ପର୍ଯ୍ୟଟନ ଦୃଷ୍ଟିକୋଣରୁ ଯୋଶୀମଠର ରହିଛି ପ୍ରମୁଖ ଭୂମିକା । ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏଥିଯୋଗୁଁ ଏହି ସ୍ଥାନର ଦ୍ରୁତ ବିକାଶ ହେବା ସହ ବଡ଼ ବଡ଼ ହୋଟେଲ ଏବଂ ଅନେକ ରିସୋର୍ଟ ଗଢ଼ିଉଠିଛି । ପର୍ଯ୍ୟଟକଙ୍କ ଆଗମନ ସହ ଏଠାକାର ଲୋକମାନଙ୍କୁ ମିଳିଥାଏ ରୋଜଗାର । ହୋଟେଲ ଶିଳ୍ପ ଚାଲିବା ସହ ପାରିପାର୍ଶ୍ୱିକ କ୍ଷୁଦ୍ର ବ୍ୟବସାୟ ମଧ୍ୟ ବଢ଼ିଥାଏ । ହେଲେ ଏବେ ଆଉ ସେଭଳି ସ୍ଥିତି ନାହିଁ ସହର ଦବିଦବି ଯାଉଥିବା ବେଳେ ଏଠାକୁ ପର୍ଯ୍ୟଟକଙ୍କ ଆସିବା ପ୍ରାୟତଃ ବନ୍ଦ ହୋଇଗଲାଣି । ଫଳରେ ଅନେକ ହୋଟେଲ ଏବେ ବନ୍ଦ ହେବାକୁ ବସିଥିବା ବେଳେ, କିଛି ହୋଟେଲକୁ ବିପଦସଙ୍କୁଳ ଘୋଷଣା କରି ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି... ।
ପାହାଡ଼, ନଦୀ, ଆକାଶ ସବୁ ମିଶି ଯୋଶୀମଠରେ ସୃଷ୍ଟି କରନ୍ତି ଏକ ଅପୂର୍ବ ପ୍ରାକୃତିକ ଦୃଶ୍ୟ । ଚାରିଧାମ ଯାତ୍ରା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଯୋଶୀମଠ ହେଉଛି ପ୍ରମୁଖ ରହଣୀସ୍ଥଳ । ହେମକୁଣ୍ଡ, ଆଉଲି, କୁଆରୀ ପାସ୍ ଟ୍ରେକ୍ ଓ ଭ୍ୟାଲି ଅଫ୍ ଫ୍ଲାଓ୍ୱାର୍ସକୁ ଯାଉଥିବା ପର୍ଯ୍ୟଟକମାନେ ବି ଏଇଠୁ ଯାତ୍ରା ଆରମ୍ଭ କରିଥାନ୍ତି । ଶ୍ରଦ୍ଧାଳୁ ହୁଅନ୍ତୁ ଅବା ସାଧାରଣ ପର୍ଯ୍ୟଟକ ଯୋଶୀମଠକୁ ପ୍ରତିବର୍ଷ ବାହାରୁ ଆସନ୍ତି ପ୍ରାୟ ୧୦ ଲକ୍ଷ ଲୋକ ।
Also Read
ସେଥିପାଇଁ ଏଠି ବେଶ୍ ସମୃଦ୍ଧ ପର୍ଯ୍ୟଟନ ଶିଳ୍ପ । ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାକୁ ଏଠି ଜାଗା ଜାଗାରେ ଗଢ଼ିଉଠିଛି ବହୁତଳ ହୋଟେଲ୍, ଲଜ୍ ଓ ହୋମଷ୍ଟେ । ମାତ୍ର ଅଢ଼େଇ ବର୍ଗ କିଲୋମିଟର କ୍ଷେତ୍ରରେ ଥିବା ଯୋଶୀମଠରେ ରହିଛି ପ୍ରାୟ ୩ହଜାର ୯ଶହ ବାସଗୃହ ଏବଂ ୪ଶହ ବ୍ୟାବସାୟିକ କୋଠା ।
ସୂଚନା ଅନୁସାରେ, ୨୦୧୭ରେ ଯୋଶୀମଠକୁ ୪ ଲକ୍ଷ ୪୦ ହଜାର ପର୍ଯ୍ୟଟକ ଆସିଥିବା ବେଳେ, ପରବର୍ତ୍ତୀ ୨ ବର୍ଷ ଏଥିରେ ବୃଦ୍ଧି ଘଟିଥିଲା । ୨୦୧୮ରେ ୪ ଲକ୍ଷ ୩୦ ହଜାର ଏବଂ ୨୦୧୯ରେ ୪ଲକ୍ଷ ୯୦ ହଜାର ପର୍ଯ୍ୟଟକ ଆସିଥିଲେ ଯୋଶୀମଠକୁ । ଏଠାରେ ହୋଟେଲ୍ ଶିଳ୍ପ ୨୦୨୦ ଓ ୨୦୨୧ରେ କରୋନା ପାଇଁ ବ୍ୟାପକ ଭାବେ ପ୍ରଭାବିତ ହେବା ପରେ, ୨୦୨୨ରେ ପୁଣି ଅଣ୍ଟାସଳଖି ଠିଆ ହେବାକୁ ଚେଷ୍ଟା କରିଥିଲା । ହେଲେ ୨୦୨୩ ଯେମିତି ଏ ଅଞ୍ଚଳ ପାଇଁ ଅଭିଶାପ ଆଣିଛି ।
ସହର ବିପଦ ଘେରକୁ ଚାଲିଯିବା ପରେ, ପର୍ଯ୍ୟଟନ ଶିଳ୍ପ, ହୋଟେଲ୍ ବ୍ୟବସାୟ ଏକପ୍ରକାର ଠପ୍ ହୋଇଯିବାର ଆଶଙ୍କା ଦେଖାଦେଇଛି । କ୍ଷୁଦ୍ର ବ୍ୟବସାୟ ବାଣିଜ୍ୟ ମଧ୍ୟ ପ୍ରଭାବିତ ହୋଇଛି ଯେଉଁଠି ସ୍ଥାନୀୟ ବାସିନ୍ଦା ରହିବାକୁ ସୁରକ୍ଷିତ ମଣୁନାହାନ୍ତି, ସେଠାକୁ ପର୍ଯ୍ୟଟକ ଆସିବେ କେଉଁଠୁ?
ପର୍ଯ୍ୟଟନରୁ ଉତ୍ତରାଖଣ୍ଡର ୫୦ ପ୍ରତିଶତ ରାଜସ୍ୱ ଆସୁଥିବା ବେଳେ, ଯୋଶୀମଠର ୭୦ ପ୍ରତିଶତ ଆମଦାନୀ ମଧ୍ୟ ତା’ରି ଉପରେ ନିର୍ଭର କରେ ... ।