ଜୁନ୍ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ସବୁଠାରୁ ବଡ କାରଣ ହେଉଛି ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି | ଏସବିଆଇର ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଦେଶର ୨୨ ଟି ରାଜ୍ୟ ମଧ୍ୟରୁ ୧୨ଟି ରାଜ୍ୟରେ ମୁଦ୍ରାସ୍ଫୀତି ହାର ହାରାହାରି ୫.୧ ପ୍ରତିଶତରୁ ଅଧିକ ରହିଛି । ଏହି ତାଲିକାର ସର୍ବାଗ୍ରେ ରହିଛି ଓଡ଼ିଶା । ଯାହାର ମୁଦ୍ରାସ୍ଫିତି ହାର ୭.୨୨% । ଓଡ଼ିଶା ପଛକୁ ୬.୩୭% ସହ ରହିଛି ବିହାର । କର୍ଣ୍ଣାଟକ ୫.୯୮% ସହ ତୃତୀୟ ସ୍ଥାନରେ ରହିଛି । ସହର ଏବଂ ଗାଁରେ ମଧ୍ୟ ଅଲଗା ଅଲଗା ମୁଦ୍ରାସ୍ଫୀତି ଆକଳନ କରାଯାଇଛି । ଜୁନ୍ ମାସରେ ସହରୀ ମୁଦ୍ରାସ୍ଫୀତି ହାର ୪.୩୯ ପ୍ରତିଶତ ରହିଥିବା ବେଳେ ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୫.୬୬ ପ୍ରତିଶତରେ ପହଞ୍ଚିଛି ।
Also Read
ସହର ଏବଂ ଗାଁ ମଧ୍ୟରେ ମୁଦ୍ରାସ୍ଫୀତିର ପାର୍ଥକ୍ୟର ସବୁଠାରୁ ବଡ କାରଣ ହେଉଛି ଖାଦ୍ୟ ସାମଗ୍ରୀର ମୂଲ୍ୟ ଏବଂ ସେମାନଙ୍କର ଉପଯୋଗ । ଗାଁଗୁଡିକରେ ଖାଦ୍ୟ ସାମଗ୍ରୀ (୫୪.୨%) ଅଧିକ ଖିଆଯାଏ । ଯେତେବେଳେ କି ସହରଗୁଡ଼ିକରେ ଏହି ସଂଖ୍ୟା ୩୬.୩ ପ୍ରତିଶତ । ତେଣୁ ଗାଁଗୁଡିକରେ ମୁଦ୍ରାସ୍ଫୀତିର ପ୍ରଭାବ ଅଧିକ ଦେଖାଯାଏ । ଜୁନ୍ ମାସରେ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ପନିପରିବା ମୂଲ୍ୟରେ ୨୯.୩୨ ପ୍ରତିଶତ ବୃଦ୍ଧି ।
ଗତ କିଛି ମାସ ଧରି ଭାରତରେ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଥିଲା । କିନ୍ତୁ ଜୁନ୍ ମାସରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପୁଣି ଚିନ୍ତାର କାରଣ ହୋଇଛି । ଅଲ-ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୪ରେ ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ୫.୦୮ ପ୍ରତିଶତ (ଅସ୍ଥାୟୀ)ରେ ରହିଥିଲା। ଅନ୍ୟପଟେ ଗାଁ ଏବଂ ସହରାଞ୍ଚଳରେ ଏହି ସଂଖ୍ୟା ୫.୬୬ ପ୍ରତିଶତ ଏବଂ ୪.୩୯ ପ୍ରତିଶତ ଥିଲା ।
ଜୁନ୍ ୨୦୨୪ରେ ବାର୍ଷିକ ମୁଦ୍ରାସ୍ଫୀତି ହାର ଭାରତରେ ୫.୦୮ ପ୍ରତିଶତ ରହିଥିଲା, ଗ୍ରାମାଞ୍ଚଳରେ ୫.୬୬ ପ୍ରତିଶତ ଏବଂ ସହରାଞ୍ଚଳରେ ୪.୩୯ ପ୍ରତିଶତ ଥିଲା । ଏଥିରୁ ସ୍ପଷ୍ଟ ଯେ, ବିଭିନ୍ନ ଅଞ୍ଚଳରେ ମୁଦ୍ରାସ୍ଫୀତିର ପ୍ରଭାବ ଭିନ୍ନ ଭିନ୍ନ ରହିଥାଏ ।
ମେ’ ମାସରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ହାର ୮.୬୯ ପ୍ରତିଶତ ଥିଲା, ଯାହା ଜୁନ୍ ମାସରେ ୯.୩୬ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହି ବୃଦ୍ଧି ଶସ୍ୟ, ମାଂସ, ମାଛ, ଅଣ୍ଡା, କ୍ଷୀର, ତେଲ, ଫଳ, ପନିପରିବା, ଡାଲି, ଚିନି, ମସଲା ଏବଂ ସ୍ନାକ୍ସ ଭଳି ଜିନିଷର ମୂଲ୍ୟରେ ବୃଦ୍ଧି ହେତୁ ହୋଇଥାଏ ।