ଦବି ଦବି ଯାଉଛି ଯୋଶୀମଠ ସହର, ନଇଁ ଗଲାଣି କୋଠାବାଡ଼ି ! ପୋତି ହୋଇଯିବ କି ସହର..

ଆଜିଠୁ ଅସୁରକ୍ଷିତ ବିଲିଂଡି ଭଙ୍ଗା ଆରମ୍ଭ କଲା ପ୍ରଶାସନ । କ୍ଷତିପୂରଣ ଦାବିରେ ଲୋକେ ଅଡ଼ି ବସିିବାରୁ ଉଚ୍ଛେଦ ସ୍ଥଗିତ ।

Joshimatha

ଦିନକୁ ଦିନ ଅଧିକ ଦବି ଦବି ଯାଉଛି ଯୋଶୀମଠର ମାଟି । ଧିରେ ଧିରେ ବଢୁଛି ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳିର ଶହ ଶହ କୋଠାବାଡ଼ିର କାନ୍ଥ ବାଡ଼ର ଫାଟ । ଗଲା କିଛି ଦିନ ଧରି ମାଟି ଦବିବାକୁ ନେଇ ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ଯୋଶୀମଠ ଅଞ୍ଚଳବାସୀଙ୍କ ଭିତରେ ଆତଙ୍କମୟ ପରିବେଶ ଲାଗି ରହିଥିବା ବେଳେ ଆଜିଠୁ ଅସୁରକ୍ଷିତ ବିଲ୍ଡିଂ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଆଜି ପ୍ରଥମ ଦଫାରେ ଯୋଶୀମଠର ଦୁଇଟି ହୋଟେଲ ମାଉଣ୍ଟ ଭିୟୁ ଓ ମଲାରି ଇନ୍‌କୁ ଭାଙ୍ଗିବା ଲାଗି ସମସ୍ତ ପ୍ରସ୍ତୁତି କରିଥିଲା ପ୍ରଶାସନ । ମାଟି ଦବିଯିବା ପରେ ଏ ଦୁଇଟି ହୋଟେଲ ପରସ୍ପର ଆଡ଼କୁ ଢଳି ଯାଇଥିବାରୁ ଆଗକୁ ବଡ଼ ଅଘଟଣ ଅନୁମାନ କରି ଆଜି ହୋଟେଲ ଦୁଇଟିକୁ ସୁରକ୍ଷିତ ଉଚ୍ଛେଦ ଲାଗି ବୁଲଡୋଜର ଲଗାଇଥିଲା ପ୍ରଶାସନ । କିନ୍ତୁ ଏହାକୁ ନେଇ ଗୁଜୁରାଣ ମେଣ୍ଟାଉଥିବା ଲୋକେ ଆଗେ କ୍ଷତିପୂରଣ ଦାବି ଓ ପୂର୍ବରୁ ନୋଟିସ ବିନା ପ୍ରଶାସନର ପଦକ୍ଷେପକୁ ଦୃଢ଼ ବିରୋଧ କରିଥିଲେ । ଫଳରେ ଏ ଦୁଇଟି ଅସୁରକ୍ଷିତ ବିଲଡିଂ ଭାଙ୍ଗିବା କାର୍ଯ୍ୟ ଏବେ ସାମୟିକ ସମୟ ପାଇଁ ସ୍ଥଗିତ ରହିଛି ।

ଯୋଶୀମଠରେ ମାଟି ଦବିବା ପ୍ରକ୍ରିୟା ଅବ୍ୟାହତ ଥିବାରୁ ଆଗକୁ କୌଣସି ଅଘଟଣ ପୂର୍ବରୁ ସତର୍କତା ପଦକ୍ଷେପ ସ୍ୱରୂପ ପ୍ରଶାସନ ପକ୍ଷରୁ ଅଞ୍ଚଳର ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି । ମାଟି ଦବୁଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଏବଂ ଅସୁରକ୍ଷିତ କୋଠାକୁ ଭାଙ୍ଗିବାର ବ୍ଲୁ ପ୍ରିଣ୍ଟ୍ ପରେ ଉତ୍ତରାଖଣ୍ଡ ସରକାର ଏବେ ପ୍ରଭାବିତ ଲୋକଙ୍କ ପୁନର୍ବାସ ଓ ପୁନର୍ଥଇଥାନ ଉପରେ ଜୋର ଦେଉଛନ୍ତି । ସେପଟେ କୋଠା ଭାଙ୍ଗିବା ବେଳେ ଯେପରି ସୁରକ୍ଷିତ କୋଠାକୁ ବିପଦ ନଆସେ ସେଥିପାଇଁ ରୁର୍କିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞଙ୍କ ପରାମର୍ଶରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି । ଏଥିରେ ସହାୟତା କରିବାକୁ ଉପସ୍ଥିତ ଅଛନ୍ତି ଏନଡିଆରଏଫ୍ ଓ ଏସଡିଆରଏଫ୍‌ର ତାଲିମ ପ୍ରାପ୍ତ ଯବାନ ।

ଅଧିକ ପଢ଼ନ୍ତୁ: ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ : ଶଙ୍କରାଚାର୍ଯ୍ୟ ମାଧବ ମଠର ଶିବଲିଙ୍ଗରେ ଫାଟ

ତେଣେ ଯୋଶୀମଠକୁ ବାଦ୍ ଦେଇ ଚାମୋଲି ଜିଲ୍ଲାର କର୍ଣ୍ଣପ୍ରୟାଗ ପୌରପାଳିକା ଅନ୍ତର୍ଗତ ବହୁଗୁଣା ନଗରରେ ମଧ୍ୟ ଭୂମିରେ ଫାଟ ଦେଖାଦେଲାଣି । ସେ ଅଞ୍ଚଳର ଲୋକ ବି ସମାନ ଧରଣର ସମସ୍ୟା ସାମ୍ନା କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଧାୟକ ।

ଏପଟେ ଯୋଶୀମଠ ଦବିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜରୁରୀ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ପ୍ରଧାନ ବିଚରାପତି ଓ୍ୱାଇ ଚନ୍ଦ୍ରଚୂଡ଼ ଅଗ୍ରାହ୍ୟ କରି ଦେଇଛନ୍ତି । ମାମଲାର ଶୁଣାଣି ଆସନ୍ତା ୧୬ ତାରିଖରେ ହେବା ଲାଗି ଦିନ ଧାର୍ଯ୍ୟ କରାଯାଇଛି ।