ବିପଦରେ ବାଘ । ଗୋଟିଏପଟେ ଦିଲ୍ଲୀ ରାଜରାସ୍ତାରେ ଦୁର୍ଘଟଣାରେ କଲରାପତରିଆ ବାଘର ପ୍ରାଣ ଚାଲି ଯାଇଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ର ନାସିକରେ ଜୀବନ ବିକଳରେ ଆଉ ଏକ କଲରାପତରିଆ ବାଘ ହସ୍ପିଟାଲରେ ପଶି ଯାଇଥିବା ଦେଖିବାକୁ ମିଳିଛି ।
ଦିଲ୍ଲୀର ଆଲିପୁର ପୋଲିସ ଷ୍ଟେସନ୍ ଅନ୍ତର୍ଗତ ଖଟୁଶ୍ୟାମ ମନ୍ଦିର ନିକଟରେ ଥିବା ଏନ୍ଏଚ୍- 44ରେ ମୃତ ଅବସ୍ଥାରେ ଏଇ ବାଘ ଛୁଆକୁ ଆଜି ଉଦ୍ଧାର କରାଯାଇଛି । ଏନେଇ ଭୋର ପ୍ରାୟ ୪ଟା ବେଳେ ପୋଲିସ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାଘଟିର ମୃତ୍ୟୁ ହୋଇ ସାରିଥିଲା ।
ପାରିପାର୍ଶ୍ୱିକ ସ୍ଥିତିରୁ ଦୁର୍ଘଟଣାରେ ବାଘ ଛୁଆର ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟପକ୍ଷେ, ମହାରାଷ୍ଟ୍ର ନାସିକ ଅନ୍ତର୍ଗତ ନାନ୍ଦୁରବର ତାଲୁକ ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଭିତରକୁ କଲରାପତରିଆ ବାଘ ପଶି ଯାଇଥିବା ଦେଖିବାକୁ ମିଳିଛି ।
କବାଟ ବନ୍ଦ ଥିବାରୁ ବାଘଟି ଆଉ ବାହାରି ପାରିନଥିଲା । ବାହାରେ ଲୋକଙ୍କ ହୋହାଲ୍ଲା ଦେଖି ବାଘଟି ଭୟରେ ରଡ଼ି ଛାଡ଼ିବା ସହ ପୁଣି କବାଟ ଫାଙ୍କରେ ବାହାରି ଅନ୍ୟ ଏକ ରୁମ୍କୁ ପଳାଇ ଥିଲା । ବେଶ୍ କିଛି ସମୟ ଧରି ଏଭଳି ସ୍ଥିତି ଲାଗି ରହିବା ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ କାବୁ କରିଥିବା ସୂଚନା ମିଳିଛି ।