Advertisment

ଆତଙ୍କୀଙ୍କ କ୍ରମାଗତ ଟାର୍ଗେଟ୍ କିଲିଂ: କାଶ୍ମୀରରେ ଫେରୁଛି କି ୧୯୯୦ର ସ୍ଥିତି ?

ଗଲା ମାସକ ଭିତରେ ଭାରତର ଭୂସ୍ୱର୍ଗ କାଶ୍ମୀର ଅପେକ୍ଷାକୃତ ଅଧିକ ଅଶାନ୍ତ ହୋଇଛି।

author-image
Chandan Shishu

କାଶ୍ମୀର ସୁରକ୍ଷା ପ୍ରସଙ୍ଗରେ ଦିଲ୍ଲୀରେ ହାଇ ଲେବଲ୍ ମିଟିଂ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଦେଶର ସବୁ ପ୍ରମୁଖ ସୁରକ୍ଷା ସଂସ୍ଥାର ମୁଖିଆଙ୍କ ବୈଠକ। ଜାମ୍ମୁ ଓ କାଶ୍ମୀରରେ ଗଲା କିଛି ଦିନ ଧରି ଲଗାତାର ଭାବେ ବଢି ଚାଲିଥିବା ଟାର୍ଗେଟ୍ କିଲିଂ ଘଟଣା ଓ ଏହାର ମୁକାବିଲା ଲାଗି ରଣନୀତି ସ୍ଥିର କରିବାକୁ ଆଜି ନୂଆଦିଲ୍ଲୀ ନର୍ଥବ୍ଲକ ସ୍ଥିତ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଅମିତ ଶାହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏ ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳସେନା ମୁଖ୍ୟ ଜେନରାଲ ମନୋଜ ପାଣ୍ଡେ, ଗୃହ ସଚିବ ଅଜୟ କୁମାର ଭାଲା, ର' ମୁଖ୍ୟ ସାମନ୍ତ ଗୋଏଲ, ସିଆରପିଏଫ ଡିଜି କୁଲଦୀପ ସିଂ, ବିଏସଏଫ୍ ମୁଖ୍ୟ ପଙ୍କଜ ସିଂହ, ଜମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ବି ଉପସ୍ଥିତ ଥିଲେ। ଆଜିର ଏ ବୈଠକ ପରେ ସ୍ଥିତି ସମୀକ୍ଷା ଲାଗି ଗୃହମନ୍ତ୍ରୀ ଅମିତ ଶାହା ଖୁବଶୀଘ୍ର ଗ୍ରାଉଣ୍ଡ ଜିରୋକୁ ଯିବେ ବୋଲି ସୂଚନା ମିଳିଛି।

Advertisment

ଗଲା ମାସକ ଭିତରେ ଭାରତର ଭୂସ୍ୱର୍ଗ କାଶ୍ମୀର ଅପେକ୍ଷାକୃତ ଅଧିକ ଅଶାନ୍ତ ହୋଇଛି। ପୁଣି ହଠାତ ହିଂସ୍ର ହୋଇଛନ୍ତି, ନୀରବ ଓ ଶାନ୍ତ ଥିବା ଉଗ୍ରବାଦୀ ଗୋଷ୍ଠୀ। ବିଶେଷକରି ହିନ୍ଦୁ, କାଶ୍ମୀର ପଣ୍ଡିତ ଓ କାଶ୍ମୀର ବାହାରର ଲୋକଙ୍କୁ ଲଗାତର ଟାର୍ଗେଟ୍ କିଲିଂ ହେଉଛି। ଉପତ୍ୟକାରେ ହିଂସାର ଏ ନୂଆ ସିରିଜ୍ ଉପରେ ନଜର ପକାଇଲେ, ମେ ପହିଲାରୁ ଆଜି ଯାଏଁ ୯ ଜଣ ଲୋକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ମେ ୧୨ରେ ତହସିଲ ଅଫିସ୍ କର୍ମଚାରୀ ରାହୁଲ ଭଟ୍ଟ, ମେ ୨୫ରେ ଟିଭି ଅଭିନେତ୍ରୀ ଅମ୍ରିନ୍ ଭଟ୍ଟ, ମେ ୩୧- ସ୍କୁଲ ଶିକ୍ଷୟିତ୍ରୀ ରଜନୀ ବାଲା ଏମାନଙ୍କ ସହ ଅଫ୍ ଡ୍ୟୁଟିରେ ଥିବା ୩ ପୋଲିସ କର୍ମଚାରୀ, ଜଣେ ବ୍ୟବସାୟୀ ଏବଂ ଗତକାଲି କୁଲଗାମରେ ଆତଙ୍କୀଙ୍କ ଶିକାର ପାଲଟିଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର ଓ ଜଣେ ବିହାରର ଶ୍ରମିକ। ଜାମ୍ମୁ ଓ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାର କଡ଼ା ମୁକାବିଲା ଓ ଜାଗ୍ରତ ରହିବା ସତ୍ତ୍ୱେ ଥମିନି ଆତଙ୍କୀଙ୍କ ନରସଂହାର। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଯୋର ହେଉଛି।

ତେବେ ଜାମ୍ମୁ ଓ କାଶ୍ମୀରରେ ପୁନର୍ବାର ଆତଙ୍କୀଙ୍କ ଏଭଳି ଲଗାତାର ରକ୍ତର ହୋଲି ଓ ହିନ୍ଦୁ ବିରୋଧୀ ନିଶାନା ପରେ ଘାଟିରେ ୯୦ ଦଶକର ଆତଙ୍କ ଫେରିଲା କି ବୋଲି ଚର୍ଚ୍ଚା ଜୋର ଧରିଛି। ସେପଟେ ବିଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକଙ୍କୁ ଦଣ୍ଡ ବିଧାନ ପରେ ଏଭଳି ଘଟଣା ଆହୁରି ବଢିଥିବା ଆଶଙ୍କା କରାଯାଉଛି।  ଏଭଳି ଘଟଣା ଭିତରେ ନିଜ ଜୀବନ ବଞ୍ଚାଇବା ଲାଗି ବହୁ କାଶ୍ମୀରୀ ପଣ୍ଡିତ ନିଜ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଉ କିଛି ଭୟଭୀତ ହୋଇ ଘର ଛାଡ଼ୁଥିବା ଦେଖିବାକୁ ମିଳୁଛି।

Advertisment
Kashmiri Pandit Target Killing
Advertisment
Advertisment