• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶନିବାର ରାଜସ୍ଥାନର ଯୋଧପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ହଠାତ୍ ଏକ କଲୋନୀ ଭିତରେ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଭିଥିଲା । ଯାହାକି ସମସ୍ତଙ୍କୁ ଆଚମ୍ବିତ କରିଥିଲା । ତେବେ କିଛି ସମୟ ପରେ ଜଣାପଡ଼ିଥିଲା ଯେ, ଜଣଙ୍କ ଘର ଭିତରେ ଏକକାଳୀନ ୪ଟି ଗ୍ୟାସ୍‌ ସିଲିଣ୍ଡର ଫାଟିଯାଇଛି । ଯାହାଫଳରେ ୪ ଜଣ ଜିଅନ୍ତା ଜଳିଯାଇଛନ୍ତି । ସେମାନଙ୍କ ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହି ୪ ଜଣ ହେଉଛନ୍ତି ସେହି ଘର ମାଲିକର ୩ ଜଣ ଝିଅ ଏବଂ ଶଳା । ଏହି ଘଟଣା ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ତେବେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି । କାରଣ ୪ ଜଣ ଜୀବନ୍ତ ଦଗ୍ଧ ହେବା ସହ ୧୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଗାନ୍ଧି ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବାନୁଯାୟୀ, ସେମାନଙ୍କ ମଧ୍ୟରେ ୮୦ ଭାଗରୁ ଅଧିକ ଅଂଶ ପୋଡ଼ିଯାଇଥିବା ଅନେକ ଅଛନ୍ତି ।

ତେବେ ଦୁର୍ଘଟଣାର ଖବରପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପରେ ସ୍ଥାନୀୟ ବିଧାୟକ, ପୋଲିସ କମିଶନର, ନଗର ନିଗମ ଅଧିକାରୀ ଏବଂ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁତରଙ୍କୁ ସବୁଠାରୁ ଭଲ ଚିକିତ୍ସା ଦେବା ପାଇଁ ଜିଲ୍ଲାପାଳ ଡାକ୍ତରଙ୍କୁ ନିର୍ଦ୍ଦେ଼ଶ ଦେଇଛନ୍ତି । ଏହାସହ ଅନ୍ୟମାନେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ସୂଚନାନୁସାରେ, କିର୍ତ୍ତୀ ନଗରର ଯେଉଁ ଘରେ ବିସ୍ଫୋରଣ ହୋଇଛି, ସେଠାରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର କାରବାର ହେଉଥିଲା । ସେଠାରେ ଥିବା ଅନେକ ସିଲିଣ୍ଡର ମଧ୍ୟରୁ କୌଣସି ଗୋଟିଏରୁ ଗ୍ୟାସ୍ ଲିକ୍ ହେଉଥିବା ସନ୍ଦେହ ହୋଇଥିଲା । ତେଣୁ ଜଣେ ବ୍ୟକ୍ତି ଏକ ଡିଆସିଲି କାଠି ଜାଳି ପରୀକ୍ଷା କରିବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଏହି ସମୟରେ ସିଲିଣ୍ଡର ନିଆଁ ଧରିନେଇଥିଲା, ଯହାଫଳରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ଫାଟିବାରେ ଲାଗିଥିଲା ।

ଏହି ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ସେହି ଗଳିରେ ଛିଡ଼ା ହୋଇଥିବା ଅନେକ ଲୋକଙ୍କ ଆହତ ହୋଇଥିଲେ । ଏମିତିକି ୧୬ ଜଣ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି ।