• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରିଲ୍ସ କରିବା ନିଶା ନେଲା ମଣିଷ ଜୀବନ । ବେପରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା ମା’ ପୁଅଙ୍କ ଜୀବନ । ଖାଲି ମାଆ ପୁଅ ନୁହେଁ ବରଂ ରିଲ୍ସ କରୁଥିବା ଦୁଇ ଜଣଙ୍କ ଜୀବନ ମଧ୍ୟ ଯାଇଛି । ଏହି ଘଟଣା ରାଜସ୍ଥାନ ଯୈଶଲମେରରେ ଦେଖିବାକୁ ମିଳିଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।

ବର୍ତ୍ତମାନର ଯୁବପିଢ଼ି ଏବେ ରିଲ୍ସ ନିଶାରେ କେତେବେଳେ କାହା ଜୀବନ ନେଇ ଯାଉଛନ୍ତି, ଜାଣିପାରୁନାହାନ୍ତି । ସ୍ପିଡ୍‌ ଗାଡ଼ି ଚଳାଇ ରିଲ୍ସ କରିବା ନିଶା ଏତେ ଯେ ରାସ୍ତାରେ ଯାଉଥିବା ମା’ ପୁଅକୁ ଚଢ଼ାଇଦେଲେ । ଦୁର୍ଘଟଣାରେ କେବଳ ମା’ ପୁଅ ଜୀବନ ହରାଇଲେ ତାହା ନୁହଁ ବରଂ ଗାଡ଼ିରେ ବସିଥିବା ଦୁଇଜଣ ଯୁବକ ମଧ୍ୟ ପ୍ରାଣ ହରାଇଛନ୍ତି ।

ଏସ୍‌ପି ବିକାଶ ସାଙ୍ଗୱାନ୍‌ଙ୍କ କହିବାନୁଯାୟୀ ଦୁଇଜଣ ଯୁବକ ନିଶାସକ୍ତ ଅବସ୍ଥାରେ ବେପରୁଆ ଭାବେ କାର୍‌କୁ ଅତି ସ୍ପିଡ୍‌ରେ ଚଳାଇ ଆସୁଥିଲେ । ଏହି ସମୟରେ ଜଣେ ମହିଳା ନିଜ ୧୩ ବର୍ଷର ପୁଅ ସହ ରାସ୍ତା ପାର୍‌ ହେଉଥିଲେ । ଗାଡ଼ିରେ ବସିଥିବା ଅନ୍ୟଜଣେ ଯୁବକ ଗାଡ଼ି ଜୋର୍‌ରେ ଚଳାଉଥିବା ବେଳେ ଇନଷ୍ଟାରେ ରିଲ୍ସ କରୁଥିଲେ । ଗାଡ଼ିଟି ମା’ ପୁଅଙ୍କୁ ଧକ୍କା ଦେଇଥିଲା । ମା’ ପୁଅଙ୍କୁ ଧକ୍କା ଦେବା ପରେ ଆଉ ଏକ ଗାଡ଼ି ସହ ଧକ୍କା ହୋଇଥିଲା । ଅନ୍ୟ ଗାଡ଼ିରେ ବସିଥିବା ଦୁଇଜଣ ଶିଶୁ ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗୋଟେ ଗାଈ ମଧ୍ୟ ପ୍ରାଣ ହରାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣାକୁ ନେଇ ଆଗକୁ ତଦନ୍ତ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କେବଳ ଏହି ଘଟଣା ନୁହେଁ, ନିଶାସକ୍ତ ଅବସ୍ଥାରେ ଯୁବପିଢ଼ି ଅନେକ ଦୁର୍ଘଟଣା ଘଟାଉଛନ୍ତି । କେତେବେଳେ ମଣିଷ ତ କେତେବେଳେ ନିରୀହ ପଶୁଙ୍କ ଜୀବନ ଯାଉଛି । ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ହେଉଥିବା ସତ୍ତ୍ୱେ ଦୁର୍ଘଟଣା ସଂଖ୍ୟା କମୁନି ।