• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସିଖବର । ଏଣିକି ଆଉ ଯାତ୍ରୀଙ୍କୁ ରହିବନି ଟ୍ରେନ୍‌ରେ ଷ୍ଟେସନ୍ ଛାଡିବାର ଚିନ୍ତା । ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍‌ ସେବାରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଯାତ୍ରୀଙ୍କ ଷ୍ଟେସନ୍ ଛାଡିବାର ପ୍ରାୟ ୨୦ ମିନିଟ୍ ରୂ ପୂର୍ବରୁ ହିଁ ରେଲୱେ ଆପଣଙ୍କୁ ଗଭୀର ନିଦରୁ ଉଠାଇଦେବ । ଫଳରେ ଯାତ୍ରୀମାନେ ବିନା କୌଣସି ଚିନ୍ତାରେ ଆରାମରେ ବିଶ୍ରାମ ନେଇପାରିବେ । ତେବେ ଆସନ୍ତୁ ଜାଣିବା ରେଲୱେର ଏହି ଖାସ୍‌ ସୁବିଧା କ’ଣ ।

ସାଧାରଣତଃ ଲମ୍ୱା ଯାତ୍ରା କାରଣରୁ ଟ୍ରେନ୍‌ରେ ହିଁ ଲୋକଙ୍କୁ ନିଦ ହୋଇଯାଇଥାଏ । ଶୋଇଥିବା କାରଣରୁ ସେମାନଙ୍କ ଗନ୍ତବ୍ୟସ୍ଥଳୀର ଷ୍ଟେସନ୍‌ ପଳାଇଥାଏ । ଫଳରେ ସେମାନେ ଚାହିଁନଥାଇ ମଧ୍ୟ ନିଜ ଷ୍ଟେସନରେ ପହଞ୍ଚିବା ବଦଳରେ ଅନ୍ୟ ଷ୍ଟେସନ୍‌ରେ ପହଞ୍ଚିଯାଇଥାନ୍ତି । ଯାହା ପରେ ଯାତ୍ରୀମାନେ ହଇରାଣରେ ପଡ଼ିଥାନ୍ତି । ତେଣୁ ଯାତ୍ରୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ରେଲୱେ ପକ୍ଷରୁ ଏକ ନୂଆ ସେବା ଆରମ୍ଭ କରାଯାଇଛି । ସୂଚନା ଅନୁସାରେ, ରେଲୱେ ପକ୍ଷରୁ ଏକ ନୂଆ ସେବା ଉପଲବ୍ଧ କରାଯାଇଛି । ଯାହାର ନାଁ ହେଉଛି ‘ଡେଷ୍ଟିନେସନ୍‌ ଆଲର୍ଟ ବ୍ୟାକ୍‌ଆପ୍‌ ଆଲାରାମ୍‌’ । ଟ୍ରେନ୍ ଯାତ୍ରୀ ୧୪୯ ନଂ ଇନ୍‌କ୍ୱାରୀ ସିଷ୍ଟମ୍‌ ମାଧ୍ୟମରେ ଏହି ଆଲର୍ଟ ସୁବିଧା ପାଇପାରିବେ । ଏମିତିକି ଟ୍ରେନ୍‌ର କୌଣସି ଯାତ୍ରୀ ମଧ୍ୟ ଏହି ସୁବିଧାର ଉପଭୋଗ କରିପାରିବେ । ଏହି ସୁବିଧା ଯାତ୍ରୀଙ୍କୁ ରାତି ୧୧ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ମିଳିପାରିବ । ଏଥିପାଇଁ ଯାତ୍ରୀଙ୍କୁ ମାତ୍ର ୩ ଟଙ୍କା ଦେୟ ଦେବାକୁ ପଡିବ ।

କ’ଣ ଏହି ନୂଆ ସେବା ?

ଡେଷ୍ଟିନେସନ୍‌ ଆଲର୍ଟ ବ୍ୟାକ୍‌ଆପ୍‌ ଆଲାରାମ୍‌’ ଦ୍ୱାରା ଗନ୍ତବ୍ୟସ୍ଥଳୀ ପହଞ୍ଚିବାର ଠିକ୍‌ ୨୦ ମିନିଟ୍‌ ପୂର୍ବରୁ ଯାତ୍ରୀଙ୍କ ଫୋନ୍‌କୁ ଏକ ଆଲର୍ଟ ମେସେଜ୍ ପଠାଯିବ । ଫଳରେ ଯାତ୍ରୀମାନେ ନିଜ ଲଗେଜ୍‌କୁ ଠିକ୍‌ ଭାବରେ ରଖିବା ସହ ଷ୍ଟେସନ୍‌ରେ ଓହ୍ଲାଇପାରିବେ ।

କେମିତି ଏହି ସେବାର ଲାଭ ଉଠାଇବେ ?

ଡେଷ୍ଟିନେସନ ଆଲର୍ଟ ବ୍ୟାକଆପ ଆଲାରାମ ସେବା ଆରମ୍ଭ କରିବା ପାଇଁ ଆରସିଟିସି ହେଲ୍ପଲାଇନ୍ ନମ୍ୱର ୧୩୯ରେ କଲ୍‌ କରିବାକୁ ପଡ଼ିବ । ଏହାପରେ ନିଜ ଭାଷା ଚୟନ କରି ୭ କିମ୍ୱା ୨ ନମ୍ବର ଚୟନ କରିବାକୁ ପଡ଼ିବ। ପରେ ଯାତ୍ରୀଙ୍କଠାରୁ ୧୦ ଅଙ୍କର ପିଏନଆର ନମ୍ୱର ପଚରାଯିବ । ପିଏନଆର ଏଣ୍ଟର କରିବା ପରେ ଏହାକୁ କନଫର୍ମ କରିବାପାଇଁ ୧ ଡାୟଲ କରିବାକୁ ପଡ଼ିବ । ଏହାପରେ ପିଏନଆର ନମ୍ୱର ଭ୍ୟାରିଫିକେସନ୍‌ କରି ବ୍ୟାକଆପ ଆଲର୍ଟ ସେଟ ହୋଇଯିବ । ଯାହାପରେ ଯାତ୍ରୀଙ୍କ ମୋବାଇଲ୍‌କୁ କନଫର୍ମେସନ କୋଡ ଥିବା ଏକ ମେସେଜ ଆସିବ । ତେବେ ରେଲୱେର ଏହି ନୂଆ ସୁବିଧା ଦ୍ୱାରା ଯାତ୍ରୀଙ୍କ ସମସ୍ୟା ସମାଧାନ ହେବା ସହ ସେମାନେ କିଛିମାତ୍ରାରେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।