• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସରୁ ଅଲଗା ହୋଇଥିବା ନେତା ଗୁଲାମନବୀ ଆଜାଦଙ୍କୁ ଆତଙ୍କବାଦୀ ସଂଗଠନର ଧମକ । ଜାମ୍ମୁ କାଶ୍ମୀରରେ ଏକ ନୂତନ ରାଜନୈତିକ ଇନିଂସ ଆରମ୍ଭ ପୂର୍ବରୁ ଗୁଲାମନବୀ ଆଜାଦଙ୍କୁ ଲଶ୍କର-ଇ-ତୋଇବା ସହ ଜଡିତ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍ଗୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଧକମଭରା ପୋଷ୍ଟର ଜାରି କରିଛି ଆତଙ୍ଗୀ ସଂଗଠନ ।

ଜାମ୍ମୁ କାଶ୍ମୀର ରାଜନୀତିରେ ଗୁଲାମ ନବୀ ଆଜାଦଙ୍କ ପ୍ରବେଶ ଅଚାନକ୍‌ ନୁହେଁ ବୋଲି ଆତଙ୍କବାଦୀ ସଂଗଠନର ପୋଷ୍ଟର ଉଲ୍ଲେଖ ହୋଇଛି । ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ । ପୁରୁଣା ଦଳ ଅର୍ଥାତ୍ କଂଗ୍ରେସରେ ଥିବା ସମୟରେ ହିଁ ସମ୍ପୂର୍ଣ୍ଣ ପ୍ଲାନିଂ ପ୍ଲଟିଂ କରିସାରିଥିଲେ ବରିଷ୍ଠ ନେତା । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଗୁଲାମନବୀ ଆଜାଦଙ୍କର ରୁଦ୍ଧଦ୍ୱାର ବୈଠକ ମଧ୍ୟ ହୋଇଛି । ଏହି ପୋଷ୍ଟରରେ ଆହୁରି ଦର୍ଶାଯାଇଛି, ଭାରତୀୟ ଜନତା ପାର୍ଟି ବିସ୍ଥାପିତ କାଶ୍ମୀରୀ ପଣ୍ଡିତମାନଙ୍କୁ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହାର କରୁଛି।

କାହିଁକି ଟାର୍ଗେଟରେ ଗୁଲାମନବୀ ?

ନିକଟରେ ଗାନ୍ଧି ପରିବାରର ଅତି ଘନିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡି ଏକ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ତାଙ୍କ ଦଳ ଜାମ୍ମୁ କାଶ୍ମୀରର ରାଜନୀତି ଉପରେ ଅଧିକ ଫୋକସ୍‌ କରିବ ବୋଲି ସେ କହିଛନ୍ତି । ନିକଟରେ ସେ ବାରମୁଳା ଠାରୁ ତାଙ୍କର 'ମିଶନ କାଶ୍ମୀର' ଆରମ୍ଭ କରିଛନ୍ତି । ଏହି ରାଲିରେ ସେ ଧାରା ୩୭୦ ସମ୍ପର୍କରେ ମଧ୍ୟ ଏକ ବଡ଼ ବୟାନ୍‌ ଦେଇଛନ୍ତି । ଆଜାଦ କହିଛନ୍ତି, ମୋ ଉପରେ ଅଭିଯୋଗ ହୋଇଛି, ବିରୋଧୀ ଦଳର ନେତା ହୋଇଥିବାରୁ ମୁଁ ପୁଣି ଥରେ ଧାରା ୩୭୦କୁ କାର୍ଯ୍ୟକାରୀ କରିପାରିବି ନାହିଁ ? ତେବେ ରାଜନୈତିକ ଲାଭ ପାଇଁ ମୁଁ କଦାପି ଲୋକଙ୍କୁ ବୋକା ବନେଇବି ନାହିଁ, ଯାହା ମୋ ପାଇଁ ସମ୍ଭବ ନୁହେଁ । ମୁଁ ଏପରି କେବେ କରିବି ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଅଗଷ୍ଟ ୨୬ରେ ଦଳ ସହ ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫାପତ୍ରରେ ସେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ ନେଇ ବର୍ଷିଥିଲେ । ସୋନିଆ ଦଳର ଅଧକ୍ଷା ଥିଲେ ମଧ୍ୟ ରାହୁଲଙ୍କ ସିକ୍ୟୁରିଟି ଗାର୍ଡ ଓ ପିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବାର ସଂଗୀନ ଅଭିଯୋଗ ଲଗାଇଥିଲେ ।