Jagannath Dham
‘ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କହିବା ଠିକ୍ ନୁହେଁ । ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ହେଲା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ପାଇଁ ଧାମ ଶବ୍ଦ ବ୍ୟବହାର କରାଯିବା ଅନୁଚିତ ।' ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ 'ଜଗନ୍ନାଥ ଧାମ' ବୋଲି କୁହାଯିବା ପ୍ରସଙ୍ଗରେ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରନନ୍ଦ ସରସ୍ୱତୀ ।
ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ଧାମକୁ କୁହାଯିବାକୁ ନେଇ ବିବାଦ ଥମୁନି । ସାରା ଓଡ଼ିଶାରେ ପ୍ରବଳ ବିରୋଧ ଓ ବିବାଦ ପରେ ଗତକାଲି ପଶ୍ଚିମବଙ୍ଗ ସରକାର ଦୀଘା ମନ୍ଦିରର ଗୋଟିଏ ସ୍ଥାନରୁ ଜଗନ୍ନାଥ ଧାମ ଲେଖାଥିବା ଫଳକ ହଟାଇଥିବା ନେଇ ଖବର ପ୍ରସାରଣ ହୋଇଥିଲା । ହେଲେ ଆଜି ପୁଣି ମମତା ସରକାର ମନ୍ଦିର ଆଗରେ ଆଉ ଏକ ସ୍ଥାୟୀ 'ଜଗନ୍ନାଥ ଧାମ' ହୋର୍ଡିଂ ଲଗାଇଥିବା ଦେଖାଯାଇଛି । ଏହି ବିବାଦ ଭିତରେ ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ମଧ୍ୟ ଦୀଘା ପାଇଁ 'ଧାମ' ଶବ୍ଦ ବ୍ୟବହାର କରାଯିବା ବିପକ୍ଷରେ ମତ ବାଢ଼ିଛନ୍ତି ।
ଅଧିକ ପଢ଼ନ୍ତୁ: ମମତାଙ୍କ ନାଲିଆଖି: ପୁଣି ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ...
ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ 'ଧାମ' ଅଛି ଯାହା ପୁରୀରେ ଅଛି । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଗତକାଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଦୀଘା ମନ୍ଦିରକୁ ଧାମ କୁହାଯିବା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରି ପୁରୀ କେବଳ ଜଗନ୍ନାଥ ଧାମ ବୋଲି କହିଥିଲେ ।
ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ 'ଧାମ' ପ୍ରସଙ୍ଗରେ ମମତା ସରକାରକୁ ଚେତାବନୀ ଦେଇଥିଲେ । ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ । ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇପାରିବ ନାହିଁ । ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ । ଏନେଇ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ । ସେ ନ ମାନିଲେ ଆମେ ଆଇନର ଆଶ୍ରୟ ନେବୁ କହିଥିଲେ ପୃଥ୍ୱୀରାଜ । ଏହାସତ୍ତ୍ୱେ ନିଜ ଅହଙ୍କାର ଓ ଜିଦ୍ ଛାଡୁନାହାନ୍ତି ମମତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746518074.jpg)