• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଙ୍ଗାଲୁରୁ:  ପବିତ୍ର ଗୃହରେ ସମ୍ବେଦନଶୀଳ ପ୍ରସଙ୍ଗରେ ବିଧାୟକଙ୍କ ବିବାଦୀୟ ବୟାନ୍ । କଂଗ୍ରେସ ବିଧାୟକ ତଥା କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି ରମେଶ କୁମାର ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଜଣେ ଲୋକ ପ୍ରତିନିଧି ହୋଇ ଗୃହର ମର୍ଯ୍ୟାଦା ହାନୀ କରିବା ସହ ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ମନ୍ତବ୍ୟ ଦେବା ସତରେ ନିନ୍ଦନୀୟ । ଅଧିବେଶନରେ ଆଲୋଚନା ଚାଲିଥିବା ସମୟରେ ଏକ ଲଜ୍ଜାଜନକ ମନ୍ତବ୍ୟ ଦେଇ ରମେଶ କୁମାର କହିଛନ୍ତି, ଦୁଷ୍କର୍ମ ଯଦି ହେବାର ହିଁ ଅଛି, ଏହାର ମଜା ନିଅ । ତାଙ୍କର ଏପରି ବୟାନ୍ ମହିଳାଙ୍କ ପ୍ରତି ଅପମାନଜନକ । ତେବେ ଏହି ବିବୃତ୍ତି ସମ୍ପର୍କରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି ।

ଗୃହରେ ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ବେଳେ ଅନେକ ବିଧାୟକ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ଅସୁବିଧା ବିଷୟରେ କହିବାକୁ ଚାହୁଁଥିଲେ । ହେଲେ ସମୟ ଅଭାବରୁ ଆଲୋଚନା ସନ୍ଧ୍ୟା ୬ଟାରେ ଶେଷ କରିବାକୁ ଚାହୁଁଥିଲେ ବାଚସ୍ପତି ବିଶ୍ୱେଶ୍ୱର ହେଗଡେ । କିନ୍ତୁ ସବୁଥର ପରି ବିଧାୟକମାନେ ହୋହାଲ୍ଲା କରି ଆଲୋଚନା ସମୟ ବଢ଼ାଇ‍ବାକୁ ଦାବି କରୁଥିଲେ ।

ଏହା ପରେ ବାଚସ୍ପତି ମଜାଳିଆ ସ୍ୱରରେ କହିଥିଲେ, ସମସ୍ତଙ୍କୁ ସମୟ ଦେଲେ ଆଜିର ଅଧିବେଶନ ଆଉ ଶେଷ ହେବନାହିଁ । ମୁଁ ଏପରି ସ୍ଥିତିରେ ଅଛି ଯେଉଁଠାରେ କେବଳ ହଁ ହଁ ମାରିବାକୁ ପଡ଼ିବ, ଆଉ ମଜା ନେବାକୁ ପଡ଼ିବ । ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ବ୍ୟବସ୍ଥିତ ଢ଼ଙ୍ଗରେ ଆଲୋଚନା ହେବ, ସମସ୍ତଙ୍କୁ ଅଳ୍ପ ସମୟ ହେଲେ ମଧ୍ୟ ନିଜର କଥା ରଖିବାର ସୁଯୋଗ ମିଳିବ ।

ତେବେ ଏହାରି ଭିତର ବାଚସ୍ପତିଙ୍କ କଥା କାଟିବା ସହ ପୂର୍ବତନ ମନ୍ତ୍ରୀ ରମେଶ କୁମାର ବାଚସ୍ପତିଙ୍କ ସ୍ଥିତିକୁ ଦୁଷ୍କର୍ମ ସହ ତୁଳନା କରିଥିଲେ । ସେ କହିଥିଲେ ଲୋକକଥା ଅଛି, ଯେତେବେଳେ ଦୁଷ୍କର୍ମ ହେବାର ହିଁ ଅଛି ଶୋଇପଡ଼ ଏବଂ ମଜା କର । ବାଚସ୍ପତି ମହାସୟ ମଧ୍ୟ ବର୍ତ୍ତମାନ ସମାନ ସ୍ଥିତିରେ ଅଛନ୍ତି । ତେବେ ରମେଶ କୁମାରଙ୍କ ଏହି ବିବୃତ୍ତି ପାଇଁ ସମସ୍ତେ ତାଙ୍କୁ ଟାର୍ଗେଟ କରିଛନ୍ତି ।

ବରିଷ୍ଠ କଂଗ୍ରେସ କର୍ମୀ ରମେଶ କୁମାର ବିବାଦୀୟ ବୟାନ୍ ଦେବା ପ୍ରଥମ ଥର ନୁହେଁ । ୨୦୧୯ରେ ମଧ୍ୟ ସ୍ପିକର୍ ଥିବେ ସତ୍ତ୍ୱେ ନିଜକୁ ଦୁଷ୍କର୍ମ ପୀଡ଼ିତା ସହ ତୁଳନା କରି ଏକ ବଡ ବିବାଦ ସୃଷ୍ଟି କରିଥିଲେ । ରମେଶ କୁମାରଙ୍କ ଏହି ବିବୃତ୍ତି ପରେ କେବଳ ତାଙ୍କ ଦଳର ବିଧାୟକ ନୁହଁନ୍ତି ମହିଳା ସଦସ୍ୟମାନେ ମଧ୍ୟ ଗୃହରେ ବିରୋଧ ପ୍ରଦର୍ଶନ କରିଥିଲେ । ଏଥିପାଇଁ ତାଙ୍କୁ ନିନ୍ଦା କରାଯାଇଥିଲା ।

ବର୍ତ୍ତମାନ ସମୟରେ ତାଙ୍କର ସେହି ବିବାଦୀୟ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଭଳି ବିବୃତ୍ତି ପାଇଁ ଗୃହରେ ସମସ୍ତ ମହିଳା, ପ୍ରତ୍ୟେକ ମା, ପ୍ରତ୍ୟେକ ଭଉଣୀ ଏବଂ ଝିଅଙ୍କୁ ସେ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ବିଧାୟକ ସୌମ୍ୟା ରେଡ୍ଡି ।