/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670171686.jpg)
King Size Meal
୫ ପଇସାରେ ଅନଲିମିଟେଡ ଭେଜ୍ ଥାଳି । ଯେତେଥର ଯାହା ଖାଇପାରିବେ ପେଟପୁରିଲା ଯାଏଁ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା, ହେଲେ କଥାଟା ପୁରାପୁରି ସତ । ଆନ୍ଧ୍ରପ୍ରଦେଶ ବିଜୟୱାଡାର ଏକ ରେସ୍ତୋରାଁ ଆଣିଥିଲା ଏଭଳି ନିଆରା ଅଫର । ଯାହାର ଭରପୁର ଫାଇଦା ଉଠାଇଛନ୍ତି ଗ୍ରାହକ ।
ବାଜରା-ମକା ଓ ଯଅର ରୁଟି, କଚୋରି, କଡି ସାଙ୍ଗକୁ ପଂଚରତ୍ନ ଡାଲି ତା’ସହ ସୁଆଦିଆ ଶାଗ, ପନିର ଆଉ ଫେମସ ରାଜସ୍ଥାନୀ ଡାଲ୍ ବାଟି ଚୁରମା । ମିଠାରେ ଗୁଜିଆ, ଘେବର ଇତ୍ୟାଦି । ଶେଷରେ ଲାଜବାବ ଲସି ଥାଳି ଭର୍ତ୍ତି ରାଜସ୍ଥାନୀ ଖାଦ୍ୟ । ଗୁଜୁରାତି ଓ ଉତ୍ତର ଭାରତୀୟ ଖାଦ୍ୟ ବି ପରଷା ଯାଉଛି ପ୍ଲେଟରେ । ଆଉ ଥାଳିର ଦର ଶୁଣିଲେ ମୁଣ୍ଡ ଚକ୍କର ଖାଇଯିବ । ମାତ୍ର ୫ ପଇସା । ହଁ, ଠିକ୍ ଶୁଣିଛନ୍ତି ୫ ପଇସାରେ ପେଟ ଭର୍ତ୍ତି ଖାଦ୍ୟ । ଆନ୍ଧ୍ରପ୍ରଦେଶ ବିଜୟୱାଡାର ରାଜଭୋଗ ରେସ୍ତୋରାଁ ଗ୍ରାହକଙ୍କ ପାଇଁ ଆଣିଥିଲା ଏଭଳି ଦିନିକିଆ ଅଫର ।
ରାଜଭୋଗ ସମ୍ପୂର୍ଣ୍ଣ ଥାଳି ଗୁଜୁରାତି, ରାଜସ୍ଥାନୀ ଏବଂ ଉତ୍ତର ଭାରତୀୟ ଖାଦ୍ୟ ପାଇଁ ଜଣାଶୁଣା ଏହି ରେସ୍ତୋରାଁ । ନିଜର ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଛାଡିଥିଲା ବାସ୍, ଲଂଚ୍ ଟାଇମ୍ ପୂର୍ବରୁ ପହଁଚି ଯାଇଥିଲେ ଗ୍ରାହକ । ଘରେ ଖୋଜାଖୋଜି କରି ସାଙ୍ଗରେ ଆଣିଥିଲେ ୫ ପଇସା କଏନ୍ । ଭୋଜି ଭଳି ଭିଡ ଲାଗିଥିଲା ରେସ୍ତୋରାଁରେ । ଅଫର ଅନୁସାରେ, ପ୍ରଥମ ୫୦ ଥାଳି ଫ୍ରି ରଖାଯାଇଥିଲା । ମାତ୍ର ୫ ପଇସା ଦେଇ ଲୋକେ ଖାଇଥିଲେ ୩୫ ପ୍ରକାରର ଆଇଟମ୍ । ଅନ୍ୟ ଗ୍ରାହକଙ୍କୁ ଦେବାକୁ ପଡିଥିଲା ଥାଳିର ଅଧା ଦର ।
ଗ୍ରାହକଙ୍କୁ ରେସ୍ତୋରାଁର ଖାଦ୍ୟ ପ୍ରତି ଆକର୍ଷିତ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏଭଳି ନିଆରା ଅଫରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)