• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟୁର କୋଳରେ କୁନି କୁନି ପିଲା । ଜୀବନ କ’ଣ ଜାଣିବା ପୂର୍ବରୁ ଗଙ୍ଗା ନଦୀରେ ଛଅ ପିଲାଙ୍କ ସଲିଳ ସମାଧି । ଖୁସିର ମାହୋଲରେ ଛାଇଗଲେ ଦୁଃଖର ଲହରୀ । ମଙ୍ଗଳବାର ଉତ୍ତରପ୍ରଦେଶର କାନପୁରରେ ଛଅ ଜଣ ପିଲା ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣକର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କ ମୃତଦେହକୁ ଖୋଜୁଛି ପୋଲିସ୍ । ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ବୁଡ଼ାଳିର ଏକ ଟିମ୍ ବୁଧବାର ସକାଳୁ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି । ହେଲେ ଏପର୍ଯ୍ୟନ୍ତି ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇ ପାରି ନାହିଁ ।

ତେବେ ବର୍ତ୍ତମାନ ମୃତ୍ୟୁ ପରେ ସେମାନଙ୍କ ଶେଷ ଫଟୋ ସାମ୍ନାକୁ ଆସିଛି । ଅଘଟଣ ଘଟିବାର କିଛି ମିନିଟ୍ ପୂର୍ବରୁ ଏହା ଏକ ଚିତ୍ର ଉତ୍ତୋଳନ କରାଯାଇଥିବା ସୂଚନା ଯାଇଛି । ଫଟୋ ଉଠାଇବାର କିଛି ମିନିଟ୍ ପରେ ହିଁ ଏକ କୁନି ଝିଅ ଯାଇଥିଲା । ଆଉ ତାକୁ ବଞ୍ଚାଇବାକୁ ଯାଇ ୫ ଜଣ ପିଲା ମଧ୍ୟ ଜଣକ ପରେ ଜଣେ ବୁଡ଼ିଗଲେ । ଏହି ଅଘଟଣରେ ସମସ୍ତଙ୍କ ଜୀବନ ଚାଲିଯାଇଥିବା କୁହାଯାଉଛି । ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପାଞ୍ଚ ଜଣ ନିଖୋଜ ଅଛନ୍ତି ।

ସୂଚନା ଅନୁସାରେ ଜଣେ ସମ୍ପର୍କୀୟଙ୍କ ଦୋକାନ ଉଦଘାଟନରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ ଅନୁଷ୍କା, ତନୁ, ମନୁ, ଅଂଶିକା, ଅଭୟ ଏବଂ ସୌରଭ । ସେମାନଙ୍କ ସମେତ ସମସ୍ତ ସମ୍ପର୍କୀୟଙ୍କ ପିଲାମାନେ ଏଥିରେ ଯୋଗଦେବାକୁ ଆସିଥିଲେ । ଏକାଠି ହେବା ପରେ ମଙ୍ଗଳବାର ଅପରାହ୍ନରେ ଗଙ୍ଗା କୂଳରେ ଛିଡ଼ା ହୋଇ ଫଟୋ ଉଠାଇବା ପାଇଁ ପୋଜ୍‌ ଦେଇଥିଲେ । ଆଉ ସେହି ସମୟରେ ଅଂଶିକା ବୁଡ଼ିବାରେ ଲାଗିଥିଲା ।

ଆଉ ତା’କୁ ବଞ୍ଚାଇବାକୁ ଯାଇ ସମସ୍ତେ ଜଣ ଜଣ କରି ନଦୀକୁ ଡେଇଁଥିଲେ । ହେଲେ ସେଠାରେ ପାଣି ଗଭୀର ଥିବାରୁ ପାଣି ଭିତରେ ବୁଡ଼ିଗଲେ । ତେବେ ଏହି ଘଟଣା ପରେ ପରିବାରରେ କାନ୍ଦବୋବାଳି ପଡ଼ିଛି । ଗତ ସଂନ୍ଧ୍ୟାରେ ଏସଡିଆରଏଫ ଦଳ ପହଞ୍ଚିଥିଲେ, ଆଉ କେବଳ ସୌରଭଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଆଉ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରିବା ପାଇ ବୁଧବାର ସକାଳୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍‌ । ପୋଲିସ ସୂଚନା ଅନୁସାରେ, ବିଲୋର ଘାଟ ବ୍ୟତୀତ ଅନ୍ୟ ସବୁ ଘାଟରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏସଡିଆରଏଫ, ପୋଲିସ ଏବଂ ବୁଡ଼ାଳିଙ୍କ ଏକ ଟିମ୍‌ ପିଲାଙ୍କ ମୃତଦେହ ଖୋଜୁଛନ୍ତି, ଶୀଘ୍ର ସେମାନଙ୍କ ମୃତଦେହ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି ।