/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671850586.jpg)
Loan Fraud Case: Ex-ICICI Bank CEO Chanda Kochhar And Her Husband Arrested
ICICI ବ୍ୟାଙ୍କ ଋଣ ଠକେଇ ମାମଲା(ICICI Bank Fraud Case)ରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର(Chanda Kochhar) ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ଦିନ ସିବିଆଇ ଗିରଫ କରିଛି। ସ୍ୱାମୀ ଦୀପକଙ୍କ ଆର୍ଥିକ ଫାଇଦା ଲାଗି ଚନ୍ଦା କୋଚର ନିଜ ପଦର ଦୂରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା। ଚନ୍ଦା କୋଚର ICICI ବ୍ୟାଙ୍କର ସିଇଓ ଥିବା ସମୟରେ ଭିଡିଓକନ୍ ଗ୍ରୁପ୍କୁ ଅହେତୁକ ଅନୁକମ୍ପା ଦେଖାଇ ୩ ହଜାର କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ ପାଇଁ ଅନୁମୋଦନ ଦେଇଥିଲେ। ଯେଉଁଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।
ଭିଡିଓକନ୍ ଗ୍ରୁପକୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ୨୦୧୮ ମସିହା, ଅକ୍ଟୋବରରେ ୫୯ ବର୍ଷୀୟ ଚନ୍ଦା କୋଚର ICICI ବ୍ୟାଙ୍କର ସିଇଓ ଏବଂ ମ୍ୟାନେଜିଂ ଡାଇରେକ୍ଟର ପଦରୁ ଇସ୍ତଫା ଦେଇଥିଲେ। ସେ ବ୍ୟାଙ୍କର ଆଚରଣ ବିଧି ଓ ଇଣ୍ଟରନାଲ୍ ପଲିସିର ଉଲ୍ଲଂଘନ କରିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା।
ସୂଚନାଥାଉ କି, ୨୦୧୨ରେ ଭିଡିଓକନ୍ ଗ୍ରୁପ୍କୁ ୩,୨୫୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଭିଡିଓକନ୍ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇ ଚନ୍ଦା କୋଚର ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଏହି ଋଣ ପ୍ରଦାନ ପାଇଁ ଅନୁମୋଦନ କରିଥିବା ଅଭିଯୋଗ ହୋଇଥିଲା। ସିବିଆଇର ଅଭିଯୋଗ ଅନୁସାରେ, ଏକ କମିଟି ପକ୍ଷରୁ ଏହି ଋଣ ପ୍ରଦାନ ଲାଗି ଅନୁମୋଦନ ମିଳିଥିଲା। ଯେଉଁଥିରେ ଚନ୍ଦା କୋଚର କମିଟିର ସଦସ୍ୟ ଥିଲେ।
ଏନେଇ ସିବିଆଇ ପକ୍ଷରୁ ଚନ୍ଦା କୋଚର, ତାଙ୍କ ସ୍ୱାମୀ ଦୀପକ କୋଚର, ଭିଡିଓକନ ଗ୍ରୁପ ଏମ୍ଡି ବେଣୁଗୋପାଲ ଧୁତ୍ ଏବଂ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସିବିଆଇ ଚନ୍ଦାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଣି ତଦନ୍ତ ଚଳାଇଥିଲା। ଭିଡିଓକନ କର୍ତ୍ତୃପକ୍ଷଙ୍କ ସହ ସାମିଲ ହୋଇ ICICI ବ୍ୟାଙ୍କରୁ ଋଣ ଠକେଇ କରିଥିବା ଚନ୍ଦାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)