• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏଲଇଡି ଟିଭି ନେଇଗଲା ଜୀବନ । ସାଧାରଣତଃ ଫୋନ୍‌ ଫାଟିବାର ଖବର ଆପଣ ଶୁଣିଥିବେ କିନ୍ତୁ ଟିଭି ଫାଟିବା ଖବର ସମସ୍ତଙ୍କ ପାଇଁ ନୂଆ । ମଙ୍ଗଳବାର ଦିନ ଗାଜିଆବାଦରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଏଲଇଡି ଟିଭି ଫାଟି ଘରର କାନ୍ଥ ଭୁଶୁଡ଼ି ଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଟିଭି ସାମ୍ନାରେ ବସିଥିବା ଜଣେ ନାବାଳକର ଜୀବନ ଚାଲି ଯାଇଛି । ଏହି ଦୁର୍ଘଟଣାରେ ଆଉ ତିନି ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗାଜିଆବାଦର ତୁଳସୀ ନିକେତନର ହର୍ଷ ବିହାର ୨ ଅଞ୍ଚଳର ଏକ ଘରେ ଲାଗିଥିବା ଏଲଇଡି ଟିଭିରେ (LED TV ) ହଠାତ୍ ବିସ୍ଫୋରଣ ( Blast) ଘଟିଛି। ମଙ୍ଗଳବାର ଅପରାହ୍ନରେ ଘଟିଛି ଏହି ଅଘଟଣ । ବିସ୍ଫୋରଣରେ ଜୀବନ ହରାଇଥିବା ନାବାଳକଙ୍କ ନାଁ ଓମେନ୍ଦ୍ର । ବୟସ ୧୬ ବର୍ଷ । ତେବେ ଏହି ଅଘଟଣ ସମୟରେ ଓମେନ୍ଦ୍ର ତାଙ୍କ ମା’ ଉମାବଦୀ, ପିଉସୀ ଓ ସାଙ୍ଗ ଗଗନ ବିହାରୀ ସହ ବସି ଟିଭି ଦେଖୁଥିଲେ । ଅଚାନକ୍‌ ଟିଭି ଫାଟିଯିବା ପରେ ଭୟଙ୍କର ଶବ୍ଦ ହୋଇଥିଲା । ପୂରା ଘର ଦୋହଲି ଯାଇଥିଲା । ଯେଉଁ କାନ୍ଥରେ ଟିଭିଟି ଲାଗିଥିଲା ତାହା ଭୁଶୁଡ଼ି ଯାଇଥିଲା ।

ତେବେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବା ପରେ ପଡୋଶୀମାନେ ବାହାରକୁ ବାହାରି ଆସିଥିଲେ। ଝରକାରୁ ଧୂଆଁ ବାହାରୁଥିବାର ଦେଖି ଭିତରକୁ ଯିବାକୁ ଭୟ କରୁଥିଲେ ସୁଦ୍ଧା କିଛି ଲୋକ ସାହସ ଦେଖାଇ ଭିତରକୁ ପ୍ରବେଶ କଲେ । କୋଠରୀଟି ସମ୍ପୂର୍ଣ୍ଣ ଧୂଆଁରେ ପରିପୂର୍ଣ୍ଣ ଥିଲା ଏବଂ ପୋଡ଼ିବାର ଗନ୍ଧ ହେଉଥିଲା । ଘର ଭିତରେ ପଡ଼ିଥିବା ଆହତମାନେ ଚିତ୍କାର କରି ସାହାଯ୍ୟ ମାଗୁଥିଲେ ।

ତା’ପରେ ପଡ଼ୋଶୀ କୌଣସି ପ୍ରକାରେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତରମାନେ ଓମେନ୍ଦ୍ରଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଓମେନ୍ଦ୍ରଙ୍କ ମା’ ଓ ସାଙ୍ଗର ଅବସ୍ଥା ଗୁରୁତର ରହିଛି । ଅନ୍ୟପଟେ ମୃତକଙ୍କ ପିଉସୀଙ୍କୁ ଚିକିତ୍ସା ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଛି । ପୋଲିସ୍‌ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତ ପରେ ପୋଲିସ୍‌ ସୂଚନା ଅନୁସାରେ, ଏଲ୍ଇଡି ଟିଭିଟି କାନ୍ଥରେ ଲାଗିଥିଲା । କୌଣସି କାରଣ ବଶତଃ ତାହା ଫାଟି ଯାଇଛି । ଫଳରେ ଜଣକର ଜୀବନ ଚାଲିଯାଇଛି ।