• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ଚର୍ଚ୍ଚିତ କେରଳର ସାମ୍ବାଦିକ ସିଦ୍ଧିକ୍‌ କପ୍ପନଙ୍କୁ ମିଳିଲା ଜାମିନ । ହେଲେ ଦୁଃଖର ବିଷୟ ତଥାପି ସେ ରହିବେ ଜେଲ୍‌ରେ । ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ତାଙ୍କୁ ଜାମିନ ମଞ୍ଜୁର କରାଯାଇଥିଲେ ମଧ୍ୟ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି । ତେବେ ସୁପ୍ରିମ୍‌କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏକ ଲକ୍ଷ ଟଙ୍କା ଲେଖାଏଁ ଦୁଇଟି ବେଲ୍‌ ବଣ୍ଡ ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ ମସିହାରେ କପ୍ପନଙ୍କୁ ଗିରଫ କରାଯାଇଥିଲା । ସେବେଠୁ ସେ ଜେଲ୍‌ରେ ଅଛନ୍ତି । ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ୍‌ ଗଣଦୁଷ୍କର୍ମ ମାମଲା ପରେ ହିଂସାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ କପ୍ପନଙ୍କୁ ଗିରଫ କରାଯାଇଥିଲା ।

ତେବେ ଗୋଟିଏ ମାମଲାରେ ସୁପ୍ରିମ୍‌କୋର୍ଟ ବେଲ୍‌ ମଞ୍ଜୁର କରିଥିବା ବେଳେ ଇଡି ଦ୍ୱାରା ରୁଜୁ କରାଯାଇଥିବା ଅନ୍ୟ ଏକ ମାମଲା ଏବେ ବି ପେଣ୍ଡିଂ ଥିବାରୁ କପ୍ପନଙ୍କୁ ଜେଲ୍‌ରେ ରହିବାକୁ ହେବ । ଏନେଇ ଡିଜି ଜେଲ୍‌ ପିଆର୍‌ଓ ସନ୍ତୋଷ ବର୍ମା ସୂଚନା ଦେଇଛନ୍ତି ।

ଅନ୍ୟପଟେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ସବୁ ସର୍ତ୍ତରେ କପ୍ପନଙ୍କୁ ବେଲ୍‌ ଦିଆଯାଇଛି, ସେହି ସବୁ ସର୍ତ୍ତ ଯେଭଳି ଖିଲାପ ନହୁଏ । ସର୍ତ୍ତ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ କୋର୍ଟ ସାମ୍ବାଦିକ କପ୍ପନଙ୍କଠାରୁ ଏକ ଅଣ୍ଡରଟେକିଂ ମଧ୍ୟ ଲେଖାଇଛନ୍ତି ।

କପ୍ପନଙ୍କ ସହ ଅନ୍ୟ ୩ ଜଣ ମଧ୍ୟ ଗିରଫ ହୋଇଛନ୍ତି । ସେମାନେ ହେଲେ ଅଥିକୁର ରେହମାନ, ଆଲାମ ଓ ମସୁଦ୍ । ସେମାନଙ୍କୁ ମଥୁରାରୁ ପୋଲିସ ଗିରଫ କରିଥିଲା । ହାଥରସ୍‌ ଗଣଦୁଷ୍କର୍ମ ଘଟଣାରେ ହିଂସାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ତେବେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ବେଲ୍‌ ମିଳିବା ପରେ ବିରୋଧୀ ଦଳ ଏବଂ ସାମ୍ବାଦିକ ସଂଘ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି । ସେମାନେ ଅଭିଯୋଗ କରିଛନ୍ତି କପ୍ପନଙ୍କୁ ଉତ୍ତରପ୍ରଦେଶ ସରକାର ଆକ୍ରୋଶ ମୂଳକ ଭାବେ ହଇରାଣ କରିଛନ୍ତି । ତାଙ୍କୁ ବିନା ଦୋଷରେ ଗିରଫ କରାଯାଇଛି । ସେମାନେ ଆଶା ରଖିଛନ୍ତି ଅନ୍ୟ ସବୁ ମାମଲାରେ ମଧ୍ୟ ତାଙ୍କୁ ଖୁବ୍‌ଶୀଘ୍ର ଜାମିନ ମଞ୍ଜୁର କରାଯିବ । କପ୍ପନଙ୍କ ବିରୋଧରେ ଇଡି ଦ୍ୱାରା ରୁଜୁ କରାଯାଇଥିବା ମନି ଲଣ୍ଡରିଂ ମାମଲା ଏବେ ବି ପେଣ୍ଡିଂ ରହିଛି ।