• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଳାତକ ମେହୁଲ ଚୋକସିକୁ ଇଣ୍ଟରପୋଲର କ୍ଲିନଚିଟ୍ ! ଅନ୍ତର୍ଜାତୀୟ ୱାଣ୍ଟେଡ୍ ଲିଷ୍ଟରୁ ହଟିଲା ଚୋକସିର ନାଁ । ଭାରତରୁ ଋଣ ଜାଲିଆତି କରି ବିଦେଶକୁ ଚମ୍ପଟ ମାରିଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକିସକୁ ବଡ଼ ଆଶ୍ୱସ୍ତି । ରେଡ୍ ନୋଟିସ୍ ହଟିବା ପରେ ବିଦେଶ ପଳାଇବାକୁ ଫିଟିଲା ବାଟ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩ ହଜାର କୋଟି ଟଙ୍କା ଋଣ ଜାଲିଆତିର ମାଷ୍ଟରମାଇଣ୍ଡ ମେହୁଲ ଚୋକସି । ଭାରତରୁ ଖସିଯାଇ ଏବେ ଆଣ୍ଟିଗୁଆରେ ରହୁଥିବା ମେହୁଲ ଚୋକସି ବିରୋଧରେ ୨୦୧୮ରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା ଇଣ୍ଟରନ୍ୟାସନାଲ ପୋଲିସ ବା ଇଣ୍ଟରପୋଲ୍ । ସିବିଆଇ ଓ ଇଡିର ସୁପାରିଶ କ୍ରମେ ଏହି ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯିବା ଫଳରେ, ସେ ଅନ୍ତର୍ଜାତୀୟ ସ୍ତରରେ ୱାଣ୍ଟେଡ୍ ପାଲଟିଯାଇଥିଲା । ବନ୍ଦ ହୋଇଯାଇଥିଲା ୧୯୨ଟି ଦେଶକୁ ଖସିଯିବାର ବାଟ।

୨୦୨୦ ଓ ୨୦୨୨ରେ ରେଡ୍ କର୍ଣ୍ଣର ନୋଟିସରୁ ତା ନାଁ ହଟାଇବାକୁ ଆବେଦନ କରି ସେଥିରେ ବିଫଳ ହୋଇଥିଲା ଚୋକସି । ତେବେ ସେ କମିଶନ ଫର୍ କଣ୍ଟ୍ରୋଲ୍ ଅଫ୍ ଇଣ୍ଟରପୋଲ୍ ଫାଇଲ୍ସ ବା ସିସିଏଫକୁ ପୁଣିଥରେ ଆବେଦନ କରିବା ପରେ, ତା ନାଁରେ ଜାରି ହୋଇଥିବା ରେଡ୍ କର୍ଣ୍ଣର ନୋଟିସ୍ ପ୍ରତ୍ୟାହାର କରିନିଆଯାଇଛି । ଏହାଫଳରେ ସେ ବିନା କଟକଣାରେ ବିଶ୍ୱର ଯେକୌଣସି ଦେଶକୁ ପଳାଇଯିବାର ବାଟ ଫିଟିଯାଇଛି ।

କେବଳ ଏତିକି ନୁହେଁ, ଏହା ସିବିଆଇ ଓ ଭାରତ ସରକାରଙ୍କ ପାଇଁ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । କାରଣ ରେଡ୍ କର୍ଣ୍ଣର ନୋଟିସ୍ ପ୍ରତ୍ୟାହାର ହେବା ପରେ, ମେହୁଲ ଚୋକସିକୁ ଠାବ କରିବା ଏବଂ ଭାରତକୁ ଫେରାଇ ଆଣିବା ପାଇଁ ପ୍ରତ୍ୟର୍ପଣ ପ୍ରକ୍ରିୟାରେ ଜଟିଳତା ଦେଖାଦେଇପାରେ ।...

୨ ବର୍ଷ ତଳେ ଡୋମିନିକାରୁ ଗିରଫ ହୋଇଥିଲା ମେହୁଲ ଚୋକସି । ଭାରତର ୨ ଜଣ ଏଜେଣ୍ଟ ତାକୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ ବୋଲି ସେ ଅଭିଯୋଗ କରିଥିଲା । ତେବେ ସେ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଥିବାରୁ, ତାକୁ ସେଠାକୁ ପ୍ରତ୍ୟର୍ପଣ କରିଥିଲା ଡୋମିନିକା । ଏହାପରେ ଆଣ୍ଟିଗୁଆ ହାଇକୋର୍ଟରେ ଏହି ମାମଲା ଚାଲିଛି । ତେବେ ରେଡ୍ ନୋଟିସ ପ୍ରତ୍ୟାହାରର ଅର୍ଥ, ଭାରତ ସରକାରଙ୍କ ପକ୍ଷରୁ ଚୋକସିକୁ ଅପହରଣ ଓ ନିର୍ଯାତନା ଅଭିଯୋଗକୁ ଇଣ୍ଟରପୋଲ ଏକପ୍ରକାର ବିଶ୍ବାସକୁ ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ସିବିଆଇ ଇଣ୍ଟରପୋଲର ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହିତ, ପୁଣି ଥରେ ତା ନାଁରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ଅପିଲ୍ କରିବ ବୋଲି ସୂଚନା ମିଳିଛି । ମେହୁଲ ଚୋକସି ସିସିଏଫକୁ ଭ୍ରମିତ କରିଛି । ସିବିଆଇ ଇଣ୍ଟରପୋଲ ଓ ସିସିଏଫ୍ ସହିତ ଯୋଗାଯୋଗରେ ଅଛି । ରେଡ୍ ନୋଟିସ୍ ହଟାଯିବା ଚୋକସିକୁ କୌଣସି ପ୍ରକାରେ ନିର୍ଦ୍ଦୋଷ ପ୍ରମାଣିତ କରୁନାହିଁ । ଏହା ପ୍ରତ୍ୟର୍ପଣ ପ୍ରକ୍ରିୟାରେ ମଧ୍ୟ କୌଣସି ବାଧା ଆଣିବ ନାହିଁ ବୋଲି ସିବିଆଇ ପକ୍ଷରୁ ବିବୃତି ଜାରି କରାଯାଇଛି ।