• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗଭୀର ନିଦରେ ପ୍ରଜ୍ଞାନ । ଜହ୍ନର ଦକ୍ଷିଣ ମେରୁରେ ମାଡ଼ି ଆସୁଛି କଳା କିଟିକିଟି ରାତି । ମାଇନସ୍ ୧୩୦ ଡିଗ୍ରୀ ସେଲସିୟସକୁ ଖସିଯିବ ତାପମାତ୍ରା । ତେଣୁ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ସାଇଟ୍ 'ପଏଣ୍ଟ ଶିବଶକ୍ତି'ରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର୍ ପ୍ରଜ୍ଞାନର ୨ଟି ଯାକ ଯନ୍ତ୍ରକୁ ବନ୍ଦ କରି, ତାକୁ ସ୍ଲିପ ମୋଡରେ ରଖିଦେଇଛି ଇସ୍ରୋ । ରୋଭର୍ ତାର କାର୍ଯ୍ୟ ସଂପାଦନ କରିସାରିଛି, ବ୍ୟାଟେରି ବି ଫୁଲଚାର୍ଜ ଅଛି ଏବଂ ତାକୁ ସୁରକ୍ଷିତ ଭାବେ ପାର୍କିଂ କରିଦିଆଯାଇଛି ବୋଲି ଇସ୍ରୋ ଟ୍ୱିଟ୍ କରିଛି ।

ପୁଣି ୨୨ ତାରିଖରେ ସେଠାରେ ସୂର୍ଯ୍ୟୋଦୟ ହେବ । ତେଣୁ ସେତେବେଳେ ଖରା ପଡ଼ିଲେ ରୋଭର୍ ପ୍ରଜ୍ଞାନକୁ ପୁଣି ଥରେ ନିଦରୁ ଜଗାଇବା ପାଇଁ ତାର ସୋଲାର ପ୍ୟାନେଲଗୁଡ଼ିକ ସେଇ ଦିଗକୁ ମୁହାଁଇ ଦିଆଯାଇଛି । ଇସ୍ରୋର କମାଣ୍ଡ ଗ୍ରହଣ ଲାଗି ରିସିଭର୍ ବି ଅନ୍ ଅଛି । ତଥାପି ୧୪ ଦିନିଆ ରାତି ପରେ ଯଦି ରୋଭର୍ ନିଦରୁ ନଉଠେ, ତେବେ ଚିରଦିନ ଲାଗି ତାହା ଭାରତୀୟ ରାଷ୍ଟ୍ରଦୂତ ଭାବେ ଚନ୍ଦ୍ରରେ ରହିଯିବ ବୋଲି ଜଣାଇଛି ଇସ୍ରୋ ।

ତେଣେ ସୂର୍ଯ୍ୟ ମିଶନ୍ 'ଆଦିତ୍ୟ-L1'ର ଆଜି ଦିନ ୧୧ଟା ୪୦ରେ ପ୍ରଥମ ଅର୍ବିଟ୍ ରେଜିଂ ମାନ୍ୟୁଭର୍ ବା କକ୍ଷପଥ ପରିବର୍ତ୍ତନ କରାଯାଇଛି । ୫ ତାରିଖ ଭୋର୍ ୩ଟାରେ ଦ୍ୱିତୀୟ ମାନ୍ୟୁଭର୍ ହେବ । ୧୬ଦିନ ଭିତରେ ପୃଥିବୀ ଚାରିପଟେ ମୋଟ ୫ଟି କକ୍ଷପଥରେ ବୁଲି, ଏହା ଆଗେଇ ଯିବ ୧୫ ଲକ୍ଷ କିଲୋମିଟର ଦୂର L1 ପଏଣ୍ଟ ଆଡ଼କୁ ।

ସେପଟେ ଏହି ଆଦିତ୍ୟ ମିଶନର ପ୍ରୋଜକ୍ଟ ଡାଇରେକ୍ଟର ନିଗାର୍ ଶାଜିଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ଜଣେ ଚାଷୀଙ୍କ ଝିଅ ସୂର୍ଯ୍ୟ ଅଭିଯାନର ସ୍ୱପ୍ନ ସାକାର କରିଥିବାରୁ ତାଙ୍କୁ ଛୁଟିଛି ପ୍ରଶଂସାର ସୁଅ । ତାମିଲନାଡ଼ୁର ଏହି ୫୯ ବର୍ଷୀୟା ବୈଜ୍ଞାନିକ ୧୯୮୭ରେ ସେ ଇସ୍ରୋରେ ଯୋଗ ଦେଇଥିଲେ ଏବଂ ରିସୋର୍ସସାଟ୍-2Aର ମଧ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ ।