• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ୱର । ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ । ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି । ସାମ୍ନାରେ ରାଜନୈତିକ କ୍ୟାରିଅରର ସବୁଠୁ ବଡ଼ ଚ୍ୟାଲେଞ୍ଜ । ପ୍ରଶ୍ନ ଉଠୁଛି, ଅଭୟାକାଣ୍ଡର ନିଆଁରେ ପୋଡ଼ି ପାଉଁଶ ହୋଇଯିବ କି ପଶ୍ଚିମବଙ୍ଗର ମମତା ସରକାର?

ହରଡ଼ଘଣାରେ ମମତା ... ଭୁଶୁଡୁଛି ଗଡ଼, ଆସନ ଟଳମଳ । କୋଲକାତାର ସାହି ଗଳିରେ ଶୁଭୁଛି ସରକାର ବିରୋଧୀ ସ୍ୱର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ତେଜିଲାଣି ନାରା । ରାସ୍ତାଘାଟ କି ସଙ୍ଗଠନରେ ଆଉ ସୀମିତ ରହିନି ପ୍ରତିବାଦ । ଘରେ ଘରେ ବିରୋଧ । ନିଆଁ ଭଳି ମାଡି ଚାଲିଛି ଅଭୟା କାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ।

ରାଜ୍ୟର ୩ଶହରୁ ଅଧିକ ସ୍ଥାନରେ ଚାଲିଛି ଆନ୍ଦୋଳନ-ବିକ୍ଷୋଭ । ଡାକ୍ତର, ଇଞ୍ଜିନିୟର, ଓକିଲଙ୍କଠାରୁ ବୟସ୍କ, ବୃଦ୍ଧ ଓ ଛାତ୍ରଛାତ୍ରୀ.. ସବୁ ବର୍ଗର ସବୁ ବୟସର ଲୋକ ଓହ୍ଲାଇ ଆସିଛନ୍ତି ରାଜାରାସ୍ତାକୁ । ଏକମାତ୍ର ଦାବି, ଅଭୟାକୁ ନ୍ୟାୟ ମିଳୁ । ଜାନୁଆରୀ ୧୯୯୩ । ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ମୁକ ବଧିର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ସାରା ରାଜ୍ୟରେ ତେଜିଥିଲା ପ୍ରତିବାଦ ।

ତତକାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରଏଟର୍ସ ବିଲଡିଂ ସ୍ଥିତ ଅଫିସ ଆଗରେ ଧାରଣା ଦେଇଥିଲେ ନୂଆ କରି ରାଜନୀତିରେ ପାଦ ଦେଇଥିବା ସେତେବେଳର ଯୁବ କଂଗ୍ରେସ ସଭାନେତ୍ରୀ ମମତା ବାନାର୍ଜୀ । ଦୁଷ୍କର୍ମ ମାମଲାରେ ସରକାର ବିରୋଧରେ ଲଢେଇ ଘମାସାନ କରିଥିବା ସେହି ନେତ୍ରୀ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ଆଉ, ତାଙ୍କ ସାମ୍ନାରେ ଏବେ ଠିକ୍ ସେହିଭଳି ଏକ ହୃଦୟ ବିଦାରକ ଦୁଷ୍କର୍ମ ମାମଲା । ମାଆ, ମାଟି ଓ ମାନୁଷର ନାରା ଦେଇ ରାଜନୀତି କରୁଥିବା ମମତାଙ୍କ ପାଇଁ ଏବେ ଅଡୁଆ ସୂତା ପାଲଟିଛି ଅଭୟା ଘଟଣା । ମହଙ୍ଗା ପଡିଲାଣି ମାମଲାର କଭର ଅପ୍ ଉଦ୍ୟମ । ବିଶେଷ କରି ବିବାଦରେ ଥିବା ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଯେଉଁଭଳି ଭାବେ ପ୍ରଥମେ ସସପେଣ୍ଡ ଏବଂ ତୁରନ୍ତ ଅନ୍ୟ ସ୍ଥାନରେ ପୋଷ୍ଟିଂ କରାଗଲା, ତାକୁ ନେଇ ଅଡୁଆରେ ପଡିଛନ୍ତି ମମତା ସରକାର ।

ବାଜିରେ ଲାଗିଛି ଦିଦିଙ୍କ ରାଜନୈତିକ ଭବିଷ୍ୟତ । ବିଗିଡ଼ି ଗଲାଣି ଭୋଟବ୍ୟାଙ୍କ । ସନ୍ଦେଶଖାଲି ଘଟଣା, ସରକାରଙ୍କ ସ୍ୱଚ୍ଛ ଶାସନ ଓ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲା । ହେଲେ ଅଭୟା କାଣ୍ଡ ସଂପୂର୍ଣ୍ଣ ଦୋହଲାଇ ଦେଇଛି, ପତନ ଆଡକୁ ନେଉଛି ମମତା ସରକାରକୁ । ୨୦୧୨ରେ ଦିଲ୍ଲୀରେ ହୋଇଥିଲା ନିର୍ଭୟା କାଣ୍ଡ ।

୨୦୧୩ରେ କ୍ଷମତା ହରାଇଥିଲା ତତକାଳୀନ ଶୀଲା ଦୀକ୍ଷିତ ସରକାର । ଏବେ ପ୍ରଶ୍ନ, ଅଭୟା ନିଆଁରେ ଜଳି ପୋଡି ଛାରଖାର ହୋଇଯିବ କି ପଶ୍ଚିମବଙ୍ଗର ତୃଣମୂଳ ସରକାର?

OTV is now on Whatsapp

Join and get latest news update delivered to you via whatsapp

Join Now