• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁଦ୍ଧ ବିଭୀଷିକା ଭିତରେ ୟୁକ୍ରେନରୁ କିଏ ପୋଷା କୁକୁର ତ ଆଉ କିଏ ପୋଷା ବିଲେଇ ଧରି ବିମାନରେ ସ୍ୱଦେଶ ଫେରୁଛନ୍ତି । ହେଲେ ଏବେ ଆଉ ଏକ ରୋଚକ କଥା ସାମ୍ନାକୁ ଆସିଛି । ପୋଷା ବାଘଙ୍କ ପାଇଁ ଭାରତକୁ ଫେରି ପାରୁନାହାନ୍ତି ଜଣେ ଡାକ୍ତର । ତାଙ୍କ ପାଖରେ ପୋଷା କଲରାପତରିଆ ବାଘ ଏବଂ ବ୍ଲାକ ପାନ୍ଥର ରହିଛି । ଏହି ୨ଟି ଜନ୍ତୁକୁ ଆଉ କାହାକୁ ଦେଇ ନିଜ ଦେଶକୁ ଫେରିବାକୁ ଚାହୁଁନାହାନ୍ତି ଡାକ୍ତର ଗିରି କୁମାର ପାଟିଲ ଓରଫ୍ କୁମାର ବନ୍ଦି ଓରଫ୍ ଜାଗୁଆର୍ କୁମାର୍ ।

ଶେଷ ନିଶ୍ୱାସ ଥିବା ଯାଏଁ ପୋଷା ଜନ୍ତୁଙ୍କର ଯତ୍ନ ନେଉଥିବି । ଯଦି ମରିବି, ତେବେ ସେମାନଙ୍କ ସହିତ ହିଁ ମରିବି । ଏହା କୌଣସି ସିନେମାର ଡାଇଲଗ ନୁହେଁ ବରଂ ଯୁଦ୍ଧଗ୍ରସ୍ତ ୟୁକ୍ରେନର ଏକ ବଙ୍କର୍ ଭିତରେ ନିଜ ପୋଷା ଜନ୍ତୁଙ୍କ ସହ ଦିନ କାଟୁଥିବା ଜଣେ ଭାରତୀୟଙ୍କ କଥା । ତେବେ ପୋଷା ଜନ୍ତୁ ବିଲେଇ କି କୁକୁର ନୁହେଁ, ସେ ପାଳିଛନ୍ତି ୨ଟି ବାଘ । ଗୋଟିଏ କଲରାପତରିଆ ବାଘ ଓ ଅନ୍ୟଟି କଳା ଜାଗୁଆର୍ ବା ବ୍ଲାକ୍ ପାନ୍ଥର । ଏହି ୨ଟି ଜନ୍ତୁକୁ ଛାଡ଼ି ଭାରତ ଫେରିବାକୁ ଚାହୁଁନାହାନ୍ତି ।

ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲା ତାନୁକ୍ ସହରର କୁମାର ବନ୍ଦୀ । ୧୫ ବର୍ଷ ଧରି ସେ ୟୁକ୍ରେନରେ ଡାକ୍ତର ଅଛନ୍ତି । ୟୁକ୍ରେନ୍ ଉପରେ ଋୁଷର ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ ଭିତରେ ନିଜକୁ ଅଣନିଶ୍ୱାସୀ ଲାଗୁଥିଲେ ବି ପୋଷା ଜନ୍ତୁଙ୍କ ସ୍ନେହ ଶ୍ରଦ୍ଧାରେ ବାନ୍ଧି ହୋଇଯାଇଛନ୍ତି କୁମାର । ୟୁକ୍ରେନ୍ ରାଜଧାନୀ କିଭରୁ ୮୫୦ କିଲୋମିଟର ଦୂର ଡୋନବାସରେ ରହୁଛନ୍ତି ଡାକ୍ତର କୁମାର । ତେବେ ଆଉ କାହା ଦାୟିତ୍ୱରେ ଏହି ୨ଟି ପୋଷା ବାଘକୁ ଛାଡ଼ି ମୁଁ ଭାରତ ଫେରିପାରିବି ନାହିଁ ବୋଲି ସେ କହିଛନ୍ତି ।

କ୍ଷେପଣାସ୍ତ୍ର ମାଡ଼ରୁ ବର୍ତ୍ତିବା ଲାଗି ପଡୋଶୀ ଦେଶକୁ ଯାଇପାରିବି । ଭାରତକୁ ଫେରିପାରିବାର ମଧ୍ୟ ସାମର୍ଥ୍ୟ ରହିଛି, ହେଲେ ଏହି ପୋଷା ଜୀବଜନ୍ତୁଙ୍କୁ ଛାଡି ଚାଲିଗଲେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଡାକ୍ତର କୁମାର । ତାଙ୍କ ଉପସ୍ଥିତି ବିନା ଏହି ପୋଷା ଜନ୍ତୁ ମରିଯିବେ, ତେଣୁ ସେ ଏହା କରିବାକୁ ଚାହୁଁନଥିବା କହିଛନ୍ତି ଡାକ୍ତର ।

ବ୍ଲାକ ପାନ୍ଥରେ ହେଉଛି ଲୁପ୍ତପ୍ରାୟ ପ୍ରଜାତି । ତେଣୁ ତାକୁ ପାଳିବା ଲାଗି ସେ ସେଠାକାର ବନ୍ୟ ବିଭାଗ ନିକଟରୁ ଲାଇସେନ୍ସ ମଧ୍ୟ ଆଣିଥିବା କହିଛନ୍ତି । ପୂର୍ବରୁ ଗୋଟିଏ କଲରା ପତରିଆ ବାଘକୁ ପାଳୁଥିବା ବେଳେଅ ସେ ଦୀର୍ଘ ୧୯ ମାସ ହେଲା ଏହି ବ୍ଲାକ ପାନ୍ଥରକୁ ପାଳି ଆସୁଛନ୍ତି । ଏମିତିକି ବ୍ଲାକ ପାନ୍ଥର ସାରା ପୃଥିବୀରୁ ବିଲୁପ୍ତ ହେବାକୁ ବସିଥିବା ବେଳେ ତାର କିଭଳି ବଂଶ ବିସ୍ତାର ହୋଇପାରିବ, ସେନେଇ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ତେଣୁ ଦୁଇ ମାସ ତଳେ ଆଉ ଏକ ବ୍ଲାକ ପାନ୍ଥର ଘରକୁ ଆଣି ବଂଶବିସ୍ତାର ଲକ୍ଷ୍ୟ ରଖିଛନ୍ତି ।

ତେବେ ଯୁଦ୍ଧ ଆରମ୍ଭ ପରେ ୟୁକ୍ରେନ୍ ଛାଡି ଭାରତକୁ ଫେରିଯିବାକୁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଉଛନ୍ତି ଡାକ୍ତର କୁମାର । ତେଲଗୁ ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ଭାରତୀୟଙ୍କୁ ନିଜ ଦେଶକୁ ଫେରିବା ଲାଗି ୟୁକ୍ରେନ୍ ସୀମାରେ ମଧ୍ୟ ପହଞ୍ଚାଇବାରେ ସହାୟତା ମଧ୍ୟ କରୁଛନ୍ତି । ଆଉ ନିଜର ଇଚ୍ଛା ଥିଲେ ବି କେବଳ ଭାରତ ଫେରିବାକୁ ପ୍ରତିବନ୍ଧକ ହୋଇଛନ୍ତି ଦୁଇ ପୋଷା ଜନ୍ତୁ । କାରଣ ସେ ଜାଣିଛନ୍ତି ଏଭଳି ହିଂସ୍ର ଜନ୍ତୁଙ୍କୁ ବିମାନରେ କେବେ ବି ଅନୁମତି ମିଳିବନି । ତେଣୁ ନିଜ ପୋଷା ଜନ୍ତୁଙ୍କୁ ସହ ଯୁଦ୍ଧ ଶେଷ ହେଲା ପର୍ଯ୍ୟନ୍ତ ବଙ୍କରରେ ରହି ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି ।

୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି । ଏମିତିକି ଏକ ତେଲଗୁ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି । ହେଲେ ସେହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ରିଲିଜ ହୋଇନି । ତେଲଗୁ, ତାମିଲ, ମାଲାୟଲମ ଟିଭି ସିରିଏଲରେ ମଧ୍ୟ ଅତିଥି କଳାକାର ଭାବେ ସ୍କ୍ରିନକୁ ଆାସିଛନ୍ତି । କେବଳ ଏତିକି ନୁହେଁ ୟୁକ୍ରେନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏକାଧିକ ଫିଲ୍ମରେ ଅଭିନୟ କରିଥିବା ଜଣାପଡିଛି ।

ପିଲାଟି ବେଳୁ ଜୀବଜନ୍ତୁଙ୍କ ପ୍ରତି ତାଙ୍କର ଆକର୍ଷଣ ସହ ଭଲ ପାଇବା ରହିଆସିଛି । ବେଙ୍ଗଲ ଟାଇଗର ଭଳି ବନ୍ୟଜନ୍ତୁଙ୍କୁ ରଖିବା ସେ ଇଚ୍ଛା ପ୍ରକାଶ କରିଥିଲେ, ହେଲେ ଏଭଳି ବନ୍ୟ ଜୀବକୁ ରଖିବାକୁ କର୍ତ୍ତୃପକ୍ଷଙ୍କ ବାରଣ ପରେ ସେ ବ୍ଲାକ ପାନ୍ଥର ରଖିବାକୁ ମନସ୍ଥ କରିଥିଲେ । ଡାକ୍ତର କୁମାର ଜଣେ ୟୁଟ୍ୟୁବର ମଧ୍ୟ । କଲରା ପତରିଆ ବାଘ ଏବଂ ବ୍ଲାକ୍ ପାନ୍ଥରକୁ ଖାଦ୍ୟ ଖୁଆଉଥିବା ଭିଡିଓ ମଅ ୟୁଟ୍ୟୁବରେ ସେ ଅପଲୋଡ କରିଛନ୍ତି । ଆଉ କିଭଳି ବିନା ଭୟରେ ଏଭଳି ଜନ୍ତୁଙ୍କୁ ସହ ଦିନ କଟାଉଛନ୍ତି, ଗୋଟିଏ ଛାତ ତଳେ ତାହା ବି ଦେଖିବାକୁ ମିଳିଛି ଭିଡିଓରେ ।