• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୋଶୀମଠ... ଜ୍ୟୋତିର୍ମଠ ନାଁରେ ପରିଚିତ । ଜନସଂଖ୍ୟା ପ୍ରାୟ ୨୦ରୁ ୨୫ ହଜାର ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ଅବସ୍ଥିତ ଏହି ସହର ଆଧ୍ୟାତ୍ମିକ ଓ ଧାର୍ମିକ ଦୃଷ୍ଟି କୋଣରୁ ବେସ୍ ମହତ୍ୱ ରଖିଥାଏ । ମନ୍ଦିର ମାଳିନୀ ସହର, ମଠ ମନ୍ଦିରରେ ପରିପୂର୍ଣ୍ଣ ୮୦ କୋଟିରୁ ଅଧିକ ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ରସ୍ଥଳ ଜ୍ୟୋତିର୍ମଠ । ଏଠାରେ ରହିଛି କଳ୍ପବଟ, ଶଙ୍କରାଚାର୍ଯ୍ୟଙ୍କ ତପସ୍ଥଳୀ ଏବଂ ଶଙ୍କରାଚାର୍ଯ୍ୟଙ୍କ ପ୍ରଥମ ଶିଷ୍ୟଙ୍କର ଗୁମ୍ଫା । ଏହା ସହ ଏହିଠାରେ ରହିଛନ୍ତି ଭଗବାନ ନୃସିଂହ, ଭଗବତୀ ରାଜରାଜେଶ୍ୱରୀ, ଭୁବନେଶ୍ୱରୀ, ମା କାଳୀ, ମା ଚଣ୍ଡୀ ଓ ଦେବୀ ତାରା କୁହାଯାଏ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହାର ତୁଳନା ନାହିଁ । ଯୋଶୀମଠ ବିନା ବଦ୍ରିନାଥ ସମେତ ଅନ୍ୟ କେତେକ ଧାର୍ମିକସ୍ଥଳୀ ଅଛି ଯାହାର ଦର୍ଶନ କରିବା ସମ୍ଭବପର ନୁହେଁ ।

ଯୋଶୀମଠରେ ହିଁ ରହିଛି ଚାରିଧାମ ମଧ୍ୟରୁ ଅନ୍ୟତମ ବଦ୍ରିନାଥ ଧାମ । ପ୍ରତିବର୍ଷ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏଥିଯୋଗୁଁ ଏହି ସ୍ଥାନର ଦ୍ରୁତ ବିକାଶ ହେବା ସହ ବଡ଼ ବଡ଼ ହୋଟେଲ ଏବଂ ଅନେକ ରିସୋର୍ଟ ଗଢ଼ିଉଠିଛି । ଏହା ସେହି ୪ଟି ମୁଖ୍ୟ ମଠ ମଧ୍ୟରୁ ଅନ୍ୟତମ ଯାହାର ସ୍ଥାପନା ନିଜେ ଆଦି ଶଙ୍କରାଚାର୍ଯ୍ୟ କରିଥିଲେ । ଏହାର ପ୍ରକୃତ ନାମ ଜ୍ୟୋତିର୍ମଠ ଅଟେ କୁହାଯାଏ ।

ଆଦି ଶଙ୍କରାଚାର୍ଯ୍ୟ ଏଠାରେ ହିଁ ତପସ୍ୟା କରିଥିଲେ । ଯୋଶୀମଠରେ କେବଳ ବଦ୍ରିନାଥ ନୁହେଁ, ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । ଏଠାରେ ରହିଛି ଭଗବାନ ନରସିଂହଙ୍କ ମନ୍ଦିର ଆଉ ଏହି ମନ୍ଦିର ପରିସରରେ ହିଁ ୧୨ ଶହ ବର୍ଷର ପୁରୁଣା କଳ୍ପବଟ ଥିବା କୁହାଯାଏ । ଆଉ ସବୁଠୁ ବଡ଼ କଥା ଶୀତ କାଳୀନ ଅବକାଶ ବେଳେ ଭଗବାନ ବଦ୍ରିନାଥଙ୍କ ଚଳନ୍ତି ପ୍ରତିମା ୬ ମାସ ଧରି ଏଠାକୁ ଆସିଥାନ୍ତି, ଆଉ ପୂଜା ପାଇଥାନ୍ତି । ଏହାଛଡ଼ା ଯେଉଁ ଭକ୍ତମାନେ ବଦ୍ରିନାଥ ଧାମ ଦର୍ଶନ ପାଇଁ ଯାଇଥାନ୍ତି, ସେମାନଙ୍କୁ ଯୋଶୀମଠରେ ହିଁ ରଖାଯାଇଥାଏ । ଏ ଦୃଷ୍ଟିରୁ ଦେଖିଲେ ବଦ୍ରିନାଥ ଧାମର ଆଧାର ଅଟେ ଯୋଶୀମଠ ।

ଅଧିକ ପଢ଼ନ୍ତୁ: ପର୍ଯ୍ୟଟକଶୂନ୍ୟ ଯୋଶୀମଠ: କଣ ହେବ ହୋଟେଲ ଶିଳ୍ପର ଭବିଷ୍ୟତ ?

କେବଳ କୋଟି କୋଟି ହିନ୍ତୁ ନୁହଁନ୍ତି, ଶିଖମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଗୁରୁତ୍ୱ ବହନ କରୁଛି । ଶିଖମାନଙ୍କର ପବିତ୍ର ତୀର୍ଥ ସ୍ଥଳ ହେମକୁଣ୍ଡ ସାହିବ ଯିବା ରାସ୍ତାରେ ଯୋଶୀମଠ ପଡ଼ିଥାଏ, ଯାହା ଶିଖମାନଙ୍କର ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ପ୍ରମୁଖ ଅଟେ ବୋଲି କୁହାଯାଏ । ଏହାଛଡ଼ା ପର୍ବତ ଚଢ଼ିବା ପାଇଁ ହିମାଳୟ ଯାଉଥିବା ପର୍ବତାରୋହୀମାନେ ଏହିଠାରୁ ହି ସେମାନଙ୍କର ଯାତ୍ରା ଆରମ୍ଭ କରିଥାନ୍ତି । ଅନେକ ହିନ୍ଦୁ ଧର୍ମ ଗ୍ରନ୍ଥ, ସ୍କନ୍ଦ ପୁରାଣର କେଦାରଖଣ୍ଡ, ବିଷ୍ଣୁ ପୁରାଣ ଓ ଶିବ ପୁରାଣରେ ଯୋଶୀମଠର ବର୍ଣ୍ଣନା କରାଯାଇଛି । ଯୋଶୀମଠ ଠାରୁ ୧୦ କିଲୋମିଟର ଦୂରରେ ରହିଛି ଏକ ତପୋବନ । ଏଠାରୁ ବାହାରୁଥିବା ଗରମ ପାଣି ଅମୃତ ସମାନ ବୋଲି କୁହାଯାଇଥାଏ ।

ଯୋଶୀମଠରେ ଥିବା ମନ୍ଦିର ମଧ୍ୟରୁ ପ୍ରମୁଖ ମନ୍ଦିର ହେଉଛି ଭଗବାନ ନରସିଂହଙ୍କ ମନ୍ଦିର । ଏଠାରେ ଭଗବାନ ବିଷ୍ଣୁଙ୍କ ନୃସଂହ ଅବତାର ପୂଜା ପାଇଥାନ୍ତି । କୁହାଯାଏ, ମନ୍ଦିରରେ ଏହି ମୂର୍ତ୍ତି ଆଦି ଶଙ୍କରାଚାର୍ଯ୍ୟ ହିଁ ସ୍ଥାପନା କରିଥିଲେ । ଯୋଶୀମଠ ପରିସରରେ ଭଗବାନ ବଦ୍ରି ନାରାୟଣ ଓ ରାଜରାଜେଶ୍ୱରୀ ଦେବୀଙ୍କ ମନ୍ଦିର ରହିଛି ।