• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଧାଗଢ଼ା ହୋଇ ରହିଗଲା ସୁନାର ସଂସାର । ହାତରୁ ମେହେନ୍ଦି, ପାଦରୁ ଅଳତା ଲିଭିନଥିବା ବେଳେ ମାଡ଼ିଆସିଲା ମୃତ୍ୟୁ । ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲିଗଲେ ସ୍ୱାମୀସ୍ତ୍ରୀ । ପାହାଡ଼ ଉପରୁ ଖସି ନବବିବାହିତ ଯୋଡ଼ିଙ୍କର ମୃତ୍ୟୁ ପରେ ପରିବାରରେ ଖେଳିଯାଇଛି ଶୋକର ଲହରୀ । ଦଶ ଦିନ ପୂର୍ବରୁ ଯେଉଁ ଘର ଖୁସିରେ ଫାଟି ପଡ଼ୁଥିଲା, ଆଜି ସେଠାରେ ସମସ୍ତେ ଅବାକ ହୋଇଯାଇଛନ୍ତି । କେରଳର ଥିରୁବନ୍ତପୁରମରେ ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ।

ଥିରୁବନ୍ତପୁରମର ପାଲ୍ଲିକଲ ନଦୀ ନିକଟକୁ ଫଟୋସୁଟ୍‌ ପାଇଁ ଯାଇଥିଲେ ନବଦମ୍ପତି । ହେଲେ ଦୁର୍ଭାଗ୍ୟବଶତଃ ନିକଟସ୍ଥ ପାହାଡ଼ ଉପରେ ଫଟୋ ଉଠାଇବା ବେଳେ ନଦୀକୁ ଖସିପଡ଼ିଥିଲେ । ଗତ ଶନିବାର ଦିନ ଏହି ଦୁଃଖଦ ଘଟଣା ଘଟିଛି । ନବଦମ୍ପତି ଖସିପଡ଼ିବା ପରେ ସେଠାରେ ଉପସ୍ଥିତ ତାଙ୍କର ଜଣେ ସମ୍ପର୍କୀୟ ଉଭୟଙ୍କୁ ବଞ୍ଚାଇବା ପାଇଁ ନଦୀକୁ ଲମ୍ଫ ଦେଇଥିଲେ । ହେଲେ ସେ ମଧ୍ୟ ଭାସିଯାଇ ଜୀବନ ହରାଇଛନ୍ତି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ସେମାନଙ୍କୁ ବଞ୍ଚାଇ ପାରିନଥିଲେ ।

ମୃତକମାନେ ହେଲେ ସିଦିକ, ନୌଫି ଓ ଅନସିଲ । ନବଦମ୍ପତିଙ୍କ ଘର କୋଲମ ଜିଲ୍ଲାରେ । ଶନିବାର ଦିନ ହିଁ ସମ୍ପର୍କୀୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦିନକ ପରେ ଅର୍ଥାତ ରବିବାର ଦିନ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ନଦୀକୁ ବଞ୍ଚାଇବାକୁ ଡେଇଁଥିବା ସମ୍ପର୍କୀୟଙ୍କ ନାମ ହେଲା ଅନସିଲ । ନବ ଦମ୍ପତି ପ୍ରାୟ ସପ୍ତାହ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏକ ସମାରୋହରେ ଯୋଗଦେବା ପାଇଁ ଅନସିଲଙ୍କ ଘରକୁ ଆସିଥିଲେ । ସବୁ କିଛି ଶେଷ ହେବା ପରେ ଫଟୋ ଉଠାଇବା ପାଇଁ ତିନି ଜଣ ନିକଟସ୍ଥ ନଦୀ ନିକଟକୁ ଯାଇଥିଲେ । ହେଲେ ଦଇବକୁ ଆଉ କିଛି ମଞ୍ଜୁର ଥିଲା, ବିବାହର ମାତ୍ର ୧୦ଦିନ ମଧ୍ୟରେ ଉଭୟଙ୍କୁ ନିଜ ପାଖକୁ ଡାକିନେଲା ।