• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଂଗ୍ରେସ ଭେଟେରାନ୍ ଗୁଲାମନବୀ ଆଜାଦଙ୍କୁ ପଦ୍ମ ପୁରସ୍କାର ନେଇ ମୁହାଁମୁହିଁ ଗାନ୍ଧୀ ଅନୁଗତ ଓ ଜି-୨୩ ଗୋଷ୍ଠୀ । ଜି-୨୩ କୁହାଯାଉଥିବା ବରିଷ୍ଠ ନେତାଙ୍କ ଗୋଷ୍ଠୀ ପଦ୍ମ ସମ୍ମାନକୁ ସ୍ୱାଗତ କରିଥିବା ବେଳେ ଏହା ଦୀର୍ଘ ବର୍ଷର ଜନସେବାର ମାନ୍ୟତା ବୋଲି କହିଛନ୍ତି । ତେବେ ଗାନ୍ଧୀ ପରିବାର ଅନୁଗତମାନେ ଏହାକୁ ହଜମ କରିପାରିନାହାନ୍ତି । ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କ ଭଳି ଗୁଲାମନବୀ ଆଜାଦ ମଧ୍ୟ ପଦ୍ମ ପୁରସ୍କାରକୁ ମନା କରିଦେବା ଉଚିତ୍ ଥିଲା ବୋଲି ପରାମର୍ଶ ଦେଇଛନ୍ତି ବରିଷ୍ଠ ନେତା ଜୟରାମ ରମେଶ । ତେବେ ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଛି ।

କଂଗ୍ରେସରେ ତେଜିଲା ପଦ୍ମ ସମ୍ମାନ ଝଡ଼ । ପୁରୁଖା ରାଜନେତା ତଥା ଜାମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କୁ ପଦ୍ମ ଭୂଷଣ ସମ୍ମାନ ନେଇ କଂଗ୍ରେସରେ ଝଡ଼ । କପିଲ ସିବଲ, ଶଶୀ ଥରୁର, ଆନନ୍ଦ ଶର୍ମା ଓ ରାଜ ବବର୍ଙ୍କ ଭଳି ବରିଷ୍ଠ ନେତା ଆଜାଦଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ, ଗାନ୍ଧୀ ପରିବାର ଅନୁଗତ ଜୟରାମ ରମେଶ କଟାକ୍ଷ କରିଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ବୁଦ୍ଧଦେବ ଭଟାଚାର୍ଯ୍ୟ ପଦ୍ମ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେବାକୁ ଉଦାହରଣ ଭାବେ ନେଇ, ଗୁଲାମନବୀ ଆଜାଦଙ୍କୁ ତାଚ୍ଛଲ୍ୟ କରିଛନ୍ତି ରମେଶ । ସେ ଆଜାଦ୍ ହେବାକୁ ଚାହାଁନ୍ତି ଗୁଲାମ୍ ନୁହେଁ ବୋଲି ଟୁଇଟ୍ କରିଛନ୍ତି ।

ଅର୍ଥାତ୍ ବୁଦ୍ଧଦେବଙ୍କ ଭଳି ଗୁଲାମନବୀ ଆଜାଦ୍ ମଧ୍ୟ ପଦ୍ମ ପୁରସ୍କାରକୁ ନାଁ କହିବା ଉଚିତ୍ ଥିଲା ବୋଲି କହିବାକୁ ରମେଶ ଚାହିଁଛନ୍ତି । ତେବେ ଆଜାଦଙ୍କୁ ପଦ୍ମ ସମ୍ମାନ ମିଳିବାକୁ ସ୍ୱାଗତ କରିଛନ୍ତି କପିଲ ସିବଲ ଓ ଶଶି ଥରୁର । ଆଜାଦ୍ ହୁଏତ କଂଗ୍ରେସ ପାଇଁ ଆଲୋଡା ହୋଇ ପଡିଥାଇପାରନ୍ତି, ମାତ୍ର ଦେଶ ତାଙ୍କ ଅବଦାନକୁ ସମ୍ମାନିତ କରିଛି ବୋଲି ଲେଖିଛନ୍ତି ସିବଲ ।

ସେହିପରି ଅନ୍ୟତମ ବରିଷ୍ଠ ନେତା ଆନନ୍ଦ ଶର୍ମା ଓ ଶଶୀ ଥରୁର ଆଜାଦଙ୍କୁ ପଦ୍ମ ସମ୍ମାନ ମିଳିବା ନେଇ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ବର୍ଷର ଜନସେବାର ଏହା ମାନ୍ୟତା ବୋଲି କହିଛନ୍ତି । ଅନ୍ୟପକ୍ଷରେ ରମେଶଙ୍କ କଟାକ୍ଷର ଜବାବ ଦେଇଛନ୍ତି ଅନ୍ୟ ଜଣେ ଭେଟେରାନ ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର । ରମେଶଙ୍କ ମନ୍ତବ୍ୟ ଅତି ଲଜ୍ଜାଜନକ ଓ ଏହା ଉଭୟ ଆଜାଦ୍ ଓ ପଦ୍ମ ପୁରସ୍କାରର ମର୍ଯ୍ୟାଦାହାନୀ କରୁଛି ବୋଲି ସେ କହିଛନ୍ତି ।

ତେଣେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ବର୍ଷିଛି ମହାରାଷ୍ଟ୍ର ସରକାରରେ ସହଯୋଗୀ ଶିବସେନା । ଜୟରାମଙ୍କ ମନ୍ତବ୍ୟ ଜାତୀୟ ପୁରସ୍କାର ପ୍ରତି ସର୍ବପୁରୁତାନ ରାଜନୈତିକ ଦଳର ହୀନମାନ୍ୟତାକୁ ଦର୍ଶାଉଛି ବୋଲି ଟୁଇଟ୍ କରିଛନ୍ତି ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । ସେହିପରି ନିକଟରେ ଦଳ ଛାଡିଥିବା ସୁସ୍ମିତା ଦେବ ମଧ୍ୟ ଜୟରାମ ରମେଶଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତରତ୍ନ ଓ ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ ପଦ୍ମଭୂଷଣ ସମ୍ମାନ କଣ ସେମାନଙ୍କୁ ଗୁଲାମ କରିଦେଇଛି କି ବୋଲି ପ୍ରଶ୍ନ କରିଛନ୍ତି ସୁସ୍ମିତା ।

ତେଣେ ପଦ୍ମଭୂଷଣ ସମ୍ମାନ ଘୋଷଣା ପରେ ଗୁଲାମନବୀ ଆଜାଦଙ୍କୁ ଟ୍ୱିଟର୍ ଆକାଉଣ୍ଟକୁ ନେଇ ଉଠିଛି ଝଡ଼ । ଆଜାଦ୍ ତାଙ୍କ ଟ୍ୱିଟର ଆକାଉଣ୍ଟ ପରିବର୍ତ୍ତନ କରିଦେଇଥିବା ଚର୍ଚ୍ଚା ଉଠିଥିବା ବେଳେ, ଏହାକୁ ସେ ନିଜେ ଦୃଢ ଭାବେ ଖଣ୍ଡନ କରିଛନ୍ତି । ଭ୍ରମ ସୃଷ୍ଟି ଲାଗି କିଛି ବ୍ୟକ୍ତି ଏଭଳି ମନ୍ଦ ପ୍ରଚାର କରୁଥିବା ସେ କହିଛନ୍ତି । ତାଙ୍କ ଆକାଉଣ୍ଟରେ କିଛି ଯୋଡା ଯାଇନି କି କିଛି ହଟାଯାଇନି ବୋଲି ସେ ସ୍ପଷ୍ଟ କରିଛନ୍ତି ।