବକଙ୍କୁ ବୁଝାଇଥିଲେ ଯେ, ଯଦି ସେ ବୁଝାମଣା ନ କରନ୍ତି ତାଙ୍କୁ ଦ୍ୱିତୀୟ ବିବାହ ପାଇଁ କୋର୍ଟ ପକ୍ଷରୁ ଦଣ୍ତ ମିଳିବା ସହ ଚାକିରି ମଧ୍ୟ ଯିବାର ସମ୍ଭାବନା ରହିଛି ।

ଏହାପରେ ଯୁବକ ଜଣକ ଦୁଇଟି ସ୍ତ୍ରୀଙ୍କ ସହ ଏକ ଚୁକ୍ତି କରିଥିଲେ । ଯେଉଁ ଚୁକ୍ତିରେ ସପ୍ତାହର ପ୍ରଥମ ତିନି ଦିନ ପ୍ରଥମ ସ୍ତ୍ରୀ ସହ ଏବଂ ପରବର୍ତ୍ତୀ ତିନିଦିନ ଦ୍ୱିତୀୟ ସ୍ତ୍ରୀ ସହ ବିତାଇବା ଉଲ୍ଲେଖ ରହିଛି । କିନ୍ତୁ ରବିବାର କେଉଁ ସ୍ତ୍ରୀ ସହ ବିତାଇବେ, ତାହା ତାଙ୍କ ଇଚ୍ଛା ଅନୁଯାୟୀ ରହିଛି । ତେବେ ଏହି ଚୁକ୍ତିରେ କୌଣସି ନିୟମ ଉଲଙ୍ଘନ ହେଲେ ଯୁବକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି କୋର୍ଟ କହିଛନ୍ତି ।