କେଦାରନାଥ ଧାମରେ ନୂଆ ରେକର୍ଡ, ୧୮ ଦିନରେ ବାବାଙ୍କ ଦର୍ଶନ କଲେ ୫ ଲକ୍ଷ ଭକ୍ତ

ଚଳିତ ବର୍ଷ ମାତ୍ର ୧୮ ଦିନରେ ପାଞ୍ଚ ଲକ୍ଷରୁ ଅଧିକ ଭକ୍ତ କେଦାରନାଥ ଯାଇ ବାବା କେଦାରଙ୍କ ଦର୍ଶନ କରିଛନ୍ତି । ଯାହା ପୂର୍ବ ବର୍ଷଗୁଡ଼ିକର ଥିବା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି ।

Kedarnath Dham

କେଦାରନାଥ ଯାତ୍ରାରେ ଅସମ୍ଭାଳ ଭିଡ଼ । ବାବା କେଦାରଙ୍କୁ ଦେଖିବା ପାଇଁ ଭକ୍ତମାନେ ଅସମ୍ଭାଳ ଭିଡ଼ ଜମାଇଛନ୍ତି । କେଦାରଘାଟୀଠାରୁ ଆରମ୍ଭ କରି କେଦାରନାଥ ଧାମ ପର୍ଯ୍ୟନ୍ତ ଭରପୂର ତୀର୍ଥଯାତ୍ରୀ । ଚଳିତ ବର୍ଷ ଯେତିକି ଭକ୍ତ ବାବାଙ୍କୁ ଦର୍ଶନ କରିବେ ବୋଲି ଆକଳନ କରାଯାଉଥିଲା ତାଠୁ ଢେର ଅଧିକ ଭକ୍ତ ବାବ କେଦାରଙ୍କ ଦର୍ଶନ କରିଛନ୍ତି । ଚଳିତ ବର୍ଷ ମାତ୍ର ୧୮ ଦିନରେ ପାଞ୍ଚ ଲକ୍ଷରୁ ଅଧିକ ଭକ୍ତ କେଦାରନାଥ ଯାଇ ବାବା କେଦାରଙ୍କ ଦର୍ଶନ କରିଛନ୍ତି । ଯାହା ପୂର୍ବ ବର୍ଷଗୁଡ଼ିକର ଥିବା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି ।

ଚଳିତ ଥର ଆରମ୍ଭରୁ ଏ ପର୍ଯ୍ୟନ୍ତ, ତିରିଶ ହଜାରରୁ ଅଧିକ ଭକ୍ତ ପ୍ରତିଦିନ ବାବା କେଦାରଙ୍କ ଦର୍ଶନ କରିବାକୁ ଆସୁଛନ୍ତି । କେଦାରନାଥ ଧାମ ଯାତ୍ରା ଉପରେ ମଧ୍ୟ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି । ତୀର୍ଥଯାତ୍ରୀମାନଙ୍କୁ ଚାଲିବା ମାର୍ଗ ସହିତ ଶୌଚାଳୟ, ବିଦ୍ୟୁତ, ସଂଚାର, ରହିବା ଏବଂ ଖାଦ୍ୟ ଭଳି ସୁବିଧା ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ପ୍ରତ୍ୟେକ ହେଲିପ୍ୟାଡ୍‌, କେଦାରନାଥ ଧାମ, ଚଲାପଥ ଏବଂ ରାଜପଥକୁ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି।

ଅଧିକ ପଢ଼ନ୍ତୁ: ରାମ ମନ୍ଦିରକୁ ମୋବାଇଲ୍‌ ମନା; ଟ୍ରଷ୍ଟ ପକ୍ଷରୁ ନିୟମ ଲାଗୁ

ଯାତ୍ରୀଙ୍କ ସୁରକ୍ଷା ଏବଂ ସେବା ପାଇଁ ରୁଦ୍ର ପ୍ରୟାଗ ପ୍ରଶାସନ ପକ୍ଷରୁ PRD, ହୋମଗାର୍ଡ, ପୋଲିସ, SDRF, ଯାତ୍ରା ମ୍ୟାନେଜମେଣ୍ଟ ଫୋର୍ସ, ସେକ୍ଟର ମାଜିଷ୍ଟ୍ରେଟଙ୍କ ବ୍ୟତୀତ DDRF କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସୋନପ୍ରୟାଗ, ଗୌରୀକୁଣ୍ଡ ଓ କେଦାରନାଥ ଧାମରେ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ ମଧ୍ୟ କରାଯାଉଛି ।

ସେହିପରି ଯେଉଁ ଯାତ୍ରୀମାନଙ୍କୁ ଅକ୍ସିଜେନ୍‌ ଆବଶ୍ୟକ ସେମାନଙ୍କୁ ଏହା ମଧ୍ୟ ଯୋଗାଇ ଦିଆଯାଉଛି । ଘୋଡା, ଖଚର ଏବଂ ସେମାନଙ୍କ ସଞ୍ଚାଳକଙ୍କ ଯୋଗୁଁ ଯେପରି ଫୁଟପାଥ୍‌ରେ ଚାଲୁଥିବା ଯାତ୍ରୀ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଏକ ମନିଟରିଂ ଟିମ୍‌ ମଧ୍ୟ ନିୟୋଜିତ କରାଯାଇଛି ।