Indians Return from Israel: ଇସ୍ରାଏଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ, ବଖାଣିଲେ ଯୁଦ୍ଧ ବିଭୀଷିକା

ଯୁଦ୍ଧ ଘମାଘୋଟ ଭିତରୁ ଦିଲ୍ଲୀ ଫେରିଛନ୍ତି ଇସ୍ରାଏଲରେ ଫସିଥିବା ଓଡିଆ ଛାତ୍ରଛାତ୍ରୀ । ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୪ ଜଣ ଫେରିଛନ୍ତି ।

ଓଡ଼ିଆ

ଯୁଦ୍ଧ ଭୂମିରୁ ଜୀବନ ନେଇ ଫେରୁଛନ୍ତି ଭାରତୀୟ । ପ୍ରତ୍ୟାବର୍ତ୍ତନ ସେମାନଙ୍କ ପାଇଁ ଆଣିଦେଇଛି ଆଶ୍ବସ୍ତି। ଅପରେସନ ସିନ୍ଧୁ ଜରିଆରେ ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟ ନିଜ ମାଟିକୁ ଫେରିଛନ୍ତି । ପୂର୍ବରୁ ଇରାନରୁ ଅନେକ ବ୍ୟାଚରେ ଭାରତୀୟ ଫେରିଥିବାବେଳେ ଆଜି ପ୍ରଥମ ଥର ଲାଗି ଇସ୍ରାଏଲରୁ ୧୬୧ ଜଣ ଭାରତୀୟ ନିଜ ଦେଶକୁ ବାହୁଡିଛନ୍ତି। ଭାରତୀୟ ବାୟୁସେନାର C-17 ବିମାନ ଆଜି ଏହି ସେମାନଙ୍କୁ ନେଇ ପହଞ୍ଚିଛି। ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ପବିତ୍ର ମାର୍ଘେରିଟା ସେମାନଙ୍କୁ ସ୍ବାଗତ କରିଥିଲେ।

ଅଧିକ ପଢନ୍ତୁ: ଇସ୍ରାଏଲ-ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ; ବଡ ଘୋଷଣା କଲେ ଟ୍ରମ୍ପ, ପ୍ରତିକ୍ରିୟା ରଖିଲା ଇରାନ

ଭାରତୀୟଙ୍କ ମଧ୍ୟରେ ଆଜି ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଫେରିଛନ୍ତି ଅନେକ ଓଡିଆ ଛାତ୍ରଛାତ୍ରୀ । ଯୁଦ୍ଧ ଘମାଘୋଟ ଭିତରୁ ଦିଲ୍ଲୀ ଫେରିଛନ୍ତି ଓଡିଆ ଛାତ୍ରଛାତ୍ରୀ । ୨୫ ଓଡିଆ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୪ ଜଣ ଫେରିଛନ୍ତି । ସୁରକ୍ଷିତ ଭାବେ ଭାରତ ଫେରି ଆସିଛନ୍ତି । ଆଜି ଅପରାହ୍ନରେ ଓଡିଶାରେ ପହଞ୍ଚିବେ । ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭୁବନେଶ୍ୱର, କାକଟପୁର ଓ କେନ୍ଦ୍ରାପଡା ଅଞ୍ଚଳର ଅଛନ୍ତି । ଇସ୍ରାଏଲରୁ ଫେରି ଭୟଙ୍କର ଯୁଦ୍ଧ ସମୟର କାହାଣୀ ବଖାଣିଛନ୍ତି । 

ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଆମକୁ ଜୋର୍ଦାନ ଦେଇ ସ୍ଥାନାନ୍ତରଣ କରାଯାଇଥିଲା । ତାପରେ କୁଏତରୁ ଦିଲ୍ଲୀ ଅଣାଯାଇଥିଲା । ରାସ୍ତାରେ ଆମେ ଇରାନ ପଟୁ ମିଜାଇଲ ଓ କତାର ପଟୁ ଇଣ୍ଟରସେପ୍ଟର ଆସୁଥିବା ଦେଖିଲୁ । ପ୍ରଥମେ ଆମକୁ ଏକା ଏକ ଲାଇଟ ବୋଲି ଲାଗିଥିଲା । କିନ୍ତୁ ପରେ ଏହା ମିଜାଇଲ ଆକ୍ରମଣ ବୋଲି ଜାଣିଥିଲୁ । ପୂର୍ବରୁ କେବେ ଏମିତି ଆକ୍ରମଣ ହୋଇଥିବା ଦେଖିନଥିଲୁ । ନିଦ ହଜାଇ ଦେଇଥିଲା ମିଜାଇଲ ମାଡ । ଆଖି ଆଗରେ ଫାୟାର ହୋଇଥିଲା ମିଜାଇଲ । ଅନ୍ୟ ଦେଶର ପିଲାଙ୍କ ପରି ଆମେ ସମସ୍ୟା ସାମନା କରିନାହୁଁ । ହମାସ୍ ଆକ୍ରମଣଠାରୁ ଇରାନର ଆକ୍ରମଣ ଅଧିକ ରହିଛି । ସାଇରନ ବାଜିବା ମାତ୍ରେ ବଙ୍କର ଭିତରକୁ ଯିବାକୁ ପଡୁଥିଲା ।

୧୦ ମିନିଟ୍ ମଧ୍ୟରେ ସେଲ୍ଟରକୁ ଯିବାକୁ ପଡୁଥିଲା । ଅଣ୍ଡର ଗ୍ରାଉଣ୍ଡ ସେଲ୍ଟର ସବୁଠାରୁ ନିରାପଦ । ଅଣ୍ଡର ଗ୍ରାଉଣ୍ଡ ସେକ୍ଟରକୁ ମିଜାଇଲ ହିଟ୍ କରିପାରେନି । ଇରାନ ଅତ୍ୟାଧୁନିକ ମିଜାଇଲ ମାଡ କରୁଥିବାରୁ ସମସ୍ୟା ହୋଇଛି । ତେବେ ଇରାନ ତୁଳନାରେ ଇସ୍ରାଏଲରେ ସେପରି କିଛି କ୍ଷତି ହୋଇନି । ସରକାର ସୀମା ପାର କରାଇବାରେ ପୂରା ସହଯୋଗ କରାଇଛନ୍ତି । ଭାରତୀୟ ଦୂତାବାସ ଆମ ସହ ପୂରା ଯୋଗାଯୋଗରେ ଥିଲା । ଭାରତ, ଇସ୍ରାଏଲ ଓ ଓଡିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୁଚନାଯୋଗ୍ୟ, ଇରାନରୁ ମଧ୍ୟ ଭାରତୀୟଙ୍କ ଘରବାହୁଡା ଜାରି ରହିଛି। ଆଜି ସକାଳେ ଇରାନରୁ ଆଉ ୨୯୨ ଜଣ ଭାରତୀୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ‘ଅପରେସନ ସିନ୍ଧୁ’ରେ ୨ ହଜାର ୨୯୫ ଜଣ ଏପର୍ଯ୍ୟନ୍ତ ଭାରତ ଫେରିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ: ଆମେରିକାର ଏୟାରବେସ୍ ଉପରେ ଭୟଙ୍କର ମିଜାଇଲ ମାଡ କଲା ଏହି ଦେଶ