• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଡେନମାର୍କର କୋପେନହାଗନ ଅଭିମୁଖେ ଯାତ୍ରା କରିଛନ୍ତି । ଜର୍ମାନୀର ବର୍ଲିନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରି ମୋଦି କୋପେନହାଗେନ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେଡରିକସେନଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହାସହ ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ରାଷ୍ଟ୍ର ସମ୍ମିଳନୀରେ ଯୋଗଦେବେ । ଏଥିରେ ଡେନମାର୍କ, ଆଇସଲାଣ୍ଡ, ଫିନଲାଣ୍ଡ, ସ୍ୱିଡେନ ଓ ନରେଓ୍ୱର ପ୍ରଧାନମନ୍ତ୍ରୀ ସାମିଲ ହେବେ ।

ଅନ୍ୟପଟେ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିଛିି ଓଡ଼ିଶାର ପଟ୍ଟଚିତ୍ର । ଡେନମାର୍କ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ତାଙ୍କ ବାସଭବନରେ ଲାଗିଥିବା ପ୍ରଭୁ ଶ୍ରୀରାମଙ୍କ ଦରବାର ବିଷୟରେ ବର୍ଣ୍ଣିତ ଓଡ଼ିଶାର ପଟ୍ଟଚିତ୍ରକୁ ମୋଦିଙ୍କୁ ଦେଖାଇଥିଲେ ଫ୍ରେଡିକ୍ସନ । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପଟ୍ଟଚିତ୍ରକୁ ନେଇ ବେଶ୍ କିଛି ସମୟ ଆଲୋଚନା ବି ହୋଇଥିଲା । ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ପଟ୍ଟଚିତ୍ରକୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଓଡ଼ିଶାର ଅନନ୍ୟ କଳା ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଂଚାଇଥିବାରୁ ଟ୍ୱିଟ୍ ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ଦ୍ୱିତୀୟ ଇଣ୍ଡିଆ-ନର୍ଡିକ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳବାୟୁ ପରିବର୍ତ୍ତନ, ନବୀକରଣ ଉର୍ଜା, ଉଦ୍ଭାବନ ଓ ବୈଷୟିକ ଜ୍ଞାନକୌଶଳ ଉପରେ ନିଜର ବକ୍ତବ୍ୟ ରଖିବେ । ଏହାପରେ ମୋଦି ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କାଟ୍ରିନ ଜାକୋଡୋଟିରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହେବେ । ସେହିପରି ନରେଓ୍ୱ, ଫିନଲାଣ୍ଡ ଓ ସ୍ୱିଡେନ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେନମାର୍କ ଗସ୍ତର କାର୍ଯ୍ୟକ୍ରମ ନେଇ ବୈଦେଶିକ ବ୍ୟାପାର ବିଭାଗ ସଚିବ ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି । ଗ୍ରୀନ ଷ୍ଟ୍ରୋଜିକ ପାର୍ଟନରସିପ୍‌ ବା ସବୁଜ ରଣନୀତିକ ଭାଗିଦାରୀ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ । ଏ କ୍ଷେତ୍ରରେ ଦୁଇ ଦେଶ ଆପଣାଇଥିବା ୫ ବର୍ଷିୟ ଆକ୍ସନ ପ୍ଲାନ ଉପରେ ମଧ୍ୟ ଆଳୋଚନା ହୋଇପାରେ । ବିଶେଷ କରି ମେକ୍ ଇନ୍ ଇଣ୍ଡିଆ, ଜଲ ଜୀବନ ମିଶନ, ଡିଜିଟାଲ୍ ଇଣ୍ଡିଆ ଆଦି ପ୍ରସଙ୍ଗ ସ୍ଥାନ ପାଇପାରେ ।

ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କର ରାଣୀ ମାର୍ଗାରେଟ-୨ଙ୍କୁ ସାକ୍ଷାତ କରିବେ । ଏହାସହ ଭାରତୀୟ ବାଣିଜ୍ୟିକ ଫୋରମର ସଦସ୍ୟଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ପ୍ରବାସୀ ଭାରତୀୟଙ୍କୁ ସେଠାରେ ସମ୍ବୋଧନ କରିବେ । ଗତକାଲି ବର୍ଲିନରେ ଜର୍ମାନ ଚାନ୍‌ସେଲରଙ୍କୁ ଭେଟିଥିଲେ ମୋଦି । ତେବେ ବର୍ଲିନ ଛାଡ଼ିବା ପୂର୍ବରୁ ପ୍ରବାସୀ ଭାରତୀୟମାନେ ମୋଦିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।