• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଅଭୟାକାଣ୍ଡରେ କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା। ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ପୋଷ୍ଟମର୍ଟମ ପରେ ମାମଲା ରୁଜୁକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଶୁଣାଣି ବେଳେ ପଚାରିଛନ୍ତି, ଯଦି ଏହା ସ୍ୱାଭାବିକ ମୃତ୍ୟୁ ଥିଲା, ତେବେ ପୋଷ୍ଟମର୍ଟମ କାହିଁକି କରାଗଲା ।

୩୦ ବର୍ଷରେ ଏଭଳି ଦାୟିତ୍ୱହୀନତା ଦେଖିନି ବୋଲି କହିଛନ୍ତି ଜଷ୍ଟିସ ପାରଦିୱାଲା । ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ । ବୋଲି କହିବା ସହିତ, ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ ସପ୍ତାହକ ମଧ୍ୟରେ ଆଲୋଚନା କରି ସୁରକ୍ଷା ବନ୍ଦୋବସ୍ତ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ।

ଆଲୋଚନାର ୨ ସପ୍ତାହ ମଧ୍ୟରେ ରାଜ୍ୟମାନେ ଡାକ୍ତରଙ୍କ ସୁରକ୍ଷା ପଦକ୍ଷେପ ନିଅନ୍ତୁ ବୋଲି ନିର୍ଦ୍ଦେଶ ରହିଛି । ଏଥିସହ କୋଲକାତା ଘଟଣାର ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ଏବଂ ଏହି ମାମଲାର ରାଜନୀତିକରଣ ନକରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟରେ ଦାଖଲ ଷ୍ଟାଟସ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ସିବିଆଇ । ଘଟଣା ବାବଦରେ ପରିବାରକୁ ବିଳମ୍ବରେ ଖବର ଦିଆଗଲା ଏବଂ ପ୍ରଥମେ ଆତ୍ମହତ୍ୟା କହି ଘଣ୍ଟ ଘୋଡ଼ାଇବାକୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ଉଦ୍ୟମ କରିଛି ବୋଲି ଷ୍ଟାଟସ ରିପୋର୍ଟରେ ଦର୍ଶାଇଥିବା ସୂଚନା ମିଳିଛି । ସେପ୍ଟେମ୍ବର ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ ।

 

OTV is now on Whatsapp

Join and get latest news update delivered to you via whatsapp

Join Now