• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗତବର୍ଷ ଠିକ୍ ଏଇ ମାସ, ଠିକ୍ ଏଇ ଦିନ। ୨୦୨୩ ମସିହା ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ବାଜି ୩ ମିନିଟ୍। ଖାଲି ଇସ୍ରୋ କଣ୍ଟ୍ରୋଲ ରୁମ୍ ନୁହେଁ, କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଗୁଞ୍ଜରିତ ହୋଇଥିଲା ଉତ୍ସାହ ଓ ଉଲ୍ଲାସର କରତାଳି। ଚନ୍ଦ୍ରବିଜୟ କରି ଐତିହାସିକ ସଫଳତା ହାସଲ କରିଥିଲା ଭାରତ। ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ଭାରତ ଅବତରଣ କରାଇଥିଲା ଚନ୍ଦ୍ରଯାନ-୩।

୧୭ ମିନିଟର ଆହ୍ବାନପୂର୍ଣ୍ଣ ଅବତରଣ, ଆଉ ଆତଙ୍କପୂର୍ଣ୍ଣ ଶେଷ ୪ ମିନିଟକୁ ସଫଳତାର ସହ ଅତିକ୍ରମ କରି ନିର୍ଦ୍ଧାରିତ ସ୍ଥାନରେ ଅଟୋମେଟିକ୍ ସଫ୍ଟଲ୍ୟାଣ୍ଡିଂ କରାଇଥିଲା ଇସ୍ରୋ। କେବଳ ଶିବଶକ୍ତି ପଏଣ୍ଟରେ ସଫ୍ଟ ଲ୍ୟାଣ୍ଡିଂ ନୁହେଁ, ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ଜହ୍ନ ରାଇଜରେ ଦେଖାଇଥିଲେ ଏକାଧିକ ଚମତ୍କାର ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରାୟନ-୩କୁ ପୂରିଲା ବର୍ଷେ; ଜାଣନ୍ତୁ କିପରି ଥିଲା ସଂପୂର୍ଣ୍ଣ ଯାତ୍ରା..

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଏହି ଯୁଗାନ୍ତକାରୀ 'ଚନ୍ଦ୍ର ମୁହୂର୍ତ୍ତ'କୁ ଆଜି ବର୍ଷେ ପୂରିଛି। ଆଉ ଏହି ବର୍ଷପୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା କ୍ରମେ ସାରା ଦେଶ ପାଳୁଛି 'ଜାତୀୟ ମହାକାଶ ଦିବସ' ଭାବେ।

ଦିନେ ସାଇକେଲ ପଛରେ ଲଦା ହୋଇ ଯାଉଥିଲା ୬୦ ଦଶକର 'ନାଇକି-ଆପାଚି' ରକେଟ୍ । ତାପରେ ୮୦ ଦଶକରେ ଶଗଡ଼ ଗାଡ଼ିରେ 'ଆପଲ୍' ସାଟେଲାଇଟ୍ । ଭାରତୀୟ ମହାକାଶ ଅଭିଯାନର ଜନକ ବିକ୍ରମ ସାରାଭାଇ ଦେଖିଥିବା ସ୍ୱପ୍ନ ଏବଂ ମିଜାଇଲ୍ ମ୍ୟାନ ଭାବେ ଖ୍ୟାତ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ସାଧନା । ଏସବୁକୁ ପାଥେୟ କରି କେବଳ ମହାକାଶକୁ ଛୁଇଁନି, ଜହ୍ନ ରାଇଜରେ ବି ପାଦ ଥାପିପାରିଛି ଭାରତ।

ଆମେରିକା, ରୁଷ ଓ ଚୀନ ଭଳି ବିକଶିତ ଦେଶ ସହିତ ଟକ୍କର ଦେଉଛି ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ। ଚନ୍ଦ୍ରଯାନ, ମଙ୍ଗଳଯାନ ସହିତ ସୂର୍ଯ୍ୟଯାନ ଅର୍ଥାତ୍ ଆଦିତ୍ୟ L1 ବି ଭାରତର ଦବଦବା ବଢ଼ାଇଛି ଗ୍ଲୋବାଲ୍ ସ୍ପେଶ୍ କ୍ଲବରେ। ଅଳ୍ପ ଖର୍ଚ୍ଚରେ ସାଟେଲାଇଟ୍ ଛାଡ଼ିବାରେ ଭାରତ ଏବେ ନମ୍ବର ୱାନ୍। ମହାକାୟ ବାହୁବଳୀ ରକେଟ୍ LVM-3 ଠୁ ନେଇ ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ ବା SSLV। ସବୁକିଛି ତୟାର୍ ରଖିଛି ଇସ୍ରୋ। ୨୦୨୫ ସୁଦ୍ଧା ଗଗନଯାନରେ ମହାକାଶକୁ ମଣିଷ ପଠାଇବାକୁ, ୨୦୩୫ ସୁଦ୍ଧା ମହାଶୂନ୍ୟରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଜହ୍ନକୁ ମଣିଷ ପଠାଇବାକୁ ରହିଛି ଟାର୍ଗେଟ୍।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର-୨୦୨୪ ତାଲିକାରେ ଚନ୍ଦ୍ରାୟନ-ଥ୍ରୀ ଟିମ୍