ମଧ୍ୟପ୍ରଦେଶରେ ଆଦିବାସୀ ଯୁବକ ଦଶମତ ରାୱତଙ୍କ ଉପରେ ଜଣେ ବ୍ୟକ୍ତି ପରିସ୍ରା କରିବା ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଯୁବକଙ୍କ ପାଦ ଧୋଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ପୀଡ଼ିତ ଦଶମତଙ୍କୁ ସାଥିରେ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ପ୍ରଥମେ ଚୌକିରେ ବସାଇଥିଲେ । ଏହାପରେ ତାଙ୍କ ପାଦକୁ ଥାଳି ଉପରେ ଥୋଇ ଧୋଇ ଦେଇଥିଲେ । ତିଲକ ଲଗାଇ ପୂଜାର୍ଚ୍ଚନା କରିବା ପରେ ତାଙ୍କ ବେକରେ ଫୁଲମାଳ ମଧ୍ୟ ପକାଇଛନ୍ତି । ଏହାପରେ ତାଙ୍କୁ ସାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । କେବଳ ଏତିକି ନୁହେଁ ପୀଡ଼ିତଙ୍କୁ ଏକ ଗଣେଶ ମୂର୍ତ୍ତି ଉପହାର ଦେଇଛନ୍ତି ଶିବରାଜ ସିଂ ଚୌହ୍ୱାନ ।
Also Read
ମୁଖ୍ୟମନ୍ତ୍ରୀ ପୀଡିତଙ୍କୁ ପଚାରିଛନ୍ତି, ଘରେ କୌଣସି ଅସୁବିଧା ନାହିଁ ତ.. ଯଦି କିଛି ଅସୁବିଧା ହୁଏ ମୋତେ ଜଣାନ୍ତୁ । ପୀଡ଼ିତଙ୍କ ଦୁଃଖସୁଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ପୀଡିତଙ୍କ କାମ ସମ୍ପର୍କରେ ମଧ୍ୟ ଖବର ନେଇଥିଲେ ଶିବରାଜ ସିଂ ଚୌହାନ୍ । ଅନ୍ୟପକ୍ଷରେ ଏଭଳି ଅଘଟଣ ପାଇଁ ଶିବରାଜ କହିଛନ୍ତି, ସେହି ଘଟଣା ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ, ତେଣୁ ମୁଁ ତୁମକୁ କ୍ଷମା ମାଗୁଛି । ମୋ ପାଇଁ ଜନତା ହିଁ ଭଗବାନ । ଦଶମତଙ୍କୁ ନିଜ ବାସଭବନରେ ଜଳଖିଆ କରାଇ ଛାଡ଼ିଛନ୍ତି ଶିବରାଜ ।
କିଛିଦିନ ତଳେ ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କ ଉପରେ ଜଣେ ଯୁବକ ପରିସ୍ରା କରୁଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓକୁ ଆଧାର କରି ଅଭିଯୁକ୍ତ ପରବେଶ ଶୁକ୍ଳାକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ନାଁରେ ଏନଏସ୍ଏ ଲାଗୁ କରାଯାଇଛି ।
ଅନ୍ୟପଟେ ପରବେଶ ଶୁକ୍ଳା ବେଆଇନ ଭାବେ ତିଆରି କରିଥିବା ଘର ଓ ଅନ୍ୟ କିଛି ପ୍ରତିଷ୍ଠାନ ଉପରେ ଗତକାଲି ପ୍ରଶାସନର ବୁଲଡୋଜର ଚାଲିଛି। ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ ।
ମଙ୍ଗଳବାର ସାମ୍ନାକୁ ଆସିଥିବା ଭିଡିଓରେ ପରବେଶ ଶୁକ୍ଳା ବିଚ୍ ରାସ୍ତାରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ଦେଖିବାକୁ ମିଳିଥିଲା । ଘଟଣାଟି ୬ ଦିନ ତଳେ ଘଟିଥିବା ବେଳେ ପୁଲିସ୍ ମଙ୍ଗଳବାର ଅପରାହ୍ନ ୪ଟାରେ ହିଁ ଏହାକୁ ଜାଣିବାକୁ ସକ୍ଷମ ହୋଇଥିଲା । ପରବେଶ ପରିସ୍ରା କରିବା ବେଳେ ବେଶ ଷ୍ଟାଇଲରେ ସିଗାରେଟ ମଧ୍ୟ ଟାଣୁଥିଲା।