• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇର ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ମାଆ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ବେଲ୍ ମିଳିଛି । ଗତକାଲି ସେ ମୁମ୍ବାଇର ବାଇକୁଲା ଜେଲରୁ ଜାମିନରେ ମୁକୁଳିଛନ୍ତି । ସୁପ୍ରିକୋର୍ଟ ବୁଧବାର ଇନ୍ଦ୍ରାଣୀଙ୍କ ବେଲ ଆବେଦନକୁ ମଞ୍ଜୁର କରିବା ପରେ ଦୀର୍ଘ ସାଢ଼େ ୬ ବର୍ଷ ପରେ ସେ ଜେଲରୁ ଖଲାସ ହୋଇଛନ୍ତି ।

ଜେଲରୁ ବାହାରିବା ପରେ ମାମଲା ଉପରେ କିଛି ନକହି, ଇନ୍ଦ୍ରାଣୀ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଜେଲରେ ଅନେକ କିଛି ଶିଖିଛନ୍ତି । ଖୁବଶୀଘ୍ର ସେ ଏକ ପୁସ୍ତକ ଲେଖିବେ । ୨୦୧୫ରୁ ସେ ଜେଲରେ ଥିଲେ । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ବାରମ୍ବାର ଜାମିନ୍ ଆବେଦନ ପରେ ନିରାଶ ହେବାରୁ ଗତ ଫେବ୍ରୁଆରୀରେ ସେ ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କରିଥିଲେ । କୋର୍ଟ ବୁଧବାର ତାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି ।

ଜାମିନ୍ ସମୟରେ ସେ ଦେଶ ଛାଡ଼ି ନଯିବାକୁ ଓ ସାକ୍ଷୀଙ୍କୁ ଯୋଗାଯୋଗ ନକରିବାକୁ ସର୍ତ୍ତ ରହିଛି । ୨୦୧୨ ଏପ୍ରିଲରେ ଇନ୍ଦ୍ରାଣୀଙ୍କ ୨୪ ବର୍ଷୀୟ ଝିଅ ସିନା ବୋରାଙ୍କ ମୃତଦେହ ମୁମ୍ବାଇ ସନ୍ନିକଟ ରାଇଗଡ଼ ଅଞ୍ଚଳରେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା । ସିନା ବୋରା ଇନ୍ଦ୍ରାଣୀଙ୍କ ଝିଅ ହୋଇଥିଲେ ବି ସର୍ବସାଧାରଣରେ ନିଜକୁ ଇନ୍ଦ୍ରାଣୀଙ୍କ ଭଉଣୀ ବୋଲି ପରିଚୟ ଦେଉଥିଲେ ।

ତେବେ ଇନ୍ଦ୍ରାଣୀଙ୍କୁ ପରେ ବିବାହ କରିଥିବା ପିଟର ମୁଖାର୍ଜୀଙ୍କର ପ୍ରଥମ ପତ୍ନୀଙ୍କ ପୁଅ ରାହୁଲ ମୁଖାର୍ଜୀଙ୍କ ସହ ସିନା ଅବୈଧ ମିଳାମିଶା କରୁଥିଲେ । ଯାହାକୁ ବିରୋଧ କରୁଥିଲେ ଇନ୍ଦ୍ରାଣୀ । ସିନାଙ୍କ ମୃତ୍ୟୁର ୩ ବର୍ଷ ପର୍ଯ୍ୟନ୍ତ ଏ ଘଟଣା ଛପି ରହିଥିଲା । ତେବେ ସେହି ସମୟରେ ସିନା ଆମେରିକା ଚାଲିଯାଇଛନ୍ତି ବୋଲି ଇନ୍ଦ୍ରାଣୀ ତାଙ୍କ ବନ୍ଧୁ ଓ ପରିବାର ଲୋକଙ୍କୁ କହି ଆସୁଥିଲେ । ୨୦୧୫ରେ ସିବିଆଇ ଇନ୍ଦ୍ରାଣୀଙ୍କୁ ଗିରଫ କରିଥିଲା ।