• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀନଗର : ଆତଙ୍କବାଦୀଙ୍କୁ ତ୍ରାହି ନାହିଁ । ଖୋଜି ଖୋଜି ମାରୁଛି ଭାରତୀୟ ସେନା । ଜମ୍ମୁ କାଶ୍ମୀରରେ ୩୬ ଘଣ୍ଟା ମଧ୍ୟରେ ତୃତୀୟ ଏନକାଉଣ୍ଟର୍‌ ଆରମ୍ଭ ହୋଇଛି । ବର୍ତ୍ତମାନ ସୁରକ୍ଷା କର୍ମୀ କାଶ୍ମୀରର ତ୍ରାଲ, ଆୱନ୍ତିପୋରା ଏବଂ ହାର୍ଦୁମିରରେ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାପୂର୍ବରୁ ଆଜି ଶୋପିୟାନରେ ୨ ଆତଙ୍କବାଦୀଙ୍କୁ ମାରିଛନ୍ତି ସୁରକ୍ଷାକର୍ମୀ । ପୁଲୱାମାରେ ମଧ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛି।

ବର୍ତ୍ତମାନ ଗତ କିଛି ଦିନ ମଧ୍ୟରେ ସୁରକ୍ଷା ବାହିନୀ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ତ୍ୱରିତ ପଦକ୍ଷେପ ନେଉଛନ୍ତି । ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇବା ପର ଠାରୁ ବିଭିନ୍ନ ଅଞ୍ଚଳରେ ଏନକାଉଣ୍ଟର କରୁଛନ୍ତି ସୁରକ୍ଷାକର୍ମୀ । ଆଉ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଉଛି । ସେହି ଘଟଣା ପରଠାରୁ ଏପର୍ଯ୍ୟନ୍ତ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ଜମ୍ମୁର ଅନେକ ଅଞ୍ଚଳରେ ସେନା ଦ୍ୱାରା ସର୍ଚ୍ଚ ଅପରେସନ୍ ଚାଲିଛି ।

ବର୍ତ୍ତମାନ ତ୍ରାଲ୍, ଅୱନ୍ତିପୋରା ଏବଂ ହାର୍ଦୁମିରରେ ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ଏହି ଏନକାଉଣ୍ଟର ବ୍ୟତୀତ ସୁରକ୍ଷା ବାହିନୀକୁ ବଡ ସଫଳତା ମଧ୍ୟ ମିଳିଛି । ଏହି କ୍ରମରେ ଶ୍ରୀନଗରରେ ଜଣେ ସାଧାରଣ ନାଗରିକ ଏବଂ ପୋଲିସ କର୍ମଚାରୀଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)ର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଜମ୍ମୁ-କଶ୍ମୀର ପୋଲିସ । ସେମାନଙ୍କୁ ପଚରାଉଚରା କରିବା ପରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ବଡ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଗତ କିଛି ମାସ ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଘଟିଛି । ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବାହାର ଶ୍ରମିକ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି । ତେବେ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ନୂଆ ଅପରେସନ୍ ଆରମ୍ଭ କରି ଦେଇଛନ୍ତି । ଏହି ଅପରେସନ୍ ମାଧ୍ୟମରେ,ବର୍ତ୍ତମାନ ଓଭର ଗ୍ରାଉଣ୍ଡ ୱାର୍କସ (OGW) ଧରିବାକୁ ପ୍ରୟାସ କରାଯାଉଛି । ଏହି ଲୋକମାନେ ଆତଙ୍କବାଦୀଙ୍କୁ ପ୍ରତ୍ୟେକ ଇନପୁଟ୍ ଦିଅନ୍ତି ।

ଏଭଳି ସ୍ଥିତିରେ ସେମାନଙ୍କୁ ଗିରଫ କରିବା ସହ ଆତଙ୍କବାଦୀଙ୍କୁ ଦିଶାହୀନ କରିବା ପାଇଁ ଯୋଜନା ରହିଛି । ଯଦ୍ୱାରା ସେମାନେ ଇନପୁଟ୍ ପାଇପାରିବେ ‌ଓ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇ ପାରିବେ ନାହିଁ ।