• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀରେ ଧରାପଡ଼ିଲେ ଦୁଇ ଖଲିସ୍ତାନ ସମର୍ଥକ । ସାମ୍ନାକୁ ଆସିଲା ସେମାନଙ୍କ ପ୍ରତିବନ୍ଧିତ ବିଚ୍ଛିନ୍ନତାବାଦୀ ସଂଗଠନ SFJ ସହ ଲିଙ୍କ୍ । ୨ ଲକ୍ଷ ଟଙ୍କା ପ୍ରଲୋଭନରେ ରାଜଧାନୀ ଛାତିରେ ଦେଶ ବିରୋଧୀ ବାର୍ତ୍ତା ଲେଖିଥିଲେ ସେମାନେ । ତେବେ କାମ ସରିବା ପରେ ସେମାନଙ୍କୁ ୨ ହଜାର ଟଙ୍କା ପଠାଇଥିଲେ । ବିଦେଶରେ ବସିଥିବା ସେମାନଙ୍କ ଆକା । ଏଭଳି କାଣ୍ଡ ପଛରେ ଥିବା ବଡ଼ ଷଡ଼ଯନ୍ତ୍ର ବିଷୟରେ ବି ଜାଣିବାକୁ ପାଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ... ।

୨ ଜଣ ଖଲିସ୍ତାନ ସମର୍ଥକଙ୍କ ଫଟୋ ବିକ୍ରମ ସିଂ ଓ ବଳରାମ ସିଂ । ଦିଲ୍ଲୀରେ ରହି ଗାଡ଼ି ଚଳାଉଥିବା ଏହି ୨ ଜଣ ଅଭିଯୁକ୍ତ ଜାନୁଆରୀ ୧୮-୧୯ ମଧ୍ୟରାତ୍ରରେ ସାଧାରଣତନ୍ତ୍ର ଦିବସର କିଛି ଦିନ ପୂର୍ବରୁ ପଶ୍ଚିମ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଖଲିସ୍ତାନ ସମର୍ଥନରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଥିଲେ ଓ ପୋଷ୍ଟର ଲଗାଇଥିଲେ । ସେଥିରେ ଗୁରୁମୁଖୀ ଓ ଇଂରାଜୀ ଭାଷାରେ ଲେଖାଥିଲା SFJ, ଖଲିସ୍ତାନ ଜିନ୍ଦାବାଦ, ରେଫରେଣ୍ଡମ୍ ୨୦୨୦, ଭୋଟ୍ ଫର୍ ଖଲିସ୍ତାନ ଆଦି ବିଚ୍ଛିନ୍ନତାବାଦୀ ସ୍ଲୋଗାନ୍ ।

ବିକାଶପୁରୀ, ଜନକପୁରୀ, ପଶ୍ଚିମ ବିହାର, ପୀରାଗଡ଼ି ଓ ମୀରାବାଗ ଆଦି ୧୦ଟି ସ୍ଥାନରେ ଦେଶ ବିରୋଧୀ ସ୍ଲୋଗାନ୍ ଲେଖାଯାଇଥିବା ଠାବ ହେବା ପରେ, ପୋଲିସ ପ୍ରାୟ ଶହେଟି ସିସିଟିଭି କ୍ୟାମେରାର ଭିଡିଓ ଫୁଟେଜ୍ ଯାଞ୍ଚ କରିଥିଲା । ଏହାପରେ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ସେମାନଙ୍କ ଠାରୁ ବାଇକ୍ ଓ ମୋବାଇଲ୍ ଫୋନ୍ ସହିତ ୬ଟି ବିଭିନ୍ନ ରଙ୍ଗର ସ୍ପ୍ରେ ପେଣ୍ଟ୍ ବୋତଲ୍ ଜବତ ହୋଇଛି । ସେମାନେ ୨ ଲକ୍ଷ ଟଙ୍କାର ପ୍ରଲୋଭନରେ ଶିଖ୍ସ୍ ଫର୍ ଜଷ୍ଟିସ୍ ବା SFJ ନାମକ ଏକ ପ୍ରତିବନ୍ଧିତ ବିଚ୍ଛିନ୍ନତାବାଦୀ ସଂଗଠନ ପାଇଁ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି । ତେବେ ରୋଚକ କଥା ହେଉଛି, ସେମାନଙ୍କୁ ମିଳିଛି ମାତ୍ର ୨ ହଜାର ଟଙ୍କା ... ।

କ୍ୟାପିଟାଲ୍ ସିଟିର କାନ୍ଥରେ ଦେଶ ବିରୋଧୀ ବାର୍ତ୍ତା ଲେଖାଯିବା କିଛି ସାଧାରଣ କଥା ନୁହେଁ । ଏହା ପଛରେ ରହିଛି ବିରାଟ ଚକ୍ରାନ୍ତ । ଭାରତରେ ଉପସ୍ଥିତି ଜାହିର କରିବାକୁ ବିଦେଶରୁ ଏଭଳି ଚାଲ୍ ଖେଳିଥିଲା ବିଚ୍ଛିନ୍ନତାବାଦୀ ସଂଗଠନ ଶିଖ୍ସ ଫର୍ ଜଷ୍ଟିସ୍ ବା SFJର ମୁଖ୍ୟ ଗୁରପତ୍ଓ୍ୱନ୍ତ ସିଂ ପନ୍ନୁ । ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୟୁଏପିଏ ଆଇନରେ ବ୍ୟାନ୍ ଘୋଷିତ ହୋଇଛି । ଏହି ସଂଗଠନ ଖଲିସ୍ତାନ ଆନ୍ଦୋଳନ ନାଁରେ ଭାରତର ସ୍ୱାଧୀନତା ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି ।

ଏବେ ଆମେରିକା, କାନାଡ଼ା ଓ ବ୍ରିଟେନ୍ ଆଦି ଦେଶରୁ କିଛି କଟ୍ଟରପନ୍ଥୀ ଶିଖଙ୍କ ଦ୍ୱାରା ପରିଚାଳିତ ହେଉଛି SFJ । ତେବେ ସେମାନେ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଏଭଳି ଚକ୍ରାନ୍ତ କରିଥିବା ଜଣାପଡ଼ିଛି । ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଖଲିସ୍ତାନ ସମର୍ଥନରେ ଏବଂ ଦେଶ ବିରୋଧୀ କଥା ଲେଖିବାକୁ ନିର୍ଦ୍ଦେଶ ଦେଇଥିଲା ନିଜେ ପନ୍ନୁ ।

ଏଥିସହ ଲେଖିବା ବା ପୋଷ୍ଟର୍ ମାରିବା ବେଳର ଭିଡିଓ ରେକର୍ଡ କରିବାକୁ କହିଥିଲା । ଅଭିଯୁକ୍ତମାନେ ଭିଡିଓ ସୁଟ୍ କରି ପନ୍ନୁକୁ ପଠାଇବା ପରେ ସେ ୟୁଟୁ୍ୟବରେ ଏହାକୁ ପ୍ରସାରଣ କରିଥିଲା ଏବଂ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଖଲିସ୍ତାନୀ ପତାକା ଉଡ଼ାଇବ ବୋଲି ଧମକ ଦେଇଥିଲା ... ।