Indian Army Forces
ଦୈର୍ଘ୍ୟରୁ ପ୍ରସ୍ଥ, ତାଳୁରୁ ତଳିପା... କରାଚି ହେଉ କି ଇସଲାମାବାଦ, ପିଣ୍ଡି ହେଉ କି ପଞ୍ଜାବ... ଭାରତୀୟ ସେନା ପାଇଁ ଅପହଞ୍ଚ ନୁହେଁ ପାକିସ୍ତାନର କୌଣସି ଗୋଟିଏ ବି ସାମରିକ ଘାଟି । ଯେଉଁଠି ଚାହିଁବୁ, ସେଇଠି ଉଡ଼ାଇବୁ... ଯେତେବେଳେ ଚାହିଁବୁ, ସେତେବେଳେ ଉଡ଼ାଇବୁ । ଇଏ ତାରି ପ୍ରମାଣ । ଆଜି ତିନି ସେନାର ମିଳିତ ପ୍ରେସମିଟରେ ପ୍ରଦର୍ଶିତ ମ୍ୟାପକୁ ଦେଖନ୍ତୁ । ଏଗୁଡ଼ିକ ୧୩ଟି ନାଲି ବିନ୍ଦୁ ନୁହେଁ, ଇଏ ୧୩ଟି 'ସିନ୍ଦୂର' ଦାଗ । ମାନେ- ପାକିସ୍ତାନ ଛାତିରେ 'ଅପରସେନ୍ ସିନ୍ଦୂର' ଛାଡ଼ିଥିବା ୧୩ଟି ରକ୍ତାକ୍ତ ଜଖମ୍ ।
ଭାରତୀୟ ଫାଇଟର୍ ଜେଟ୍, ମିଜାଇଲ୍ ଓ ଡ୍ରୋନ୍ ପାକିସ୍ତାନ ମାଟିରେ ତାଣ୍ଡବ ରଚିବା ପରେ, ଆଜି ତାର ତାଜା ଚିତ୍ର ଦେଖାଇଛି ସେନା । ଉତ୍ତରରେ ନୂର ଖାନ୍, ମୁରିଦ୍, ସରଗୋଧା, ଗୁର୍ଜନୱାଲା, ପସରୁର୍, ଲାହୋର୍, ଚୁନିଆଁଠୁ ନେଇ ମଝିରେ ରଫିକି, ରହିମ୍ ୟାର୍ ଖାନ୍, ଜାକୋବାବାଦ୍ ଓ ସୁକ୍କୁର ଏବଂ ଦକ୍ଷିଣରେ ଭୋଲାରି ଓ କରାଚୀ। ପାକିସ୍ତାନର ଏହି ୧୩ଟି ବାୟୁସେନା ଘାଟି, ରାଡାର୍ ସାଇଟ୍ ଓ ଅନ୍ୟ ସାମରିକ ଘାଟିରେ ଭୀଷଣ କ୍ଷୟକ୍ଷତି କରିଛି ଭାରତୀୟ ସେନା । ଦେଖନ୍ତୁ ଜାକୋବାବାଦ ସ୍ଥିତ ଶାହବାଜ୍ ଏୟାରବେସର ପୂର୍ବ ଓ ପରର ଚିତ୍ରକୁ । ସେଠାରେ ହ୍ୟାଙ୍ଗର ସାଇଟ୍ ଛିନଛତ୍ର ହୋଇଯାଇଥିବା ବେଳେ, କରାଚୀ ମାଲିର କାଣ୍ଟ ଏୟାର ଡିଫେନ୍ସ ସାଇଟ ବି ଭୀଷଣ କ୍ଷତିଗ୍ରସ୍ତ ହୋଇଛି ।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ହ୍ୟାକର୍ ଟାର୍ଗେଟରେ ଭାରତୀୟ, ଅଜଣା ଲିଙ୍କ୍ରେ କ୍ଲିକ୍ କରୁଥିଲେ ହୁଅନ୍ତୁ ସାବଧାନ !
ଅପରେସନ୍ ସିନ୍ଦୂର ବେଳେ ଗୋଟିଏ ପଟେ ଭାରତ ଶତ୍ରୁଦେଶରେ ଅଗ୍ନିବର୍ଷା କରୁଥିବା ବେଳେ, ଅନ୍ୟପଟେ ନିଜ ଦେଶକୁ ଘୋଡ଼ାଇ ରଖିଥିଲା ସୁରକ୍ଷିତ ଢାଲରେ । ଦେଖନ୍ତୁ ଶତ୍ରୁ ପାଇଁ କେମିତି ଅଭେଦ୍ୟ ଭାରତୀୟ ଆକାଶ ? ସେନାର ସୂଚନା ଅନୁସାରେ, ୮ ଓ ୯ ତାରିଖ ରାତିରେ ପାକିସ୍ତାନ ଭାରତକୁ ପଠାଇଥିଲା ଚାଇନା ମେଡ୍ PL-15 ମିଜାଇଲ୍, ଲଙ୍ଗ ରେଞ୍ଜ୍ ରକେଟ୍, ଆତ୍ମଘାତୀ ଡ୍ରୋନ୍, ୟୁଏଭି, ତୁର୍କୀ ନିର୍ମିତ ବାଇକର୍ ୟିହା ଓ ସୋନଗର୍ ଡ୍ରୋନ୍ ଏବଂ କ୍ବାଡ୍ରାକପ୍ଟର। ତେବେ ଏସବୁକୁ ଗୋଟି ଗୋଟି କରି ମଝି ଆକାଶରେ ଉଡ଼ାଇ ଦେଇଥିଲା ୩ ସେନାର ମିଳିତ ଏୟାର ଡିଫେନ୍ସ ସିଷ୍ଟମ୍ ।
ଶତ୍ରୁ ଅସ୍ତ୍ରର ଖଣ୍ଡ ବିଖଣ୍ଡିତ ଧ୍ବଂସାବଶେଷର ଫଟୋ ଦେଖାଇବା ସହ, ସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ- ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ଆଣ୍ଡ୍ ୱିପନ୍ ସିଷ୍ଟମ୍ ୪ଟି ସ୍ତରରେ ଏକ ଗ୍ରୀଡ୍ ଭଳି ଆମ ଆକାଶକୁ ଘୋଡ଼ାଇ ରଖିଛି । ପାକିସ୍ତାନ ଆଡ଼ୁ ଆସୁଥିବା ଅସ୍ତ୍ରକୁ ରାଡାର୍ ଚିହ୍ନଟ କରିବା ପରେ, ଆବଶ୍ୟକତା ଅନୁସାରେ ନିଶାନା ଲଗାଉଥିଲା ଲଙ୍ଗ୍ ରେଞ୍ଜ, ମିଡିୟମ୍ ରେଞ୍ଜ, ନଚେତ୍ ସର୍ଟ ରେଞ୍ଜ ସର୍ଫେସ୍ ଟୁ ଏୟାର୍ ମିଜାଇଲ୍ । ଶେଷ ଲେୟରରେ ରୋକୁଥିଲା କାଉଣ୍ଟର ଡ୍ରୋନ୍, କାନ୍ଧରୁ ଫାୟାର୍ ହେଉଥିବା ମ୍ୟାନ୍ ପ୍ୟାଡ୍ ଏବଂ ଲୋ ଲେଭେଲ୍ ଏୟାର ଡିଫେନ୍ସ ଗନ୍ ଇତ୍ୟାଦି ।
କେବଳ ମଡର୍ଣ୍ଣ ନୁହେଁ, ପିଚୋରା ଭଳି ଭିଣ୍ଟେଜ୍ ଏୟାର ଡିଫେନ୍ସ ସିଷ୍ଟମ୍ ବି ଭାରି ପଡ଼ିଥିଲା ପାକିସ୍ତାନର ଆଧୁନିକ ହତିଆର ଉପରେ । ଆକାଶ ବି ଦେଖାଇଥିଲା କମାଲ୍ । ଏଥିସହ ସଫ୍ଟ କିଲ୍ ଓ ହାର୍ଡ କିଲ୍ ଅର୍ଥାତ୍ ସିଗ୍ନାଲ୍ ଜାମ୍ କରି ଏବଂ ଲେଜର୍ ଦ୍ବାରା ବି ଖସିଥିଲା ବହୁ ପାକିସ୍ତାନୀ ଡ୍ରୋନ୍ । ବାୟୁସେନାର ଇଣ୍ଟିଗ୍ରେଟେଡ୍ ଏୟାର୍ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ୍ (IACCS) ଦ୍ବାରା ଏସବୁ ପରିଚାଳିତ ହୋଇଥିଲା । ସେପଟେ ନୌସେନାର ସ୍ବତନ୍ତ୍ର ଫ୍ଲିଟ୍ କ୍ୟାରିୟର ବ୍ୟାଟେଲ୍ ଗ୍ରୁପ୍ ଏକ ରାଡାର୍ ବବଲ୍ ତିଆରି କରିଥିବା ବେଳେ, ସୀମା ଜଗୁଥିବା ବିଏସ୍ଏଫ୍ ଯବାନ ବି ଏହି ଅପରେସନରେ ସାମିଲ ହୋଇଥିଲେ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ସେନା । କୁହାଯାଇଛି ଯେ, ଗତ କିଛି ବର୍ଷ ଧରି ଆତଙ୍କୀ ଗତିବିଧିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେନା ସହ ସାଧାରଣ ଲୋକଙ୍କ ଉପରେ ବି ଆକ୍ରମଣ ହେଉଥିଲା । ଆଉ ପହଲଗାମ୍ ବେଳକୁ ପାପ କୁମ୍ଭ ଭରିସାରିଥିଲା । ପୂରା ଅନୁମାନ ଥିଲା ଯେ, ପାକିସ୍ତାନ ସୀମା ସେପଟୁ ଆକ୍ରମଣ କରିବ। ତେଣୁ ସେଥିପାଇଁ ନିଜ ଏୟାର ଡିଫେନ୍ସ ସିଷ୍ଟମ୍ ସହ କାଉଣ୍ଟର୍ ମ୍ୟାନ୍ଡ ଏରିଏଲ୍ ସିଷ୍ଟମ୍ ଓ ଇଲେକ୍ଟ୍ରୋନିକ୍ ୱାରଫେୟାର୍ ସାଧନକୁ ତୟାର୍ ରଖାଯାଇଥିଲା । ଏବେ ଆମର ସମସ୍ତ ଏୟାରଫିଲ୍ଡ ସବୁ ଦିଗରୁ ଅପରେସନାଲ୍ ଅଛି ଏବଂ ଆବଶ୍ୟକ ପଡ଼ିଲେ ଆଗକୁ ବି ଆମେ ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଅଛୁ ।
ଅଧିକ ପଢ଼ନ୍ତୁ: କେମିତି ରହିଛି ଆନ୍ତର୍ଜାତୀୟ ସୀମୀବର୍ତ୍ତୀ ଅଂଚଳର ଦୃଶ୍ୟ...
ବ୍ୟୁରୋ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747061108.jpg)