• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦର୍ଶକଙ୍କ ପାଇଁ ଖେଳ ଯେତିକି ମଜାଦାର, ଖେଳାଳିଙ୍କ ପାଇଁ ସେତିକି ଭୟଙ୍କର । ବେଳେବେଳେ ସାମାନ୍ୟ ଅସାବଧାନତା ପାଇଁ ଖେଳାଳିଙ୍କ ଜୀବନ ଚାଲିଯାଏ । ନିକଟରେ ଜଣେ କବାଡି ଖେଳାଳିଙ୍କ ସହିତ ଏପରି ଘଟଣା ଘଟିଛି । ସାମାନ୍ୟ ଭୁଲ ହେତୁ ଖେଳ ଦେଖାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର ଥିରୁବନ୍ନମଲାଇ ଜିଲ୍ଲାର ଆରାନି ସହରର ‌ଏପରି ଅଭାବନୀୟ ଘଟଣା ଘଟିଛି । ମରିମ୍ମନ ମନ୍ଦିରରେ ଏକ ପର୍ବ ପାଳନ କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି ।

ଚଳିତ ମାସ ଅଗଷ୍ଟ ୮ରେ ୩୪ ବର୍ଷୀୟ କବାଡି ଖେଳାଳି ବିନୋଦ କୁମାରଙ୍କ ମୃତ୍ୟୁ ଘଟିଛି । ମନ୍ଦିରେ ହେଉଥିବା ଉତ୍ସବରେ ବିନୋଦ ଖେଳର କୌଶଳ ପ୍ରଦର୍ଶନ କରୁଥିବା ବେଳେ ଜୀବନ ଚାଲିଯାଇଛି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଖେଳ ଦେଖାଇବା ସମୟରେ ବିନୋଦ କୁମାରଙ୍କ ବେକ ମୋଡ଼ି ହୋଇ ତଳେ ପଡ଼ିଯାଆନ୍ତି, ହେଲେ ଆଉ ଉଠି ପାରନ୍ତି ନାହିଁ ।

ତେବେ ବିନୋଦ ତଳେ ପଡ଼ିଯିବା ପରେ ଦେଖଣାହାରୀ ତୁରନ୍ତ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରନ୍ତି । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ପ୍ରାଥମିକ ଚିକିତ୍ସା କରି ବିନୋଦ କୁମାରଙ୍କୁ ଭେଲୋରର ସରକାରୀ ମେଡିକାଲ କଲେଜକୁ ରେଫର୍ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିନୋଦ କୁମାରଙ୍କ ମୃତ୍ୟୁ ହୋଇଛି ।

ଖେଳ ଦେଖାଇବା ସମୟରେ ବିନୋଦ କୁମାରଙ୍କ ବେକରେ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ବିନୋଦ କୁମାର ନିଜ କବାଡି ଦଳ ସହିତ ଉତ୍ସବରେ ପହଞ୍ଚିଥିଲେ । ସାଥୀଙ୍କ ସହ ମନ୍ଦିର ସାମ୍ନାରେ ଖେଳ ଦେଖାଉଥିଲେ । ଆଉ ସେଇଠି ହିଁ ଜୀବନ ଚାଲିଯାଇଛି ।