• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତରାଖଣ୍ଡର ଯୋଶୀମଠ ଅଞ୍ଚଳରେ ଭୂମି ଦବିବାକୁ ନେଇ ଆତଙ୍କ ପରେ । ଖାଁ ଖାଁ ଏ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ପ୍ରାୟ ୬ ଶହ ଘରେ ଫାଟ ସୃଷ୍ଟି ପରେ ପ୍ରଶାସନ କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି । ବିପଦ ମାଡ଼ି ଆସୁଥିବା ନେଇ ଅନୁମାନ କରାଯାଉଥିବା ଆହୁରି ଅନେକ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା କରୁଛି ପ୍ରଶାସନ । ଗତକାଲି କିଛି ଅଞ୍ଚଳରେ ନୋ ଏଣ୍ଟ୍ରି ଜୋନ୍ ଘୋଷଣା ସହ କୌଣସି ଅଘଟଣ ଆଶଙ୍କାରେ NDRF ଓ SDRFକୁ ମୁତୟନ ରଖିଛି । ଏପଟେ ଯୋଶୀମଠରେ ଏ ବିପର୍ଯ୍ୟୟ ସ୍ଥିତି ପରେ ତାକୁ ନେଇ ଲୋକଙ୍କ ଭିତରେ କିଭଳି ଭୟ ଓ ଶଙ୍କା ଲାଗି ରହିଛି ।

ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଯୋଶୀମଠର ଆଖାପାଖ ଅଞ୍ଚଳରେ ସ୍ଥିତି ଏବେ କହିଲେ ନସରେ । ଯୁଆଡ଼େ ଦେଖିବ, ମାଟି ଦବିବାକୁ ନେଇ ଲାଗି ରହିଛି ଭୟ ଓ ଆତଙ୍କ । ଘର, ରାସ୍ତାଘାଟ, ମନ୍ଦିର ଓ ଅନ୍ୟ ଭିତ୍ତିଭୂମି ସବୁ ଫାଟି ଆଁ କରିଛି । ତେଣେ ଅଞ୍ଚଳରେ କୌଣସି ମୂହୁର୍ତ୍ତରେ କିଛି ବଡ଼ ଅଘଟଣ ଘଟିଛିବା ଆଶଙ୍କା ଲାଗି ରହିଥିବାରୁ ଏହାକୁ ମୁକାବିଲା କରିବାକୁ ଅହରହ ସ୍ଥିତି ଉପରେ ନଜର ରଖିଛନ୍ତି ଏନଡିଆରଏଫ୍ ସମେତ ଏସଡିଆରଏଫର ୧୫ଟି ଟିମ୍ । କୌଣସି ବିପଦ ସ୍ଥିତି ସୃଷ୍ଟି ହେଲେ, ତାକୁ କେମିତି ସାମ୍ନା କରାଯାଇ ପାରିବ, ସେଥିପାଇଁ ଏମାନେ ସଦା ପ୍ରସ୍ତୁତ ରହିଛନ୍ତି... ।

ଅଧିକ ପଢ଼ନ୍ତୁ: ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ : ଶଙ୍କରାଚାର୍ଯ୍ୟ ମାଧବ ମଠର ଶିବଲିଙ୍ଗରେ ଫାଟ

ଏପଟେ ଯୋଶୀମଠରେ ଭୂମି ଦବିବା ସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ଯୋଶୀମଠ ବିପତ୍ତିର ମୁକାବିଲା ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରଳୟରେ ଉଚ୍ଚସ୍ତରୀୟ ବୈଠକ ପରେ ଗତକାଲି NDMA ଏବଂ କେନ୍ଦ୍ର ଗୃହମନ୍ତ୍ରାଳୟର ସୀମା ପରିଚାଳନା ସଚିବ ଏହି ସହର କାହିଁକି ଦବୁଛି ଏବଂ ଆଗକୁ କି ପଦକ୍ଷେପ ନିଆଯିବ, ତାର ତଦନ୍ତ ପାଇଁ ୮ ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟି ଯୋଶୀମଠର ବିପଦସଂକୁଳ ଅଞ୍ଚଳକୁ ଶୀଘ୍ର ଖାଲି କରିବାକୁ ପରାମର୍ଶ ଦେଇଛି ।

ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇ କ୍ଷତିଗ୍ରସ୍ତ ଘରଗୁଡ଼ିକୁ ଭାଙ୍ଗିଦେବା ଏବଂ ନିର୍ମାଣ ବର୍ଜ୍ୟକୁ ଯଥାଶୀଘ୍ର ହଟାଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣେ ଚାମୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ୯ଟି ମ୍ୟୁନିସିପାଲିଟି ୱାର୍ଡକୁ ଭୂସ୍ଖଳନ ଅଞ୍ଚଳ ଘୋଷଣା କରାଯାଇଛି । ୬୮ ପରିବାରକୁ ସାମୟିକ ଭାବେ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ପ୍ରଶାସନ ପ୍ରଭାବିତ ପରିବାରକୁ ଅତ୍ୟାବଶ୍ୟକ ଘରକରଣା ସାମଗ୍ରୀ ନିମନ୍ତେ ଆବଶ୍ୟକ ସହାୟତା ପାଣ୍ଠି ବି ଦେଇଛି । ସେହିଭଳି ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ କୋଠାଗୁଡିକରେ କ୍ରସ୍ ମାର୍କ ଚିହ୍ନତ କରିଛି । ବିପଦପୂର୍ଣ୍ଣ ଘୋଷଣା କରାଯାଇଥିବା ଅଞ୍ଚଳକୁ ଲୋକଙ୍କ ପ୍ରବେଶ ଉପରେ ଲଗାଯାଇଛି କଟକଣା... ।

ସମୁଦ୍ର ପତ୍ତନଠାରୁ ପ୍ରାୟ ୬ ହଜାର ୨୦୦ ଫୁଟ୍ ଉଚ୍ଚତାରେ ଥିବା ଯୋଶୀମଠ ହେଉଛି ହିନ୍ଦୁ ଧର୍ମପୀଠ । ବଦ୍ରିନାଥ ଓ ଶିଖ ଧାର୍ମିକସ୍ଥଳ ହେମକୁଣ୍ଡ ସାହିବକୁ ଯିବା ପାଇଁ ଏକମାତ୍ର ପ୍ରବେଶ ପଥ । ସେହିଭଳି ଚୀନ ସୀମାକୁ ଯିବା ଲାଗି ସେନା ମଧ୍ୟ ଯୋଶିମଠ ରାସ୍ତା ବ୍ୟବହାର କରୁଥିବାରୁ ଏହା ସାମରିକ ଦୃଷ୍ଟିରୁ ବି ଗୁରୁତ୍ୱପୂର୍ଣ୍ଣ । ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିବା ବେଳେ ଏହି ଭୂମି ଦବିବା ଆତଙ୍କ ପାଇଁ ଖାଲି ଖାଁ ଖାଁ ହେବାରେ ଲାଗିଛି ଯୋଶୀମଠ ଅଞ୍ଚଳ ।